ବିନା ଟଙ୍କାରେ ସ୍ୱଚ୍ଛତାକୁ ପ୍ରସଙ୍ଗ କରି ଲଢେଇ: ରେଙ୍ଗାଳି ବିଧାନସଭା ନିର୍ବାଚନ ମଣ୍ଡଳିର ବିଧାନସଭା ପ୍ରାର୍ଥୀ ସୁଦର୍ଶନ ହରିପାଲ, ଲୋକଙ୍କ ଆଶୀର୍ବାଦ ନେଇ ଲଢେଇ କରିବାକୁ ଆଗଭର ସୁଦର୍ଶନ

116

କନକ ବ୍ୟୁରୋ: ସ୍ୱଚ୍ଛତାକୁ କରିଛନ୍ତି ପ୍ରସଙ୍ଗ । ଅଭାବ ଭିତରେ ଥାଇ ବି ପ୍ରଚାର ମଇଦାନରେ ଲଢେଇ ପାଇଁ ପ୍ରସ୍ତୁତ । ନିର୍ଭୀକ ଭାବେ ଲଢେଇ କରିବେ ରେଙ୍ଗାଳି ବିଧାନସଭା ନିର୍ବାଚନ ମଣ୍ଡଳିର ବିଧାନସଭା ପ୍ରାର୍ଥୀ ସୁଦର୍ଶନ ହରିପାଲ । ନିର୍ବାଚନ ସମୟରେ ମାଳ ମାଳ ପ୍ରାର୍ଥୀ ନେତା ପ୍ରଚୁର ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଜେଡି ପ୍ରାର୍ଥୀ ସୁଦର୍ଶନ ଲୋଡିଛନ୍ତି ସମର୍ଥକଙ୍କ ଆଶୀର୍ବାଦ । ଆଜବେଷ୍ଟସ ଘରେ ଅଭାବ ଭିତରେ ରହୁଥିବାବେଳେ ନିଜ ସ୍ୱଚ୍ଛତାକୁ ବଜାୟ ରଖି ଗରିବଙ୍କ ଯୋଦ୍ଧା ପାଲଟିବାକୁ କହିଛନ୍ତି ।

ସବୁଠି ନିର୍ବାଚନୀ ମାହୋଲ ବେଶ ସରଗରମ । ନିର୍ବାଚନ କଥା ଆସିଲେ ନେତାଙ୍କ ନେତା ମନ୍ତ୍ରୀଙ୍କ ସମ୍ପତି କଥା ସାମନାକୁ ଆସିଯାଏ । ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରି ପ୍ରଚାର କରୁଥିବା ପ୍ରାର୍ଥୀଙ୍କ ମୁହଁ ସାମନାକୁ ଆସିଯାଏ । ହେଲେ ଏମିତି ଜଣେ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଯିଏକି ସ୍ୱଚ୍ଛତାକୁ ନିଜ ମୁଦ୍ଦା ବନେଇଛନ୍ତି । ଅଭାବ ଭିତରେ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ନେଇ ଭଙ୍ଗା ଆଜବେଷ୍ଟସ ଘରେ ବିତୁଛି ଜୀବନ । ବ୍ୟାଙ୍କ ବାଲାନ୍ସ ବି ଶୂନ । ସ୍ୱଚ୍ଛତା ଓ ଲୋକ ସମର୍ଥନ ପାଇଁ ସେ ଗରିବ ଯୋଦ୍ଧା ପାଲଟିଛନ୍ତି । ରେଙ୍ଗାଳି ବିଧାନସଭା ନିର୍ବାଚନ ମଣ୍ଡଳିର ଚଳିତଥରର ବିଧାନସଭା ପ୍ରାର୍ଥୀ ସୁଦର୍ଶନ ହରିପାଲ । ଅଭାବ ଭିତରେ ରହୁଥିବା ସୁଦର୍ଶନଙ୍କ ପାଖରେ ସମ୍ବଳ ନାହିଁ । ତାପରେ ବି ନିଜେ ସ୍ୱଚ୍ଛତାକୁ ବଜାୟ ରଖି ନିର୍ବାଚନ ଲଢିବାର ଝୁଙ୍କ୍ ରଖିଛନ୍ତି । ସ୍ୱଚ୍ଛତାକୁ ମୁଦ୍ଦା କରି ପ୍ରଚାର ମଇଦାନକୁ ଆସିବାର ରଖିଛନ୍ତି ପ୍ରତିଶ୍ରୁତି ।

ଦିନ ଥିଲା ସୁଦର୍ଶନ ବିଜେଡି ପାଇଁ ପୋଷ୍ଟର ଲଗାଇ ପରିବାର ଚଳାଉଥିଲେ । ସାଙ୍ଗଠନିକ ଦକ୍ଷତା ଦେଖି ତାଙ୍କୁ ଜିଳ୍ଲାପରିଷଦ ପ୍ରାର୍ଥୀ କରାଯାଇଥିଲା । ତାରି ଭିତରେ ଏକ କମ୍ପାନୀରେ କାମ କରି ସ୍ୱଳ୍ପ ବେତନରେ ଚଳାଉଛନ୍ତି ପରିବାର । ଲୋକଙ୍କ ଭଲପାଇବା ଓ ସମର୍ଥନ ହେୁଉଛି ତାଙ୍କର ବଡ ସମ୍ପତି । ଆଉ ଏହି ସମ୍ପତିକୁ ନେଇ ଆଗକୁ ଲଢେଇ ଜାରି ରଖିବେ ବୋଲି ଦୃଢମନା ହାଇ ରହିଛନ୍ତି ସୁଦର୍ଶନ । ତାଙ୍କ ସହ ପରିବାର ମଧ୍ୟ ବେଶ ସମର୍ଥନ ଜଣାଇଛନ୍ତି । ଅଭାବ ଭିତରେ ବି ସ୍ୱଚ୍ଛତାକୁ ପ୍ରସଙ୍ଗ କରି ପ୍ରଚାର ମଇଦାନରେ ନିଜ ସମର୍ଥକଙ୍କ ସମର୍ଥନ ମିଳିବାର ବିଶ୍ୱାସ ରଖିଛନ୍ତି ସୁଦର୍ଶନ ।