୩୨ ବର୍ଷ କାଳ ସରକାରୀ ଚାକିରି ପରେ ମିଳିଲାନି ଅବସରକାଳୀନ ଭତ୍ତା । ଏବେ ମୂର୍ତ୍ତି ତିଆରି କରି ପେଟ ପୋଷୁଛନ୍ତି ରାଜକିଶୋର ।

157

କନକ ବ୍ୟୁରୋ: ଦିନେ ଥିଲେ ସରକାରୀ କର୍ମଚାରୀ, ଏବେ ମୂର୍ତ୍ତି କାରିଗର । ଚାକିରିରୁ ଅବସର ନେବା ପରେ ଅବସର କାଳିନ ଭତ୍ତା ନମିଳିବାରୁ ପିଲାବେଳେ ଶିଖିଥିବା କଳା ଏବେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କୁ ରୋଜଗାର ଦେଇଛି । ଆଉ ବିଭିନ୍ନ ସମୟରେ ଖରାପ ସମୟ ଓ ପରିସ୍ଥିତିର ଦ୍ୱାହି ଦେଇ ବେରୋଜଗାର ରହୁଥିବା ବ୍ୟକ୍ତିଙ୍କ ପାଇଁ ସେ ପ୍ରେରଣା ପାଲଟିଛନ୍ତି ।

୭୦ ବର୍ଷ ବୟସରେ ବି ଥକି ଯାଇନାହାଁନ୍ତି ଜଣେ ବୃଦ୍ଧ । ଯେଉଁ ବୟସରେ ଶରୀର ଶଯ୍ୟା ଖୋଜେ, ସେ ବୟସରେ ନିଜେ ନିଜର ସାହାରା ପାଲଟିଛନ୍ତି । ଗାଁ ଗହଳିରୁ ହଜି ଯାଉଥିବା କଳାକୁ ଜାବୁଡି ଧରିଛନ୍ତି । ହାତରେ ନିହାଣ ଓ ମୁଗୁର ଧରି କାଠରେ ଖୁବ୍ ସୁନ୍ଦର ମୂର୍ତ୍ତି ତିଆରି କରୁଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ବାଲିପାଟଣା ଗାଁର ରାଜକିଶୋର ସୂତାର । ଥକାଠର ମୂର୍ତି ତିଆରି କରିବା ସହ ଗାଁର କିଛି ଯୁବକମାନଙ୍କୁ କାରିଗରୀ ଶିଖାଉଛନ୍ତି ଆଉ ସେ ତିଆରି କରିଥିବା ମୂର୍ତ୍ତି ଗୁଡିକୁ ଯିଏ ଥରେ ଦେଖିଛି, ତା’ ଆଖି ସେଇଠି ଲାଖି ଯାଇଛି ।

ରାଜକିଶୋର ସୂତାର ରାଜ୍ୟ ସରକାରଙ୍କ ତଟବନ୍ଧ ବିଭାଗରେ ୩୨ ବର୍ଷ କାଳ ଚାକିରି କରି ଅବସର ନେଇଛନ୍ତି । ଚାକିରିରୁ ଅବସର ନେବା ପରେ ତାଙ୍କୁ ଅବସରକାଳୀନ ଭତ୍ତା ମିଳିନାହିଁ । ସରକାରୀ ଅଫିସକୁ ଦୌଡି ଦୌଡି ନୟାନ୍ତ ହେବା ପରେ ପିଲା ଦିନର ନିଶାକୁ ଆଶ୍ରା କରିଛନ୍ତି । ପରିବାରର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥିବାରୁ ନିଜ ପେଟପୋଷିବା ପାଇଁ କାଠରେ ମୂର୍ତ୍ତି ତିଆରି କରି ବିକ୍ରି କରୁଛନ୍ତି ଏହି ଅବସରପ୍ରାପ୍ତ ସରକାରୀ କର୍ମଚାରୀ ।

ସୁନ୍ଦର ସୁନ୍ଦର ମୂର୍ତ୍ତି ଗଢି ଅନ୍ୟଙ୍କ ଘର ସଜାଉଥିବା ଏହି ମଣିଷ ଯେ କେତେ କଷ୍ଟରେ ଅଛନ୍ତି ତାହା ଅନ୍ୟମାନଙ୍କୁ ଜାଣିବାକୁ ଦିଅନ୍ତି ନାହିଁ । ପ୍ରଶାସନିକ ଅଧିକାରୀମାନେ ରାଜକିଶୋର ମଉସାଙ୍କ ପ୍ରତି ଦୃଷ୍ଟି ଦେଇ ପ୍ରୋତ୍ସାହିତ କରିବା ସହ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ସହଯୋଗ କଲେ ଏଭଳି କଳା ଭାସ୍କର୍ଯ୍ୟ ଗାଁ ଗହଳିରେ ଜୀବିତ ରହିପାରିବ ବୋଲି ଆଶା କରାଯାଏ ।