ରୋଗ ବିଛଣାରେ ସ୍ୱାମୀ-ପୁଅ । ପରିବାର ପୋଷିବାକୁ ଫେରିବାଲା ସାଜିଛନ୍ତି ମହିଳା । ସ୍କୁଟି ଧରି ଗାଁ ଗାଁ ବୁଲୁଛନ୍ତି ଅସହାୟ ମାଧୁରୀ । ମାଧୁରୀଙ୍କ ସଙ୍ଘର୍ଷ ଆଗରେ ନଇଁଯାଉଛି ମୁଣ୍ଡ…

331

କନକ ବ୍ୟୁରୋ: ଆଜି ୟା ପିଣ୍ଡା, କାଲି ତା ପିଣ୍ଡା.. ଆଜି ୟା ଅଗଣା କାଲି ତା ଆଗଣା । ଏଇ ସ୍କୁଟି ଧରି ଘରଘର ବୁଲି ଜିନିଷ ବିକ୍ରି କରୁଛନ୍ତି ମହିଳା । ନିଜେ ବସିବାକୁ ଟିକେ ଜାଗା ଛାଡିଦେଲେ ସ୍କୁଟିର ଆଗପଛରେ ବିଭିନ୍ନ ସାମଗ୍ରୀ ଧରି ବିକ୍ରି କରୁଛନ୍ତି । ନୂଆ ଚପଲ, ପିଲାଙ୍କ ଖେଳନା, ଲୁଗାପଟା ସହ ଷ୍ଟେସନାରୀ ଜିନିଷ । ଗାଁ ଗହଳିରେ ଚଳିବାକୁ ଯେଉଁ ଜିନିଷ ଲୋଡା ତାହା ଧରି ଗାଁ ଗାଁ ବୁଲନ୍ତି ମାଧୁରୀ ଦାସ । ଯେଉଁଦି ବିକ୍ରି ହେଲା ସେଦିନ ସ୍ୱାମୀଙ୍କ ଔଷଧ, ପୁଅର ଚିକିତ୍ସା ଖର୍ଚ୍ଚ ସହ ଘର ଚଳେଇବାକୁ ହୋଇଯାଏ । ଆଉ ଯେଉଁଦିନ ବିକ୍ରି ହୁଏନି ସେଦିନ ଭୋକରେ ରହିବା ତ ଥୟ ତା ସହ ସ୍ୱାମୀ-ପୁଅ ପାଇଁ ଔଷଧର ଆଶା ମଉଳି ଯାଏ ।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅଳେଇଲୋ ଗାଁର ମହିଳା ମାଧୁରୀ ଦାସ ଏବେ ଅସହାୟ ହୋଇପଡିଛନ୍ତି । ୨୦ ବର୍ଷ ହେବ ସ୍ୱାମୀ ରୋଗ ବିଛଣାରେ ପଡିବା ପରେ ଘରର ଦାୟିତ୍ୱ ଏବେ ତାଙ୍କରି ଉପରେ । ଦୁଇ ପୁଅରୁ ବଡ ପୁଅ ଅଲଗା ହୋଇ ରହୁଥିବା ବେଳେ ସାନପୁଅ ଭିନ୍ନକ୍ଷମ । ଘରେ ବି ଅଛନ୍ତି ଶାଶୁ । ତେଣୁ ନିଜକୁ ଲଗାଇ ୪ ପେଟର ଦାୟିତ୍ୱ ଏବେ ମାଧୁରୀ ନେଇଛନ୍ତି ଆଉ ଏହି ସ୍କୁଟିରେ ବ୍ୟବସାୟ କରି ଘର ଚଳାଉଛନ୍ତି ।

ମାଧୁରୀଙ୍କ ନା ଜମି ଅଛି ନା ବାଡି, ନା ବି ଅଛି ଘରଡିହ । ସରକାରୀ ଜମିରେ ଘର କରି ରହୁଥିବା ବେଳେ ବହୁ କଷ୍ଟେ ମଷ୍ଟେ ଘରର ଯାହାକିଛି ଥିଲା ସବୁ ବିକି ଭାଙ୍ଗି ଏହି ସ୍କୁଟି କିଣିିଥିଲେ ଆଉ ଘରର ଦାୟିତ୍ୱ ମୁଣ୍ଡାଇଛନ୍ତି । ସ୍ୱାମୀ ଏବଂ ପୁଅର ଚିକିତ୍ସା ପାଇଁ ସଙ୍ଘର୍ଷ କରୁଥିବା ମାଧୁରୀ ନିଜେ ବି ରୋଗାଗ୍ରସ୍ତ । ମାଧୁରୀଙ୍କୁ ମଧୁମେହ ରୋଗ ହୋଇଥିବା ବେଳେ ସେ ପରିସ୍ଥିତି ସାମ୍ନାରେ ଭାଙ୍ଗି ନପଡି, ଥକି ନଯାଇ ସମୟ ସହ ସଙ୍ଘର୍ଷ କରିଚାଲିଛନ୍ତି ।

ସତରେ ଘରର ଯେତେବେଳେ ରୋଜଗାରିଆ ପୁଅ ରୋଗରେ ପଡେ କି ଘରର ଦମ୍ଭ ସ୍ୱାମୀ ଅଚଳ ହୋଇ ରହେ ସେତେବେଳେ ସାହସର ସହ ଜଣେ ମହିଳା ପରିବାର ପୋଷିବା ଏତେ ସହଜ ନୁହେଁ । କିନ୍ତୁ ଜଣେ ମାଆ ହିସାବରେ, ଜଣେ ସ୍ତ୍ରୀ ହିସାବରେ ମାଧୁରୀ ଜୀବନର ସବୁ ଯନ୍ତ୍ରଣାକୁ ପିଇ କଷ୍ଟ କରିଚାଲିଛନ୍ତି । ସହଯୋଗ ନୁହେଁ ବରଂ ଭଲରେ ବ୍ୟବସାୟ ହେଲେ ସେ ସୁରୁଖରୁରେ ସମସ୍ତଙ୍କ ସେବା କରିବା ସହ ଔଷଧ ଖର୍ଚ୍ଚ ଉଠାଇ ଦେବାକୁ ନିଜ ମନରେ ଦମ୍ଭ ରଖିଛନ୍ତି ।