ନୂଆ ପ୍ରକାର ଆଣବିକ ଅସ୍ତ୍ରଶସ୍ତ୍ର ତିଆରି କରୁଛି ପାକିସ୍ତାନ ! ଆମେରିକାର ଗୁଇନ୍ଦା ବିଭାଗ ଦେଲା ସୂଚନା

33

କନକ ବ୍ୟୁରୋ : ପାକିସ୍ତାନ ନୂଆ ପ୍ରକାରର ଆଣବିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିବା କଥା ମଙ୍ଗଳବାର ଦିନ ଆମେରିକାର ଗୁଇନ୍ଦା ମୁଖ୍ୟ ସୂଚାଇ ଦେଇଛନ୍ତି । ପାକିସ୍ତାନ ନୂଆ ଧରଣର ଆଣବିକ ଅସ୍ତ୍ର ତିଆରି କରୁଛି ଏବଂ ଏଥିରେ ସ୍ୱଳ୍ପ-ଦୂରଗାମୀ ଲକ୍ଷଭେଦୀ ଅସ୍ତ୍ରଶସ୍ତ୍ର ଅନ୍ତର୍ଭୁକ୍ତ ବୋଲି ବିଶ୍ୱବ୍ୟାପୀ ବିପଦ ସମ୍ବନ୍ଧରେ ଗୁଇନ୍ଦା ତଥ୍ୟ ଉପରେ ସିନେଟ୍ ସିଲେକ୍ଟ୍ କମିଟି ଆୟୋଜିତ କରିଥିବା କଂଗ୍ରେସୀୟ ବୈଠକରେ ସାଂସଦମାନଙ୍କୁ ଜାତୀୟ ଗୁଇନ୍ଦାର ନିର୍ଦେଶକ ଡାନ୍ କୋଷ୍ଟସ୍ କହିଛନ୍ତି ।

ଉନ୍ନତମାନର ସ୍ୱଳ୍ପ-ଦୂରଗାମୀ ଲକ୍ଷଭେଦୀ ଅସ୍ତ୍ର, ସାମୁଦ୍ରିକ କ୍ରୁଜ୍ କ୍ଷେପଣାସ୍ତ୍ର, ଆକାଶମାର୍ଗରୁ ଛାଡ଼ି ହେଉଥିବା କ୍ଷେପଣାସ୍ତ୍ର, ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଓ ଅନ୍ୟାନ୍ୟ ନୂତନ ପ୍ରକାରଣ ଆଣବିକ ଅସ୍ତ୍ରଶସ୍ତ୍ର ପାକିସ୍ତାନ ଉତ୍ପାଦନ କରୁଛି ବୋଲି ସେ କହିଛନ୍ତି । ଏହି ଅସ୍ତ୍ରଶସ୍ତ୍ର ସମ୍ପୃକ୍ତ ଅଞ୍ଚଳରେ ନୂତନ ବିପଜ୍ଜନକ ବାତାବରଣ ସୃଷ୍ଟି କରିବା ସହ ନିରାପତ୍ତା ବ୍ୟବସ୍ଥା ବଢ଼ାଇବାକୁ ବାଧ୍ୟ କରିଛି । କୋଷ୍ଟସ୍ ସତର୍କ କରାଇ କହିଛନ୍ତି ଯେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ଭାରତ ମଧ୍ୟରେ ଆକ୍ରମଣ ଚାଲୁ ରଖିବେ । ଫଳତଃ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିବ ।

ସେପଟେ ଭାରତକୁ ଧମକ ଦେଲା ପାକିସ୍ତାନ । ଭାରତ ଯଦି କୌଣସି ଦୁଃସାହସ କରେ ତେବେ ତାକୁ ତା ନିଜ ଭାଷାରେ ଜବାବ ଦେବ ପାକିସ୍ତାନ । ଏପରି ଧମକ ଦେଇଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୁରମ ଦସ୍ତାଗିର । ଏହା ସହ ଆତଙ୍କବାଦୀଙ୍କୁ କଶ୍ମୀର ସଂଗ୍ରାମୀ ବୋଲି ଆଖ୍ୟା ଦେଇଛନ୍ତି ଦସ୍ତାଗିର । ଆଉ କହିଛନ୍ତି, କଶ୍ମୀର ସ୍ୱାଧିନତା ପାଇଁ ଲଢୁଥିବା ସଂଗ୍ରାମୀଙ୍କ ଆକ୍ରମଣ ପାଇଁ ଭାରତ ପାକିସ୍ତାନକୁ ଦାୟୀ କରୁଛି । କିନ୍ତୁ ଯଦି ଭାରତ ପକ୍ଷରୁ ଏପରି କୌଣସି ପଦକ୍ଷେପ ନିଆଯାଏ ତେବେ ପାକିସ୍ତାନ ଚୁପ୍ ରହିବନି । ଭାରତ ଆମ ଉପରେ ଦୋଷ ଲଦିବା ପରିବର୍ତେ ନିଜ ଦେଶରୁ ଚଳାଇଥିବା ଗୁଇନ୍ଦାଗିରି ବନ୍ଦ କରିବା ଉଚିତ ବୋଲି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଦସ୍ତାଗିର । ଶ୍ରୀନଗର ଆର୍ମି କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ପାକିସ୍ତାନକୁ ସର୍ଜିକାଲ ଷ୍ଟ୍ରାଇକ୍ ଆବଶ୍ୟକ ବୋଲି କହିଥିଲେ । ଏହାର ଜବାବରେ ପାକିସ୍ତାନ ପକ୍ଷରୁ ଏପରି ପାଲଟା ଧମକ ଦିଆଯାଇଛି ।