ପାଖଉଛି ପଦ୍ମପୁର ଭୋଟ। ବିଜେପି-ବିଜେଡି ନେତା ମଧ୍ୟରେ ଜୋର ଧରିଲା ଟୁଇଟ୍ ୱାର। 

350

କନକ ବ୍ୟୁରୋ: ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚ୍ୟାଲେଞ୍ଜ ପରେ, ସାଂସଦ ସସ୍ମିତ ପାତ୍ରଙ୍କ ଟୁଇଟରୁ ଆରମ୍ଭ ହୋଇଛି ଟୁଇଟ୍ ୱାର । ସସ୍ମିତଙ୍କ ଟୁଇଟ୍ ପରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ସିରିଜ୍ ଟୁଇଟ୍ କରି ପାଲଟା ପ୍ରଶ୍ନ ପଚାରିଛନ୍ତିି ।

  ସସ୍ମିତ ଟୁଇଟ୍ କରି ଲେଖିଥିଲେ, ଗତ ୨୨ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଓଡି଼ଶାବାସୀ ବିଶ୍ୱାସ କରି ଆସୁଛନ୍ତି । ସାଢ଼େ ୪ କୋଟି ଓଡି଼ଆ ତାଙ୍କୁ ୨୨ବର୍ଷ ଧରି ଆର୍ଶୀବାଦ କରି ଆସୁଛନ୍ତିି । ପଦ୍ମପୁରବାସୀ ନବୀନଙ୍କ ଉପରେ ପୂରା ବିଶ୍ୱାସ ରଖିଛନ୍ତି । ପଦ୍ମପୁରକୁ ଜିଲ୍ଲା ଘୋଷଣା ପାଇଁ ରାତି ଅଧିଆ କ୍ୟାବିନେଟ୍ ବୈଠକର କୌଣସି ଆବଶ୍ୟକତା ନାହିଁ । ଏନେଇ ଅବଗତ ନାହାଁନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସସ୍ମିତଙ୍କ ଟୁଇଟର ଜବାବ ରଖି ସୁର୍ଯ୍ୟବଂଶୀ ଲେଖିଛନ୍ତି, ‘ଭାଇ ଆପଣ ବୋଧେ ଅବଗତ ନାହାଁନ୍ତି, ୨୨ ବର୍ଷ ଧରି ସାଢେ ୪ କୋଟି ଓଡ଼ିଆ ବିଶ୍ୱାସଘାତକତାର ଶିକାର ହେଉଛନ୍ତି । ଓଡ଼ିଶାରେ ନୂଆ ଜିଲ୍ଲା ଗଠନ କରିବା ପାଇଁ କୌଣସି ପ୍ରସ୍ତାବ ନଥିବା ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଧାନସଭାରେ ଉତ୍ତର ରଖିଛନ୍ତି । ଯାହା ସ୍ପଷ୍ଟ କରୁଛି ପଦ୍ମପୁର ଉପନିର୍ବାଚନ ଜିତିବା ପାଇଁ ପଦ୍ମପୁରକୁ ଜିଲ୍ଲା ଘୋଷଣା ନେଇ ମୁଖ୍ୟମନ୍ତ୍ରୀ ମିଛ ପ୍ରତିଶ୍ରୁତି ଦେଇଥିଲେ’ ।  ମୁଖ୍ୟମନ୍ତ୍ରୀଙ୍କ ମନଗଢା କଥା ଲୋକେ ବୁଝିଗଲେଣି । କାଳିଆ ଯୋଜନାରେ ୧୦ ହଜାର ଟଙ୍କା ଦେବାକୁ କହି ୪ ହଜାର ଟଙ୍କା ଦିଆଯାଉଛି । ସାଢ଼େ ଚାରି କୋଟି ଓଡି଼ଆ ୨୨ ବର୍ଷ ହେଲା ଅବହେଳିତ ହେଉଛନ୍ତି । ଯଦି ଆପଣ ସଧାରଣ ଓଡ଼ିଆ ଭାଷାକୁ ବୁଝିପାରୁନାହାଁନ୍ତି ତେବେ ଏହା ସବୁଠୁ ଚିନ୍ତାଜନକ ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସୁରଜ ଲେଖିିଛନ୍ତି, ଧାନର ସର୍ବନିମ୍ନ ମୂଲ୍ୟ ଉପରେ କୁଇଁଣ୍ଟାଲ ପିଛା ଅଧିକ ଶହେ ଟଙ୍କା ଦେବାକୁ ଆପଣ ଘୋଷଣା କରିଥିଲେ, ଆଶା କରୁଛି ଆପଣମାନେ ରଖିଥିବେ । କିନ୍ତୁ ମିଛ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିବା, ୨୨ ବର୍ଷ ହେଲା ସରକାରଙ୍କ ଅଭ୍ୟାସରେ ପରିଣତ ହୋଇଛି । ତେଣୁ କାହାକୁ ଟାର୍ଗେଟ କରିବା ବଦଳରେ ପ୍ରତିଶ୍ରୁତି ପୂରଣ କରିବାକୁ ଆପଣଙ୍କ ନେତାଙ୍କୁ କୁହନ୍ତୁ  ।

ପଦ୍ମପୁରକୁ ନବୀନଙ୍କ ଗସ୍ତ ପୂର୍ବରୁ ନିର୍ବାଚନୀ ସଭାରୁ ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କ ଏହି ଚ୍ୟାଲେଞ୍ଜ ପରେ ସସ୍ମିତ ପ୍ରଶ୍ନ ଉଠାଇଥିଲେ । କିନ୍ତୁ ଏହାରି ଭିତରେ ବିଧାନସଭାରେ ଗୁରୁବାର, ନୂଆ ଜିଲ୍ଳା ଗଠନ ନେଇ କିଛି ପ୍ରସ୍ତାବ ଅଛି କି ପ୍ରଶ୍ନ ପଚାରିଥିଲେ ବିଜେଡି ବିଧାୟକ । ଯାହାର ଉତ୍ତର ରଖି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ ନୂଆ ଜିଲ୍ଲା ଗଠନ ନେଇ ବତ୍ତର୍ତ୍ତମାନ କୌଣସି ପ୍ରସ୍ତାବ ନାହିଁ । ଯାହାକୁ ନେଇ ସସ୍ମିତଙ୍କୁ  ଘେରିଛନ୍ତିି ସୂରଜ ।