ଅନାଥ ଭାଇ-ଭଉଣୀଙ୍କୁ ସାହା ହୁଅନ୍ତୁ ସରକାର । ବାପା-ମାଆଙ୍କ ମୃତ୍ୟୁ ପରେ ପର ଘରେ କାମ କରି ପେଟ ପୋଷୁଛନ୍ତି ରୁବି ଓ ରାକେଶ । ଅଧାରେ ଅଟକିଛି ପାଠପଢା ।

118

କନକ ବ୍ୟୁରୋ: ଯେତେବେଳେ ପିଲାଙ୍କ ମୁଣ୍ଡ ଉପରୁ ବାପା-ମାଆଙ୍କ ହାତ ହଟିଯାଏ, ସେମାନେ ହତବାକ୍ ହୋଇଯାଆନ୍ତି । ସେମାନଙ୍କ ଦୁନିଆରେ ଘନ ଅନ୍ଧାର ଘୋଟିଯାଏ, ଆଗକୁ କେମିତି ବଢିବେ, କଣ କରିବେ କିଛି ବାଟଘାଟ ପାଆନ୍ତି ନାହିଁ । ଠିକ୍ ସେମିତି ଏବେ ବାଟବଣା ହୋଇ ଯାଇଛନ୍ତି ଢେଙ୍କାନାଳ ଜିଲ୍ଲା ମୁଣ୍ଡିଆପଶି ଗାଁର ଦୁଇ ଅନାଥ ଭାଇ ଭଉଣୀ ରୁବି ଓ ରାକେଶ ।

ବାପା ମା’ ଦୁଇ ଜଣ ପରପାରିକୁ ଚାଲିଯିବା ପରେ ପର ଘରେ ପାଇଟି କରି, ଗାଈ ଚରାଇ ଜୀବନ ଜିଉଁଛନ୍ତି ଦୁଇ ଭାଇ ଭଉଣୀ । ଏତିକିରେ ଦୁଃଖ ସରି ଯାଇନି, ମୁଣ୍ଡ ଗୁଞ୍ଜିବାକୁ ଥିବା ବାସ ବି ବାତ୍ୟାରେ ଭାଙ୍ଗି ଯାଇଛି । ଯାହାକୁ ନେଇ ଦୁଇ ଭାଇ ଭଉଣୀ ଏବେ ଦୁଃଖ ଭିତରେ ସମୟ କାଟୁଛନ୍ତି ।

ଦାରିଦ୍ୟର ଯନ୍ତ୍ରଣା ଭିତରେ ଅଟକି ଯାଇଛି ରୁବି ଓ ରାକେଶଙ୍କ ପାଠପଢା । ଅଷ୍ଟମରୁ ରୁବିଙ୍କ ଶିକ୍ଷାଗତ ଜୀବନରେ ପୂର୍ଣ୍ଣଛେଦ ପଡିଥିବା ବେଳେ ଚତୁର୍ଥ ଶ୍ରେଣୀରେ ଅଟକି ଯାଇଛି ସାନ ଭାଇର ପାଠ । ବାପା-ମାଆଙ୍କୁ ହରାଇ ସଂପୂର୍ଣ୍ଣ ଅସହାୟ ପାଲଟି ଯାଇଥିବା ଭାଇ-ଭଉଣୀଭଙ୍କ ପାଖରେ ପହଞ୍ଚି ପାରିନାହିଁ ସରକାରୀ ଯୋଜନା । ଏମାନଙ୍କୁ ନାଁ ମିଳିଛି ପକ୍କା ଘର, ନା ମିଳୁଛି ପିଡିଏସ ସାମଗ୍ରୀ । ସବୁଠାରୁ ବଡ କଥା ହେଉଛି ୨ ଭାଇ ଭଉଣୀଙ୍କ ଆଧାର କାର୍ଡ କି ପରିଚୟ ପତ୍ରଟିଏ ବି ନାହିଁ । ତେଣୁ ରୁବି ଓ ରାକେଶର ଥଇଥାନ ଲାଗି ପ୍ରଶାସନକୁ ନିବେଦନ କରିଛନ୍ତି ଗ୍ରାମବାସୀ ।