କଂଗ୍ରେସ ବିଧାୟକ ମହମଦ ମୋକିମଙ୍କ ଉପରେ କଂଗ୍ରେସ ଖପ୍ପା: ଦଳୀୟ ଅନୁଶାସନ ଭଙ୍ଗ କରିବା ଅଭିଯୋଗରେ ପିସିସି ସଭାପତିଙ୍କ ନୋଟିସ୍

187

କନକ ବ୍ୟୁରୋ: ଦଳ ବିରୋଧରେ ଯାଇ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଭୋଟ ଦେବା ସ୍ପଷ୍ଟ ହୋଇଯିବା ପରେ ତାଙ୍କୁ ନୋଟିସ ଜାରି କରିଛି କଂଗ୍ରେସ । ଅବଶ୍ୟ ଦ୍ରୌପଦୀଙ୍କୁ ଭୋଟ ଦେଇଥିବାରୁ ତାଙ୍କୁ କାରଣ ଦର୍ଶାଇବା ପାଇଁ ଏହି ନୋଟିସରେ କିଛି ବି ଲେଖାଯାଇନି । ବରଂ ଅତି ଚତୁରତାର ସହ ଦଳୀୟ ଶୃଂଖଳାଭଂଗ, ଗଣମାଧ୍ୟମ ସମ୍ମୁଖରେ ଏ ସମ୍ପର୍କରେ ମନ୍ତବ୍ୟ ଦେଇ ଦଳର ସମ୍ମାନକୁ ତଳେ ପକାଇବା ଭଳି ପ୍ରସଙ୍ଗରେ ରିପୋର୍ଟ ମଗାଯାଇଛି । ଏଥିପାଇଁ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେନେଇ ୨ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

କାରଣ ଦର୍ଶାଅ ନୋଟିସ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ମହମ୍ମଦ ମୋକିମ । କହିଛନ୍ତିି ନୋଟିସ ପାଇଲେ ଦଳୀୟ ଫୋରମରେ ଉତର ରଖିବି । ସେପଟେ ମୋକିମଙ୍କ କାର୍ଯ୍ୟକୁ ସ୍ୱାଗତ କରିଛି ବିଜେପି । ବିଜେପି ବିଧାୟକ ବିଷ୍ଣୁ ସେଠୀ କହିଛନ୍ତିି, ଏହା ଦୁର୍ଭାଗ୍ୟଜନକ । ମାଟି ପାଇଁ ଭୋଟ ଦେଇଛନ୍ତି । ସେଥିଲାଗି ସ୍ୱାଗତ କରୁଛି । ଯେଉଁମାନେ ନୋଟିସ ଦେଇଛନ୍ତି ତାଙ୍କର ମାଟି ପାଇଁ ଦରଦ କେତେ ଏଥିରୁ ଜଣାପଡୁଛି ।

ରାଷ୍ଟ୍ରପତି ନିର୍ବାଚନ ପାଇଁ କୌଣସି ଦଳୀୟ ହୁଇପ ଜାରି ହୋଇନଥାଏ । ତେଣୁ ବିବେକ ଅନୁସାରେ ମାଟିର ଝିଅ ଦ୍ରୌପଦୀଙ୍କୁ ମୋକିମଙ୍କ ଭୋଟ ଦେଇଥିଲେ ବୋଲି ଗଣମାଧ୍ୟମକୁ କହିଥିଲେ ମୋକିମ । ଯାହାକୁ ନେଇ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଥିଲା ।