ତାଲିବାନ ଉପରେ ବଢିଲା ଆଫଗାନ ସେନାର ଆକ୍ରମଣ । ତାଲିବାନ ଶିବିର ଉପରେ ବିମାନ ଆକ୍ରମଣକୁ ଜୋରଦାର କରିଛି ଆଫଗାନ ସେନା

167

କନକ ବ୍ୟୁରୋ : ଆଫଗାନିସ୍ତାନ ଓ ତାଲିବାନ ମଧ୍ୟରେ ଯୁଦ୍ଧ ଏବେ ନୂଆ ମୋଡ ନେଇଛି । ଆଫଗାନିସ୍ତାନକୁ ଅଧିକାର କରିବାକୁ ତାଲିବାନ ଉଦ୍ୟମ ଜାରି ରଖିଥିବା ବେଳେ ଆଫଗାନ ସେନା ଏବେ ତାଲିବାନ ଶିବିର ଉପରେ ବିମାନ ଆକ୍ରମଣ ଆରମ୍ଭ କରିଛି । ଆଫଗାନ ସେନାର ଏଭଳି ଆକ୍ରମଣ ଆଗରେ ହାରମାନି ତାଲିବାନ ଏବେ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଛି ।

ଆଫଗାନ ସେନା ଏନେଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି କି ଦେଶର ବିଭିନ୍ନ ଅଞ୍ଚଳରେ ଥିବା ତାଲିବାନ ଶିବିର ଉପରେ ଆକ୍ରମଣ ଜାରି ରହିଛି । ବିଶେଷକରି ଦକ୍ଷିଣ-ପଶ୍ଚିମ ଆଫଗାନିସ୍ତାନରେ ଥିବା ହେଲମଣ୍ଡ ରାଜ୍ୟର ରାଜଧାନୀ ଲସକର ଗା’ ସହର ଉପରେ ପ୍ରବଳ ବୋମାମାଡ଼ କରାଯାଇଛି । ଏହି ସହରର ଏକ ବଡ଼ ଅଂଚଳକୁ ତାଲିବାନ ଅଧିକାର କରିସାରିଥିବାରୁ ତାହାକୁ ମୁକ୍ତ କରିବାକୁ ଏହି ବୋମା ମାଡ଼ କରାଯାଇଛି । ସହରର ରେଡ଼ିଓ ଓ ଟେଲିଭିଜନ କେନ୍ଦ୍ର ତାଲିବାନ କବଜାରେ ଥିବାରୁ ଏସବୁ ପ୍ରତିଷ୍ଠାନ ଉପରେ ବିମାନ ଆକ୍ରମଣ କରାଯାଇଛି  ।  ଅନ୍ୟପକ୍ଷରେ ଉତ୍ତର ଆଫଗାନିସ୍ତାନର ସର-ଏ-ପୁଲ ସହରକୁ ତାଲିବାନ ଅଧିକାର କରିନେଇଛି ।

ଗତ ଏପ୍ରିଲ ମାସରୁ ଆମେରିକୀୟ ସେନା ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହେବା ପରେ ତାଲିବାନ ଆଫଗାନିସ୍ତାନର ଅଧିକାଂଶ ରାଜ୍ୟକୁ ଅଧିକାର କରି ନେଇଛି । ତେବେ କାବୁଲ ଏବେ ବି ଆଫଗାନ ସରକାରଙ୍କ ନିୟନ୍ତ୍ରଣରେ ରହିଛି ।