ଦେଶ ଦେଖିବ ଓଡିଶାର କଳାସଂସ୍କୃତି: ୨ ବର୍ଷ ପରେ ଦିଲ୍ଲୀରେ ଗଡିବ ଓଡିଶାର ପ୍ରଜ୍ଞାପନ ମେଢ । ରାଜଧାନୀ ରାଜପଥରେ ପ୍ରଦର୍ଶିତ ହେବ ଲିଙ୍ଗରାଜ ମନ୍ଦିର ସହ ରୁକୁଣା ରଥ

231

କନକ ବ୍ୟୁରୋ: ଦିଲ୍ଲୀରେ ଦିଶିବ ଓଡି଼ଶାର ପ୍ରଜ୍ଞାପନ ମେଢ । ରାଜଧାନୀ ରାଜପଥରେ ପ୍ରଦର୍ଶିତ ହେବ ଲିଙ୍ଗରାଜ ମନ୍ଦିର ସହ ରୁକୁଣା ରଥ । ଗଣତନ୍ତ୍ର ଦିବସରେ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିବ ଓଡିଶାର କଳା ସଂସ୍କୃତି ଓ ପରମ୍ପରାର ଝଲକ । କୋଟି କୋଟି ଦର୍ଶକଙ୍କୁ ଆକର୍ଷିତ କରିବ ଓଡିଶାର ପ୍ରଜ୍ଞାପନ ମେଢ । ପ୍ରଥମଥର ପାଇଁ ପ୍ରଦର୍ଶିତ ହେବ ଐତିହାସିକ ଲିଙ୍ଗରାଜ ମନ୍ଦିର ଓ ଅଶୋକାଷ୍ଟମୀରେ ଗଡୁଥିବା ଲିଙ୍ଗରାଜଙ୍କ ରୁକୁଣା ରଥ ।

ରାଜପଥରେ ୧୧ଶହ ଖ୍ରୀଷ୍ଟାବ୍ଦର କାରୁକାର୍ଯ୍ୟପୂର୍ଣ୍ଣ ମହାଦେବ ଲିଙ୍ଗରାଜ ମନ୍ଦିରର ପ୍ରତିକୃତିକୁ ଦେଖିବ ସାରା ଭାରତ । ତାସହ ପ୍ରଦର୍ଶିତ ହେବ ଓଡିଶାର ଇତିହାସ ବଖାଣୁଥିବା ରୁକୁଣା ରଥଯାତ୍ରା । ଓଡିଶାର ପ୍ରଜ୍ଞାପନ ମେଢରେ ମହାପ୍ରଭୁଙ୍କ ଓଲଟ, ଚାମର ବି ରହିବ । ତାସହ ଶୋଭା ପାଇବ ମହାଦେବଙ୍କ ବାହନ ନନ୍ଦି । ଓଡିଶୀ ନୃତ୍ୟ କଳାର ନିଦର୍ଶନ, ସାରା ଭାରତକୁ ଓଡିଶାର କଳା, ସଂସ୍କୃତି ଓ ପରମ୍ପରାର ବାର୍ତ୍ତା ଦେବ ।

ତେବେ ପୂର୍ବରୁ ୨୦୦୯ରେ ରାଜପଥରେ ପ୍ରଦର୍ଶିତ ହୋଇଥିଲା ଖଣ୍ଡଗିରି ଓ ଉଦୟଗିରି ଗୁମ୍ପା । ୨୦୧୬ରେ ଦେଖିବାକୁ ମିଳିଥିଲା ବୋଇତ ବନ୍ଦାଣ ଓ ନୌବାଣିଜ୍ୟ ପରମ୍ପରାର ପ୍ରଜ୍ଞାପନ ମେଢ । ସେହିପରି ୨୦୧୭ରେ ଓଡିଆ ପର୍ବ ଦୋଳ ମେଲଣ ଦେଖାଯାଇଥିଲା । ମାତ୍ର ଗତ ଦୁଇ ବର୍ଷ ହେଲା ରାଜପଥରେ ଦେଖିବାକୁ ମିଳିନଥିଲା ଓଡିଶାର ପ୍ରଜ୍ଞାପନ ମେଢ । ହେଲେ ଏଥର ଗଣତନ୍ତ୍ର ଦିବସରେ ଓଡିଶାର ସମ୍ମାନ ଓ ସ୍ୱାଭିମାନର ପ୍ରତୀକକୁ ଦେଖିବ ସାରାଦେଶ ।