ମହଙ୍ଗା ଦର ରେକର୍ଡ ଛୁଇଁବା ପରେ ପୁଣି ବଢିବ ଇନ୍ଧନ ମୁଲ୍ୟ, ଜାଣନ୍ତୁ କଣ ରହିଛି ସରକାରଙ୍କ ଯୋଜନା

135

କନକ ବ୍ୟୁରୋ : ଏବେ କିଛିଦିନ ହେବ ଦେଶରେ ଇନ୍ଧନର ଦାମ ସ୍ଥିର ରହିଛି । ଏନେଇ ଉପଭୋକ୍ତାମାନେ ଟିକେ ଆଶ୍ୱସ୍ଥ ହୋଇଥିବା ବେଳେ ଆଜି ଦେଶର ମହଙ୍ଗା ଦର ରିପୋର୍ଟ ଆସିବା ପରେ ଅଶଂକା କରାଯାଉଛି କି, ସରକାର ଏହାର ନିରାକରଣ ଭାବେ ପ୍ରଥମେ ପେଟ୍ରୋଲ ଓ ଡିଜେଲ ଉପରେ ଏକ ବଡ ମାତ୍ରାର ଦାମ ବୃଦ୍ଧି କରିପାରନ୍ତି । ସୂତ୍ର ସୂଚନା ମୁତାବକ ଏଥର ପେଟ୍ରୋଲ ଠାରୁ ଡିଜେଲର ଦାମ ଅଧିକ ବୃଦ୍ଧି ହୋଇପାରେ ।

ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ ଜଣେ ବିଭାଗୀୟ ସରକାରୀ ଅଧିକାରୀ କହିଛନ୍ତି କି ସରକାର ମହଙ୍ଗାମାଡରୁ ରକ୍ଷା ପାଇବା ପାଇଁ ଗୋଟିଏ ଥରରେ ପେଟ୍ରୋଲ ଡିଜେଲର ଦାମ ବଢାଇବା ପରିବର୍ତ୍ତେ ଧିରେ ଧିରେ ଦାମ ବୃଦ୍ଧି କରିପାରନ୍ତି । ସେପଟେ ତେଲ ବିକ୍ରୟ କରୁଥିବା କମ୍ପାନୀମାନେ ସରକାରଙ୍କ ପାଖରେ ଦାବି କରିଛନ୍ତି କି ସେମାନେ ଗୋଟିଏ ଲିଟର ଡିଜେଲ ଉପରେ ୨୫ ଟଙ୍କା ଓ ପେଟ୍ରୋଲ ଉପରେ ୧୦ ଟଙ୍କା କ୍ଷତି ସହୁଛନ୍ତି । ଏହି କ୍ରମରେ ସରକାର ଡିଜେଲ ଲିଟର ପ୍ରତି ୩-୪ ଟଙ୍କା ଓ ପେଟ୍ରୋଲ ଉପରେ ୨-୩ ଟଙ୍କା ବୃଦ୍ଧି କରିପାରନ୍ତି ।

କହିରଖୁ କି ଚଳିତ ବର୍ଷ ମାର୍ଚ୍ଚ ୨୨ ତାରିଖରୁ ଏପ୍ରିଲ ୬ ତାରିଖ ମଧ୍ୟରେ ଡିଜେଲ ଓ ପେଟ୍ରୋଲର ଦାମ ୧୪ ଥର ବୃଦ୍ଧି ହୋଇଛି । ଅର୍ଥାତ ୪୦ ଦିନ ଧରି ପେଟ୍ରୋଲ ଓ ଡିଜେଲର ଦାମ ସ୍ଥିର ରହିଛି । ସେପଟେ ଭାରତ ଆବଶ୍ୟକ କରୁଥିବା ତୈଳ ମଧ୍ୟରୁ ୮୦ ପ୍ରତିଶତ ତୈଳ ବିଦେଶରୁ ଆମଦାନୀ କରୁଛି । ଏଥି ମଧ୍ୟରୁ ସର୍ବାଧିକ କଚ୍ଚାତେଲ ପଶ୍ଚିମ ଏସିଆ ଦେଶମାନଙ୍କୁ ଆମଦାନୀ କରାଯାଇଥାଏ ।