ହାତଗୋଡ ନାହିଁ ପାଟିରେ ଚିତ୍ର ଆଙ୍କୁଛନ୍ତି ବଲାଙ୍ଗୀରର ପାୟଲ ନାଗ: ପୂର୍ବରୁ ପାୟଲଙ୍କୁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ

211

କନକ ବ୍ୟୁରୋ: ଦୁର୍ଘଟଣା ଡରେଇ ପାରିନି ବରଂ କୁନି ଝିଅକୁ ଆହୁରି ଶକ୍ତ କରିଛି । ଦୁର୍ଘଟଣାରେ ହାତଗୋଡ ହରେଇ ବି ହାରି ନାହାନ୍ତି ବଲାଙ୍ଗୀର ପାର୍ବତୀ ଗିରି ଆଶ୍ରମର ଅନ୍ତେବାସୀ ପାୟଲ ନାଗ । ବରଂ ସେ ଜୀବନ ଯୁଦ୍ଧରେ ଜଣେ ଦକ୍ଷ ସୈନ୍ୟ ଭଳି ଲଢେଇ କରିଛନ୍ତି । ଆଉ ଗୋଟିଏ ପରେ ଗୋଟିଏ ସଫଳତା ପାଇଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା ବେଳେ ଏବେ ମୁହଁରେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଚିତ୍ର ଆଙ୍କି ଚର୍ଚ୍ଚା ସାଉଁଟିଅଛନ୍ତି । ପାୟଲ, ନିଜେ ଚିତ୍ରଟି ଅନୁ ଗର୍ଗଙ୍କୁ ଉପହାର ଦେଇଥିଲେ । ଫଟୋଚିତ୍ରଟି ପାଇବା ପରେ ଟ୍ୱିଟ୍ କରି ପାୟଲକୁ ପ୍ରସଂଶା କରିଛନ୍ତି ଅକ୍ତିରିକ୍ତ ଶାସନ ସଚିବ ଅନୁ ଗର୍ଗ । ବଲାଙ୍ଗୀର ଜିଲ୍ଲାରେ ଦାଦନ ଦୁଃଖର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ପାୟଲ । ୧୦ ବର୍ଷ ତଳେ ମୁରିବାହାଲ ବ୍ଲକ ଯମୁନାବାହାଲ ଗାଁରୁ କାମ ପାଇଁ ବାପାମାଆଙ୍କ ସହ ରାୟପୁର ଯାଇଥିଲା । ସେଠାରେ କାମ କରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଷରେ ଆସି ହାତଗୋଡ ହରେଇଛି ପାୟଲ । ଝିଅ ଦିବ୍ୟାଙ୍ଗ ପାଲଟିଯିବା ପରେ ବାପା-ମାଆ ତାକୁ ଘରେ ଛାଡି ପୁଣି କାମକୁ ଚାଲି ଯାଇଥିଲେ । ସେ ଖବର ଗଣମାଧ୍ୟମରେ ପ୍ରସାରଣ ହେବା ପରେ ବଲାଙ୍ଗୀର ଜିଲ୍ଲାପାଳ ଚଂଚଲ ରଣା, ପାୟଲକୁ ଆଣି ବାଲାଙ୍ଗୀର ପଥରଚେପା ପାର୍ବତୀ ଗିରି ଆଶ୍ରମରେ ରଖିଛନ୍ତି । ଏହାପରେ ଜିଲ୍ଲାପାଳଙ୍କ ପ୍ରୋତ୍ସାହନରେ ପାୟଲ ଏବେ ସଦେଇପାଲି ସ୍କୁଲରେ ପାଠପଢୁଥିବା ବେଳେ ନିଜ ମୁହଁରେ ଖୁବ୍ ସୁନ୍ଦର ଚିତ୍ର ଆଙ୍କୁଛି । ପାୟଲର ସାହାସ ଓ କଳାକୁ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଥିବା ବେଳେ ଏବେ ଉନ୍ନୟନ କମିଶନର ପାୟଲକୁ ପ୍ରଶଂସା କରିଛନ୍ତି । ପାୟଲ ଠାରୁ ପାଇଥିବା ସୁନ୍ଦର ଉପହାର ତାଙ୍କ ହୃଦୟକୁ ଛୁଇଁଛି ବୋଲି ଅନୁ ଗର୍ଗ କହିଛନ୍ତି ।