ହାଇକୋର୍ଟଙ୍କ ନିର୍ଦ୍ଦେଶ ବାହାନାରେ ହାକିମାତି : ପାର୍କିଂ ଫି ନାଁରେ ପୁଣି ଲୁଟ୍ ଆରମ୍ଭ । ଏସପ୍ଲାନେଡ ୱାନ୍ ଓ ବିଏମସି ଭବାନୀ ମଲରେ ଯାତ୍ରୀଙ୍କ ଠାରୁ ବେଧଡକ ପାର୍କିଂ ଫି ଆଦାୟ ।

205

କନକ ବ୍ୟୁରୋ : କିଛି ଦିନ ଧରି ଭୁବନେଶ୍ୱରର ସପିଂ ମଲ୍ ଓ ମଲଟିପ୍ଲେକ୍ସ ଭଳି ଉଚ୍ଚ ଅଟ୍ଟାଳିକା ଗୁଡ଼ିକରେ ପାର୍କିଂ ଫି ଆଦାୟ ବନ୍ଦ ହେବା ପରେ ଏବେ ପୁଣି ଥରେ କିଛି ମଲ୍ ପାର୍କି ଫି ଆଦାୟ କରିବା ଆରମ୍ଭ କରିଦେଇଛନ୍ତି । ହାଇକୋର୍ଟ ନିର୍ଦ୍ଦେଶ ବାହାନାରେ ଏମାନେ ପାର୍କିଂ ଫି ଆଦାୟ କରୁଥିବା କହୁଥିବା ବେଳେ କେବଳ ଏହି ମଲ ଗୁଡ଼ିକ ବିରୋଧରେ ବିଡିଏ କୌଣସି ବଳପୂର୍ବକ କାର୍ଯ୍ୟାନୁଷ୍ଠାନ ନନେବାକୁ କୋର୍ଟ କହିଥିବା ବିଡିଏ କହିଛି ।

ଭୁବନେଶ୍ୱରର ସବୁଠାରୁ ବଡ଼ ମଲ୍ ଏସପ୍ଲାନେଡ୍ ୱାନ । ବିଡିଏର ନୋଟିିସ୍ ପରେ ଅକ୍ଟୋବରରୁ ଏଠାରେ ପାର୍କିଂ ଫି ବା ପାର୍କିଂ ଫାସିଲିଟେସନ୍ ଚାର୍ଜ ଆଦାୟ ବନ୍ଦ ହୋଇଯାଇଥିଲା । ହେଲେ ଏବେ ପୁଣି ଥରେ ପାର୍କିଂ ଫି ନେବା ଆରମ୍ଭ ହୋଇଯାଇଛି । ବାଇକଠାରୁ ୧୦ ଟଙ୍କା ଓ କାର୍ ପିଛା ୨୦ ଟଙ୍କା ପାର୍କିଂ ଫି ଆଦାୟ କରାଯାଉଛି । ହାଇକୋର୍ଟ ନିର୍ଦ୍ଦେଶ ବାହାନାରେ ମଲଗୁଡ଼ିକ ଏଭଳି ପାର୍କିଂ ଫି ଆଦାୟ କରୁଛନ୍ତି ।

ଭୁବନେଶ୍ୱରର ଅନ୍ୟ ଏକ ବଡ଼ ମଲ୍ ବିଏମସି ଭବାନୀ ମଲ୍ । ଏଠାରେ ମଧ୍ୟ କିଛି ଦିନ ହେଲା ଆରମ୍ଭ ହୋଇଯାଇଛି ପାର୍କି ଫି କଲେକ୍ସନ । ଗ୍ରାହକଙ୍କ ଠାରୁ ବାଇକ୍ ପିଛା ୧୦ ଟଙ୍କା ଏବଂ କାର୍ଠାରୁ ୩୦ ଟଙ୍କା ନିଆଯାଉଛି ।

ବିଭିନ୍ନ ସପିିଂ ମଲ୍, ହାଇରାଇଜ୍ ବିଲଡିଂ, ମଲଟିପ୍ଲେକ୍ସ, ହସ୍ପିଟାଲ, ହାଉସିଂ ପ୍ରୋଜେକ୍ଟ ଓ ଆପାର୍ଟମେଂଟ୍ ଭିତରେ ଥିବା ପାର୍କିଂ ଜାଗାରେ କୌଣସି ପାର୍କିଂ ଫି ନିଆଯାଇପାରିବ ନାହିଁ ଓ ତାହା ବେଆଇନ ବୋଲି ବିଡିଏ ଅକ୍ଟୋବର ମାସରେ ନୋଟିସ୍ ଜାରି କରିଥିଲା । ବିଡିଏର ବିଲଡିଂ ପ୍ଲାନିଂ ଆଣ୍ଡ୍ ବିଲ୍ଡିଂ ଷ୍ଟାଣ୍ଡାର୍ଡସ୍ ରେଗୁଲେସନସ, ୨୦୧୮ ଅନୁଯାୟୀ, ବିଲଡିଂ ତିଆରି ବେଳେ ଏ ନେଇ ମଲଗୁଡ଼ିକୁ ସରକାରୀ ଦେୟରେ ରିହାତି ମିଳୁଥିବାରୁ କୌଣସି ନାଁରେ ପାର୍କିଂ ଫି ଆଦାୟ କରାଯାଇପାରିବ ନାହିଁ ବୋଲି ବିଡିଏ କହିଥିଲା । ନୂଆ ବର୍ଷ ପୂର୍ବରୁ ପୁଣି ଫେରିଛି ପାର୍କିଂ ଫି ଆଦାୟ । ଯାହାକୁ ନେଇ ମାସକ ତଳେ ଶାନ୍ତ ପଡିଥିବା ପ୍ରତିବାଦ ପୁଣି ଜୋର ଧରିବା ଆଶଙ୍କା କରାଯାଉଛି ।