ସୁନ୍ଦରଗଡରେ ଚିନ୍ତା ବଢାଇଲା ସ୍କ୍ରବ୍ ଟାଇଫସ୍ : ପୁଣି ଦିନକରେ ଚିହ୍ନଟ ହେଲେ ୩ ପଜିଟିଭ

1,652

କନକ ବ୍ୟୁରୋ : ସୁନ୍ଦରଗଡ଼କୁ ଟେନସନ ସ୍କ୍ରବ୍ ଟାଇଫସ୍ । ଜିଲ୍ଲାରେ ଆଉ ୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ପରୀକ୍ଷା ପାଇଁ ପଠାଯାଇଥିବା ନମୁନା ମଧ୍ୟରୁ ୩ଟି ନମୁନା ପଜିଟିଭ୍ ଆସିଛି । ଏହା ସହ ଜିଲ୍ଲା ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ସଂଖ୍ୟା ୧୮୩ରେ ପହଞ୍ଚିଛି । ସେହିପରି ଶନିବାର ହୋଇଥିବା ନମୁନା ପରୀକ୍ଷାରେ ୧୧ ଜଣ ପପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାରି ଭିତରେ ଜଣେ ରୋଗୀଙ୍କ ଜୀବନ ନେଇଛି ଏହି ସ୍କ୍ରବ୍ ଟାଇଫସ୍ । ଜିଲ୍ଲା ମୁଖ୍ୟ ଚକିତ୍ସା ଅଧିକାରୀ କହିଛନ୍ତି ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ ମହଜୁଦ ରଖାଯାଇଛି । ଏହା ସହ ସ୍ୱତନ୍ତ୍ର ଡାକ୍ତରୀ ଦଳ ପ୍ରସ୍ତୁତ ହୋଇ ରହିଛନ୍ତି ।

ସାଧାରଣତଃ ଜୁଲାଇରୁ ନଭେମ୍ବର ମାସରେ ସ୍କ୍ରବ୍ ଟାଇଫ୍‌ସ ସଂକ୍ରମଣ ଦେଖିବାକୁ ମିଳିଥାଏ । ଚିଗର୍ସ ନାମକ ଏକ କୀଟ କାମୁଡ଼ିବା ଦ୍ବାରା ଲୋକଙ୍କ ଶରୀରରେ ସଂକ୍ରମଣ ଆରମ୍ଭ ହୋଇଥାଏ। ଟିଙ୍କ ଜାତୀୟ ଏହି ଅତି କ୍ଷୁଦ୍ର କୀଟ ସର୍ବସାଧାରଣ ପୋଖରୀ, ଜଙ୍ଗଲ ଓ ଚାଷ ଜମିରେ ଦେଖିବାକୁ ମିଳିଛି । ପୋଖରୀ, ବିଲ କି ଜଙ୍ଗଲକୁ ଯାଉଥିବା ଲୋକେ ଏହି କୀଟ ଦଂଶନର ଶିକାର ହେଉଛନ୍ତି । ଏଥିରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ତୀବ୍ର ଜ୍ବର ସାଙ୍ଗକୁ ମୁଣ୍ଡ ବୁଲାଇବା, ମାଂସପେଶୀ ଦରଜ ହୋଇଥାଏ । କୀଟ କାମୁଡ଼ିଥିବା ସ୍ଥାନର ଚର୍ମ କୁଣ୍ଡେଇ ହେବା ସହ କିଛି ସମୟ ପ‌ରେ କଳା ପଡ଼ିଯାଏ । ପରେ ପରେ ରୋଗୀ ଜ୍ବରରେ ପଡ଼େ। ଲକ୍ଷଣ ପ୍ରକାଶ ପାଇବା କ୍ଷଣି ଠିକ ସମୟରେ ପରୀକ୍ଷା କରି ଚିକିତ୍ସା କରାଗଲେ ରୋଗୀଙ୍କ ଜୀବନ ବିପଦମୁକ୍ତ ହୋଇଥାଏ ବୋଲି କହିଛନ୍ତି ଡାକ୍ତର ।