୧୯୪୯ ସେପ୍ଟେମ୍ବର ୧୮- ୨୦୨୩ ସେପ୍ଟେମ୍ବର ୧୮ ତାରିଖ… ଦୀର୍ଘ ୭୪ ବର୍ଷ ପରେ ପୁଣି ହେବ ଦେଶର ନାମକୁ ନେଇ ତର୍କ… ଜାଣନ୍ତୁ ଏହା ପଛର ଇତିହାସ

215

କନକ ବ୍ୟୁରୋ: ଆମ ଦେଶର ନାଁ ଇଣ୍ଡିଆ ନା ଭାରତ ରହିବ ଆଜିର ସ୍ୱତନ୍ତ୍ର ଅଧିବେଶରେ ଏହା ଉପରେ ତର୍କ ହେବାର ସୂଚନା ରହିଛି । ଏହି ପ୍ରସଙ୍ଗକୁ ନେଇ ଇତିହାସ ବି ରହିଛି । ଦୀର୍ଘ ୭୪ ବର୍ଷ ପୂର୍ବରୁ ଏପରି କିଛି ସଂସଦରେ ଘଟିଥିଲା ଯାହାର ଆଜି ପୁନରାବୃତ୍ତି ହୋଇପାରେ । ହେଲେ ଏହାର ପରିଣାମ କ’ଣ ହେବ ତା ଉପରେ ସମସ୍ତଙ୍କ ନଜର ।

୧୯୪୯ ସେପ୍ଟେମ୍ବର ୧୮ ତାରିଖରେ ସମ୍ବିଧାନ ସଭାରେ ଦେଶର ନାଁକୁ ନେଇ ତର୍କ ହୋଇଥିଲା । ପ୍ରସଙ୍ଗ ଥିଲା ‘ଦେଶର ନାଁ କ’ଣ ହେବ? ଭାରତ କି ଇଣ୍ଡିଆ? ୟା ଭିତରେ ୭୪ ବର୍ଷ ବିତିଯାଇଛି ଆଜି ବି ସେଇ ଦିନ ତାରିଖ, ୨୦୨୩ ସେପ୍ଟେମ୍ବର ୧୮ ତାରିଖ । ଆଜି ପୁଣି ସେହି ଘଟଣାର ପୁନରାବୃତ୍ତି ଘଟିପାରେ । ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଦେଶର ନାମକୁ ନେଇ ତର୍କ ହେବ । ଏନେଇ ସରକାର ପ୍ରସ୍ତାବ ଉପସ୍ଥାପନ ମଧ୍ୟ କରିବାର ସମ୍ଭାବନା ରହିଛି ।

ତେବେ ୭୪ ବର୍ଷ ପୂର୍ବର ସେ ଘଟଣା କ’ଣ ଥିଲା? ୭୪ ବର୍ଷ ପୂର୍ବରୁ ଆଜିର ଦିନରେ ଅଧ୍ୟକ୍ଷ ବି. ଆର ଆମ୍ବେଦରକଙ୍କ ଅଧ୍ୟକ୍ଷତାରେ ଦେଶର ନାମକୁ ଭାରତ ନା ଇଣ୍ଡିଆ ରଖାଯିବ ତା’ ଉପରେ ବିଲ ଆଗତ ହୋଇଥିଲା । ସବୁ ଦେଶର ଗୋଟିଏ ମାତ୍ର ନାଁ ଥିବାବେଳେ ଆମ ଦେଶର ଦୁଇଟି ନାମ କାହିଁକି ରହିବ ବୋଲି ଯୁକ୍ତି ହୋଇଥିଲା । କିନ୍ତୁ ଭୋଟିଂ ସମୟରେ ଏହି ପ୍ରସ୍ତାବ ବିରୋଧରେ ୫୧ଟି ଭୋଟ ପଡିଥିବାବେଳେ ସପକ୍ଷରେ ମାତ୍ର ୩୮ଟି ଭୋଟ ପଡିଥିଲା । ଫଳରେ ଏହି ପ୍ରସ୍ତାବ ଖାରଜ ହୋଇଯାଇଥିଲା ।

ସେ ସମୟରେ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକର ମୁଖ୍ୟ ଏଚବି କାମଥ କହିଥିଲେ ଯେ, ଜନ୍ମ ପରେ ଶିଶୁର ନାମକରଣ ହୁଏ । ଖୁବ ଶୀଘ୍ର ଇଣ୍ଡିଆର ବି ଜନ୍ମ ହେବ ଏବଂ ନାମକରଣ ମଧ୍ୟ ହେବ । ଦେଶର ନାମକୁ ନେଇ ଏକାଧିକ ପ୍ରସ୍ତାବିତ ନାମ ଆସିଥିଲା ଯେଉଁଥିରେ ଥିଲା, ହିନ୍ଦୁସ୍ତାନ, ହିନ୍ଦ, ଭାରତବର୍ଷ, ଭାରତ ଓ ଭାରତଭୂମି ପ୍ରମୁଖ ।