ସମ୍ବଲପୁର ବିଶ୍ୱବିଦ୍ୟାଳୟ ଫିଜିକ୍ସ ପ୍ରଶ୍ନପତ୍ର ଲିକ୍ ପଛରେ କୁଚିଣ୍ଡା କଲେଜର ହାତ । ସନ୍ଦେହରେ ଅଧ୍ୟାପକଙ୍କୁ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ଡକରା ।

103

କନକ ବ୍ୟୁରୋ: ପରୀକ୍ଷା ପୂର୍ବରୁ ଭାଇରାଲ ହେଉଛି ପ୍ରଶ୍ନପତ୍ର । ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ପୁଣି ଆସିଲା ଏପରି ଅଭିଯୋଗ । ପ୍ରଥମେ ଏଜୁକେସନ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିଲା ଆଉ ଆଜି ଫିଜିକ୍ସର ପ୍ରଶ୍ନପତ୍ର ଲିକ୍ ହୋଇଛି । ଯାହାକୁ ନେଇ ଆଜି ହେବାକୁ ଥିବା ଫିଜିକ୍ସ ପରୀକ୍ଷାକୁ ବାତିଲ କରାଯାଇଛି । ଏ ପ୍ରସଙ୍ଗରେ ପ୍ରଶ୍ନପତ୍ର ବନାଉଥିବା ଅଧ୍ୟାପକଙ୍କୁ ଦାୟୀ କରିଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି । ସେ କହିଛନ୍ତି, ପ୍ରଶ୍ନପତ୍ର ପ୍ରିଣ୍ଟ ହେବା ପୂର୍ବରୁ ଲିକ୍ ହୋଇଛି । ଯାହା ସ୍ପଷ୍ଟ କରୁଛି ଏଥିରେ ପ୍ରଶ୍ନ ତିଆରି କରୁଥିବା ଅଧ୍ୟାପକ ହିଁ ସମ୍ପୃକ୍ତ ।

  • ପୁଣି ପରୀକ୍ଷା ପୂର୍ବରୁ ଭାଇରାଲ ପ୍ରଶ୍ନପତ୍ର
  • ଫିଜିକ୍ସ ପ୍ରଶ୍ନପତ୍ରର ମୂଲ୍ୟ ୨ ହଜାର ଟଙ୍କା!

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପିଲାଙ୍କ ପ୍ରଶ୍ନପତ୍ରକୁ ନେଇ ଚାଲିଛି ସାଙ୍ଘାତିକ ଖେଳ । ଏଜୁକେସନ ଅନର୍ସ ପ୍ରଶ୍ନପତ୍ର ପରେ, ଭାଇରାଲ ହେଲା ଫିଜିକ୍ସ ପ୍ରଶ୍ନପତ୍ର । ଦୁଇଦିନ ତଳେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । କୁହାଯାଉଛି ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଫୋନ କରି ଗୋଟିଏ ପ୍ରଶ୍ନପତ୍ର ପିଛା ୨ ହଜାର ଟଙ୍କା ଦାବି କରାଯାଇଥିଲା । ଭାଇରାଲ ହେଉଥିବା କୋଶ୍ଚିନ ପେପର ପ୍ରକୃତ ପ୍ରଶ୍ନପତ୍ର ବୋଲି ଜଣାପଡିବା ପରେ ଶୁକ୍ରବାର ନିର୍ଦ୍ଧାରିତ ସମୟ ଦିନ ୧୦ଟାରେ ହେବାକୁ ଥିବା ଫିଜକ୍ସ ପରୀକ୍ଷାକୁ ବାତିଲ କରିଦିଆଗଲା । ଫଳରେ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ୬୦ଟି କଲେଜରେ ପରୀକ୍ଷା ଦେବାକୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ନିରାଶ ହୋଇ ଫେରିବାକୁ ପଡିଛି ।

ବଡ ପ୍ରଶ୍ନ ହେଉଛି- କିଏ କରୁଛି ପ୍ରଶ୍ନପତ୍ର ଲିକ୍? କାହିଁକି ଏଭଳି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଚାଲିଛି? ତେବେ ଘଟଣାକୁ ଗୁରତର ସହ ନେଇଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟ କୂଳପତି । କୁଚିଣ୍ଡାର ଏକ ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକ ହିଁ ଫିଜିକ୍ସ ପ୍ରଶ୍ନପତ୍ର ଲିକ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା କହିଛନ୍ତି କୁଳପତି ପ୍ରଫେସର ସଂଜୀବ ମିତ୍ତଲ । ଏନେଇ ସମ୍ବଲପୁର ସାଇବର ଥାନା ସହ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ।

କୁଚିଣ୍ଡାର ସେହି କଲେଜକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ କରାଯାଇଥିବା ଚିଠିରେ ଶୁକ୍ରବାର ଦିନ ସାଢେ ୨ଟା ସୁଦ୍ଧା ଫିଜିକ୍ସର ଅଧ୍ୟାପକ ନିର୍ମଳ ଉର୍ମାଙ୍କୁ ହାଜର ହେବାକୁ କୁହାଯାଇଛି । ଅବଶ୍ୟ କାହିଁକି ତାଙ୍କୁ ଡକା ଯାଇଛି ସେନେଇ ଜାଣିନଥିବା କହିଛନ୍ତି କଲେଜର ଅଧ୍ୟକ୍ଷ ଶ୍ରୀକାନ୍ତ ପଟେଲ ।

ମିଳିଥିବା ସୂଚନା ଅନୁସାରେ ଚିଠି ପାଇବା ପରେ ସଂପୃକ୍ତ ଅଧ୍ୟାପକ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରେ ହାଜର ହୋଇଥିଲେ । ତେବେ ତାଙ୍କୁ କଣ ପାଇଁ ଡକା ଯାଇଥିଲା ତାହା ସ୍ପଷ୍ଟ ହୋଇପାରିନାହିଁ । କିନ୍ତୁ ସେ ଫିଜିକ୍ସର ଅଧ୍ୟାପକ ହୋଇଥିବାରୁ ଏବଂ ବିଶ୍ୱବିଦ୍ୟାଳୟ କୁଳପତି କୁଚିଣ୍ଡା କଲେଜର ଅଧ୍ୟାପକଙ୍କ କଥା କହିଥିବାରୁ ଏହାକୁ ପ୍ରଶ୍ନପତ୍ର ଲିକ ଘଟଣା ସହ ଯୋଡି ଦେଖାଯାଉଛି ।

ଆଗକୁ କ’ଣ ହେବ?
– ଆଗକୁ ନୂଆ ପ୍ରଶ୍ନପତ୍ରରେ ପରୀକ୍ଷା ହେବ ବୋଲି କହିଛନ୍ତି ଭିସି
– ବାତିଲ ହୋଇଥିବା ପରୀକ୍ଷା ଆଗାମୀ ୨୦ ତାରିଖରେ କରାଯିବ
– ଆଗକୁ ହେବାକୁ ଥିବା ସବୁ ପରୀକ୍ଷାର ପ୍ରଶ୍ନପତ୍ର ମଧ୍ୟ ବଦଳାଯିବ
– ପରୀକ୍ଷାର ଅଧଘଣ୍ଟା ପୂର୍ବରୁ ମେଲ ଯୋଗେ ପ୍ରଶ୍ନପତ୍ର ଦିଆଯିବ