ଚାକିରୀ କୋଟା କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ଲାଗିଛି ହାଇକୋର୍ଟଙ୍କ ଶକ୍ତ ଝଟକା ! ଏସଇବିସି ସଂରକ୍ଷଣ ଆଇନକୁ ରଦ୍ଦ କରିଛନ୍ତି ହାଇକୋର୍ଟ
କନକ ବ୍ୟୁରୋ : ଚାକିରୀ କୋଟା କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ଲାଗିଛି ହାଇକୋର୍ଟଙ୍କ ଶକ୍ତ ଝଟକା । ଏସଇବିସି ସଂରକ୍ଷଣ ଆଇନକୁ ରଦ୍ଦ କରିଛନ୍ତି ହାଇକୋର୍ଟ । ସ୍ୟାଟଙ୍କ ରାୟକୁ ରଖିଛନ୍ତି କାଏମ । ଚାକିରୀ କ୍ଷେତ୍ରରେ ପଛୁଆବର୍ଗଙ୍କୁ ସୁବିଧା ଦେବା ଲକ୍ଷ୍ୟରେ ୨୦୦୮ରେ ରାଜ୍ୟ ସରକାର ଏହି ଆଇନ ଆଣିଥିଲେ । ବିଧାନସଭାରେ ବହୁ ତର୍କବିତର୍କ ପରେ ଗୃହରେ ବିଲ୍ ପାରିତ ହେବା ସହ ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରି ଆଇନରେ ପରିଣତ ହୋଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ନୂଆ ଆଇନକୁ ସମ୍ବିଧାନର ନବମ ଅନୁଛେଦରେ ସ୍ଥାନିତ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ଚିଠି ଲେଖିଥିଲେ । କିନ୍ତୁ କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ କୈାଣସି ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟ ସରକାର ନୂଆ ସଂରକ୍ଷଣ ଆଇନକୁ କାର୍ଯ୍ୟକାରୀ କରିଥିଲେ । ଫଳରେ ରାଜ୍ୟରେ ଚାକିରୀ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ୬୫.୭୫ ପ୍ରତିଶତରେ ପହଁଚିଥିଲା । ଏହି ଆଇନର ବୈଧତାକୁ ନେଇ ଜଣେ ଚାକିରୀ ଆଶାୟୀ ସ୍ୟାଟରେ ଏକ ମାମଲା ରୁଜୁ କରିଥିଲେ ।
ଏହି ମାମଲାର ବିଚାର କରି ସ୍ୟାଟ୍ ଏସଇବିସି ସଂରକ୍ଷଣ ଆଇନକୁ ରଦ୍ଦ କରିଥିଲେ । ହେଲେ ରାଜ୍ୟ ସରକାର ସ୍ୟାଟଙ୍କ ରାୟ ବିରୋଧରେ ହାଇକୋର୍ଟକୁ ଯାଇଥିଲେ । ଆଜି ହାଇକୋର୍ଟ ସ୍ୟାଟଙ୍କ ଆଦେଶକୁ କାଏମ ରଖିବା ସହ ଏହି ସଂରକ୍ଷଣ ଆଇନକୁ ରଦ୍ଦ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାରୀ କ୍ଷେତ୍ରରେ ୫୦ପ୍ରତିଶତରୁ ଅଧିକ ସଂରକ୍ଷଣ କରାଯାଇପାରିବ ନାହିଁ । ସେହି ନିୟମକୁ ପାଳନ କରି କେନ୍ଦ୍ର ସରକାର ବିଭିନ୍ନ ସରକାରୀ ଚାକିରୀ କୋଟା କ୍ଷେତ୍ରରେ ୪୯ ପ୍ରତିଶତ ପର୍ଯ୍ୟନ୍ତ ସ୍ଥାନ ସଂରକ୍ଷଣ କରୁଛନ୍ତି ।