ଦୃଢ ଆତ୍ମବଳ ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା । ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ବି ପୂରା ସକ୍ଷମ ବଲାଙ୍ଗୀରର ବବଲୁ ମିଶ୍ର ।

109

କନକ ବ୍ୟୁରୋ: ମଣିଷ ଯଦି ଚାହେଁ ନିଜର ଦୃଢ ମନୋବଳ ଓ ଇଚ୍ଛା ଶକ୍ତି ବଳରେ ଅସାଧ୍ୟ କମକୁ ବି କରିବାକୁ ସମର୍ଥ ହୋଇପାରେ । ସେମିତି କିଛି କରି ସଫଳ ହୋଇଛନ୍ତି ବଲାଙ୍ଗୀର ସହରର ବବଲୁ ମିଶ୍ର । ଦିବ୍ୟାଙ୍ଗ ହୋଇ ସୁଦ୍ଧା ସମାଜରେ ନିଜକୁ ଏକ ସକ୍ଷମ ମଣିଷ ଭାବେ ଗଢି ତୋଳିଛନ୍ତି ବବଲୁ ।

ବଲାଙ୍ଗିର ସହର ବ୍ରାହ୍ମଣ ପଡା ଅଞ୍ଚଳରେ ରହୁଥିବା ବବଲୁ ମିଶ୍ରଙ୍କ ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା । ପୋଲିଓ ରୋଗରେ ଆକ୍ରାନ୍ତ ବବଲୁ ନିଜକୁ କେବେ ଦୁର୍ବଳ ମନେ କରି ନାହାନ୍ତି । ପିଲାଟି ଦିନରୁ ପରିବାର ଓ ନିଜ ଉଦ୍ୟମ ବଳରେ ନିଜକୁ ଜଣେ ସଫଳ ମଣିଷ ଭାବେ ଗଢିଛନ୍ତି । ଇଞ୍ଜିନିୟରିଂ ପଢିଥିବା ବବଲୁ ବଲାଙ୍ଗୀରରେ ଏକ ଗିଫ୍ଟ ଆଇଟମ୍ ଦୋକାନ କରି ପରିବାର ପ୍ରତିପୋଷଣରେ ବାପାଙ୍କୁ ସହଯୋଗ କରୁଛନ୍ତି ଆଉ ପୁଅର ଏଭଳି ଉନ୍ନତି ଦେଖି ପରିବାର ଗର୍ବ ଅନୁଭବ କରୁଛନ୍ତି ।

ବବଲୁ କେବଳ ଶିକ୍ଷା କ୍ଷେତ୍ରରେ ଆଗୁଆ ତାହା ନୁହେଁ, ନିଜକୁ ଫିଟ୍ ରଖିବା ଦିଗରେ ବି ବେଶ ଯତ୍ନବାନ । ପ୍ରତିଦିନ ଜିମ ଯାଇ ବ୍ୟାୟାମ କରି ନିଜକୁ ଫିଟ୍ ରଖୁଛନ୍ତି । ଜଣେ ସର୍ବାଙ୍ଗ ସଂପୂର୍ଣ୍ଣ ଯୁବକଙ୍କ ଠାରୁ କୌଣସି ଗୁଣରେ କମ୍ ନୁହନ୍ତି ବବଲୁ । ଗତ ଲକଡାଉନ ସମୟରେ ଟ୍ରେନ ଚାଲୁନଥିବାରୁ ସ୍କୁଟିରେ ବଲାଙ୍ଗୀରରୁ ଶିରିଡି ୨୫୬୦ କିଲୋମିଟର ଯାତ୍ରା କରି ସାଇ ବାବାଙ୍କ ଦର୍ଶନ କରି ଫେରିଥିଲେ ଏହି ଦିବ୍ୟାଙ୍ଗ ଯୁବକ । ମଣିଷର ଦୃଢ ଇଚ୍ଛା ଶକ୍ତି ଓ ଆତ୍ମ ବିଶ୍ୱାସ ଆଗରେ ହାର ମାନିଥାଏ ସବୁ ବାଧା ବିଘ୍ନ, ଯାହା ବଲାଙ୍ଗୀରର ବବୁଲ କରି ଦେଖାଇଛନ୍ତି ।