ବଜେଟ ବଢୁଛି, ବଦଳୁନି ସ୍ୱାସ୍ଥ୍ୟସେବାର ଚିତ୍ର: କେବେ ବଦଳିବ ଉପାନ୍ତ ଅଂଚଳର ହସ୍ପିଟାଲ ଚିତ୍ର?

84

କନକ ବ୍ୟୁରୋ: ରାୟଗଡା କାଶୀପୁରରେ ବ୍ୟାପିଛି କଲେରା ମହାମାରୀ । ଗାଁରୁ ଗାଁ ବ୍ୟାପୁଥିବା ଏହି ମହମାରୀରେ ଅନେକ ଲୋକ ଆକ୍ରାନ୍ତ ହେଉଛନ୍ତି । କିନ୍ତୁ ଚିକିତ୍ସା ପାଇଁ ନାହିଁ ଆବଶ୍ୟକ ଭିତ୍ତିଭୂମି । ଉପାନ୍ତ ଅଂଚଳରେ ସରକାରୀ ଓ ଘରୋଇ ହସ୍ପିଟାଲର ଚିତ୍ର ଦେଖିଲେ ଅନୁମାନ କରିହେବ କିପରି ରହିଛି ସରକାରଙ୍କ ସ୍ୱାସ୍ଥ୍ୟବସ୍ଥା ।

କାଶୀପୁର ଟିକିରିରେ ଥିବା ସରକାରୀ ହସ୍ପିଟାଲ ଅନ୍ୟଟି ଉକ୍ରଳ ଆଲୁମିନା କମ୍ପାନୀ ଦ୍ୱାରା ତିଆରି ହୋଇଥିବା ମଲଟି ସ୍ପେଶାଲିଟି ହସ୍ପିଟାଲ । ଦୁଇଟି ହସ୍ପିଟାଲକୁ ଦେଖିଲେ ଜାଣିହେବ କେମିତି ଚାଲିଛି ସରକାରୀ ଓ ଘରୋଇ ହସ୍ପିଟାଲର ଚିକିତ୍ସା ସେବା । ପ୍ରଥମେ ନଜର ପକାନ୍ତୁ ଟିକିରି ସ୍ୱାସ୍ଥ୍ୟକେନ୍ଦ୍ରର ବାହାର ଚିତ୍ର । ଯାହାକୁ ଦେଖି ଅନୁମାନ କରିହେଉଥିବା ହସ୍ପିଟାଲ ଭିତରର ଚିତ୍ର । ବେଡରେ ରୋଗୀ ଶୋଇଛନ୍ତି । ଆଉ ଉପରେ ଥିବା ଛାତରେ ଫାଟ ସୃଷ୍ଟି ହୋଇଛି । ଛାତରୁ ସିମେଂଟ ଖସି ଯାଇଛି, ରଡ୍ କଳଙ୍କି ଲାଗି ଦେଖାଯାଉଛି । ବର୍ଷାରେ ହେଲେ ଛାତରୁ ପାଣି ଖସୁଛି । ସ୍ଥିତି ଏମିତି ହୋଇଛି ଯେ ଅପେକ୍ଷା ଅଘଟଣକୁ । ସେହିପରି ହସ୍ପିଟାଲରେ ଗୋଟିଏ ଶୌଚାଳୟ ରହିଥିବା ବେଳେ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି । ଅନ୍ୟପଟେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବାରୁ ଏବେ ହଠାତ ଅନେକ ଡାକ୍ତରଙ୍କୁ ଡେପୁଟେସନରେ ଆସିଥିବା ଜଣାପଡିଛି । ତେଣୁ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ କିପରି ରୋଗୀ ସେବା ହେଉଥିବା ସ୍ପଷ୍ଟ ଅନୁମେୟ ।

କଲେରା ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ହଇଜା ୱାର୍ଡ ରହିଛି । ୫୦ ରୋଗୀଙ୍କ ପାଇଁ ବେଡ୍ ବ୍ୟବସ୍ଥା ହୋଇଛି । ୧୩ ଜଣ ବିଶେଷଜ୍ଞ ଡାକ୍ତର ରହିଛନ୍ତି । ପ୍ରତିଟି ବେଡରେ ଅକ୍ସିଜେନ୍ ଲାଗିଛି । ସିଟି ସ୍କାନ, ଏକ୍ସରେ ଓ ମାଇକ୍ରୋ ବାୟୋଲୋଜି ଲ୍ୟାବ ମଧ୍ୟ ରହିଛି । କମ୍ପାନୀ ପରିଚାଳିତ ଏହି ହସ୍ପିଟାଲରେ ରୋଗୀଙ୍କୁ ଯୋଗାଇ ଦିଆଯାଉଛି ମାଗଣା ସ୍ୱାସ୍ଥ୍ୟସେବା ।

ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ଚଳିତ ବଜେଟରେ ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ରାଜ୍ୟ ସରକାର ୧୨ହଜାର ୬୨୪ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଯାହା ଗତବର୍ଷ ତୁଳନାରେ ୩୮ ପ୍ରତିଶତ ଅଧିକ । କାରଣ ୨୦୨୧ରେ ସ୍ୱାସ୍ଥ୍ୟ ବିଭାଗ ପାଇଁ ୯ହଜାର ୧୬୪ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । କେବଳ ବିଜୁ ସ୍ୱାସ୍ଥ୍ୟ ପାଇଁ ଚଳିତ ବର୍ଷ ୨ହଜାର ୬୬୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ପାଇଁ ୨ହଜାର ୩୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ହେଲେ ରାୟଗଡ଼ା ଜିଲ୍ଲା ଟିକିରିରେ ଥିବା ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥାକୁ ଦେଖିଲେ ଲାଗୁଛି ଟଙ୍କା ବରାଦ ହେଉଛି ସତ, କିନ୍ତୁ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଂଚୁଛି ତ?