୧୫ରୁ ୩୯ ବର୍ଷ ଭିତରେ ଯୁବପିଢୀ ମଦ ପିଇଲେ ହୋଇପାରେ ବିଶେଷ କ୍ଷତି । ୪୦ରୁ ଉର୍ଦ୍ଧ୍ୱ ବୟସ୍କ ଲୋକଙ୍କ ପାଇଁ ଦିନକୁ ୧୦ ମିଲିଲିଟର ୱାଇନ୍ ଲାଭଦାୟକ
ବିଶ୍ୱର ପ୍ରସିଦ୍ଧ ମେଡିକାଲ ଜର୍ଣ୍ଣଲ ଦି ଲାନସେଟର ରିପୋର୍ଟ
କନକ ବ୍ୟୁରୋ: ଯୁବପିଢୀ କିମ୍ବା କମ୍ ବୟସର ଲୋକଙ୍କ ପାଇଁ ମଦ୍ୟପାନ କ୍ଷତିକାରକ କିନ୍ତୁ ୪୦ରୁ ଉର୍ଦ୍ଧ୍ୱ ବୟସର ଲୋକଙ୍କ ପାଇଁ ଏହା ଲାଭଦାୟକ ହୋଇପାରେ । କିନ୍ତୁ ସେମାନେ ଅଳ୍ପ ପରିମାଣରେ ମଦ ପିଇବା ଉଚିତ୍ । ପ୍ରସିଦ୍ଧ ମେଡିକାଲ ଜର୍ନାଲ ‘ଦି ଲାନସେଟ୍’ର ରିପୋର୍ଟକୁ ଏଭଳି ତର୍ଜମା କରିଛନ୍ତି ବିଶେଷଜ୍ଞ ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଶ୍ୱର ଏକ ପ୍ରସିଦ୍ଧ ମେଡିକାଲ ଜର୍ନାଲ ‘ଦି ଲାନସେଟ୍’ ଯେଉଁ ରିପୋର୍ଟ ପ୍ରକାଶ କରିଛି ତାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଦେଇଛି । ୧୫ରୁ ୩୯ ବର୍ଷ ଭିତରେ ଯୁବପିଢୀ ମଦ୍ୟପାନ କରିବା ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ୪୦ ବର୍ଷ ପରେ କମ୍ ପରିମାଣରେ ମଦ୍ୟପାନ କଲେ ଏହା ଲାଭଦେବାର ସମ୍ଭାବନା ଥାଏ । କେବଳ ୨୦୨୦ ମସିହାରେ ୨୦୪ଟି ଦେଶର ୧୩୪ କୋଟି ଲୋକ ଅଧିକ ପରିମାଣର ମଦ ପିଇଛନ୍ତି ବୋଲି ଏହି ରିପୋର୍ଟରେ କୁହାଯାଇଛି । ଏମାନଙ୍କ ଭିତରେ ୫୯ ପ୍ରତିଶତ ହେଉଛନ୍ତି ୧୫ରୁ ୩୯ ବର୍ଷ ମଧ୍ୟରେ ଥିବା ଯୁବପିଢୀ ।
ଲାନସେଟ୍ ରିପୋର୍ଟରେ କୁହାଯାଇଛି ୪୦ ବର୍ଷରୁ ଅଧିକ ବୟସ୍କ ଲୋକେ ଦିନକୁ ମାତ୍ର ୧୦ ମିଲିଲିଟର ୱାଇନ୍ ପିଇପାରିବେ । ଏହାଦ୍ୱାରା ହାର୍ଟ ଡିଜିଜ୍, ହାର୍ଟଷ୍ଟ୍ରୋକ କମିବାର ସମ୍ଭାବନା ଥାଏ । ସେହିପରି ଦିନକୁ ବିୟର ପିଇଲେ ଏହାର ପରିମାଣ ୧୦୦ ମିଲିଲିଟରରୁ ଅଧିକ ହେବା କଥା ନୁହେଁ । ଆମେରିକା ସ୍ଥିତ ୱାଶିଂଟନ୍ ସ୍କୁଲ ଅପ୍ ମେଡିସିନର ବିଶେଷଜ୍ଞ ମାନେ କହିଛନ୍ତି ମଦ୍ୟପାନର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ସମ୍ପର୍କରେ ସମସ୍ତେ ଜାଣିବା ଉଚିତ୍ । ଜଣେ ୪୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ଦିନକୁ ୧୦ ମିଲିଲିଟର ଅର୍ଥାତ୍ ୨ ଚାମଚ୍ ୱାଇନ୍ ପିଇପାରିବେ । ସେହିପରି ବିୟରର ପରିମାଣ ୧୦୦ ମିଲିଲିଟରରୁ ଅଧିକା ହେବା ଉଚିତ୍ ନୁହେଁ ।
ବିଟ୍ରେନର ଆଲକୋହଲ ନିୟନ୍ତ୍ରଣ ସଂସ୍ଥାର ଚିଫ୍ ଏଗଜିକ୍ୟୁଟିବ୍ ଅଫିସର କହିଛନ୍ତି ଅଧିକ ପରିମାଣର ମଦ୍ୟପାନ ଶରୀର ପାଇଁ କ୍ଷତିକାରକ ହୋଇପାରେ । ସେ କହିଛନ୍ତି, ଯଦି ଆପଣ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି, ତେବେ ଆଦୌ ମଦ୍ୟପାନ କରନ୍ତୁ ନାହିଁ ।