ବିକ୍ରି ହୋଇଗଲା କି କଂଗ୍ରେସ ଭୋଟ୍? ପକେଟ୍ ଗରମ କରୁଛି ଉପ-ନିର୍ବାଚନ? କଂଗ୍ରେସ ରାଜନୀତିରେ ‘ପଦ୍ମପୁର’ ଝଡ଼

171

କନକ ବ୍ୟୁରୋ: କଂଗ୍ରେସ ରାଜନୀତିରେ ‘ପଦ୍ମପୁର’ ଝଡ଼ । ଉପ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳୀୟ ନେତାଙ୍କ ଭିତରେ ଦେଖିବାକୁ ମିଳିଛି ଗଭୀର ଅସନ୍ତୋଷ । କାହିଁକି ହାରିଲେ, କେଉଁଠି ରହୁନି ସମନ୍ୱୟ, ଏଥିପାଇଁ ରାଜ୍ୟ ନେତୃତ୍ୱ ଦାୟୀ ନା କେନ୍ଦ୍ରୀୟ ନେତୃତ୍ୱ ଦାୟୀ, ସେନେଇ ବିସ୍ଫୋରକ ବୟାନ ଦେଇଛନ୍ତି ଦଳୀୟ ନେତା ।

ପଦ୍ମପୁର ଉପ-ନିର୍ବାଚନରେ କଂଗ୍ରେସ ଦଳ ଅତି ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ପ୍ରଶ୍ନ ଉଠାଇଛନ୍ତି ଦଳୀୟ ନେତା । ନିଜ ନିଜ ଢଙ୍ଗରେ ପରାଜୟର ପୋଷ୍ଟମର୍ଟମ୍ କରି ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ୱକୁ ଦାୟୀ କରିଛନ୍ତି । ଦଳର ବରିଷ୍ଠ ନେତାଙ୍କ ଏହି ଅସନ୍ତୋଷ ପଛରେ ରହିଛି ପଦ୍ମପୁର ପରିଣାମ ।

କଂଗ୍ରେସର ସ୍ଥିତି ଏଭଳି ସ୍ତରକୁ ଖସି ଆସିଛି ଯେ, ଦଳର ପ୍ରତିଦ୍ୱନ୍ଦ୍ୱୀଙ୍କୁ ନୋଟା ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିଛି । ପଦ୍ମପୁର ଉପ-ନିର୍ବାଚନରେ ନୋଟାରେ ୨୦୮୭ ଭୋଟ୍ ପଡ଼ିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପାଇଛନ୍ତି ୩୫୯୪ ଭୋଟ୍ । ଅର୍ଥାତ୍ କଂଗ୍ରେସ ପ୍ରାର୍ଥୀ ୧.୭୩% ଭୋଟ୍ ପାଇଥିବା ବେଳେ ନୋଟାକୁ ମିଳିଛି ୧% ଭୋଟ୍ ।

ଭୋଟ ଗଣିତର ଏହି ସଂଖ୍ୟା କଂଗ୍ରେସ ରାଜନୀତିରେ ନିଆଁ ଲଗାଇ ଦେଇଛି । କଟକ-ବାରବାଟୀ ବିଧାୟକ, ମହମ୍ମଦ ମୋକିମ୍ କହିଛନ୍ତି, ଉପ-ନିର୍ବାଚନ କିଛି ଲୋକଙ୍କୁ ଖୁସି କରୁଛି ଏବଂ ତାଙ୍କ ପକେଟ୍ ଗରମ କରୁଛି । ଯଦି ସମ୍ବଳ ନାହିଁ କାହିଁକି ପ୍ରାର୍ଥୀ ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ସମାନ ଢ଼ଙ୍ଗରେ ପ୍ରଶ୍ନ ଉଠାଇଛନ୍ତି ଜୟପୁର ବିଧାୟକ । ତାରା ପ୍ରସାଦ ବାହିନୀପତି କହିଛନ୍ତି, କଂଗ୍ରେସର ଭୋଟ୍ ବିଜେଡିକୁ ଯାଇଛି । ଲୋକେ କହୁଛନ୍ତି, କଂଗ୍ରେସ ଭୋଟ୍ ବିକି ଖାଇଦେଲେ । ଯଦି ଏହିଧାରା ଜାରି ରୁହେ, ଦଳ ଲୋପ ପାଇଯିବ ବୋଲି ତାରା କହିଛନ୍ତି । ତେବେ ଦଳ ବିକ୍ରି ହୋଇଯିବା କଥାରେ ଏକମତ ହୋଇନାହାଁନ୍ତି କଂଗ୍ରେସ ନେତା ଗଣେଶ୍ୱର ବେହେରା ।

କଂଗ୍ରେସର ଦଳୀୟ ନେତାଙ୍କ ଏହି ବୟାନବାଜି ଉଭୟ ବିଜେଡି ଓ ବିଜେପିକୁ କଟାକ୍ଷ କରିବାର ସୁଯୋଗ ଆଣି ଦେଇଛି । ୨୦୨୪ରେ ଓଡ଼ିଶା କଂଗ୍ରେସ ଦୌଡ଼ରୁ ବାହାରିଯିବ ବୋଲି ଜୟ ନାରାୟଣ ମିଶ୍ର କହିଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି, କଂଗ୍ରେସ ଭୋଟ୍ ବିଜେଡିକୁ ନୁହେଁ ବିଜେପିକୁ ଯାଇଛି । ତେବେ ନେତାଙ୍କ ଏହି ବୟାନବାଜି ଭିତରେ ଗୋଟିଏ କଥା ହୁଏତ ସ୍ପଷ୍ଟ ଯେ, ପଦ୍ମପୁର ନିର୍ବାଚନ କଂଗ୍ରେସ ଦଳ ପାଇଁ ଏକ ସତର୍କଘଣ୍ଟି । ବେଳ ଥାଉଥାଉ କଂଗ୍ରେସ ବନ୍ଧ ନବାନ୍ଧିଲେ ହୁଏତ ୨୦୨୪ରେ କଂଗ୍ରେସକୁ ଆହୁରି ସଂଘର୍ଷ କରିବାକୁ ପଡ଼ିବ ।