ସରିଲା ଅଙ୍କକଷା, ବିରୋଧୀ ମେଂଟ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ନାଁ ଘୋଷଣା: ଜୁନ ୨୭ରେ ନାମାଙ୍କନ ଦାଖଲ କରିପାରନ୍ତି ସିହ୍ନା

201

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳ ମିଳିତ ଭାବେ ବରିଷ୍ଠ ରାଜନେତା ଯଶୱନ୍ତ ସିହ୍ନାଙ୍କ ନାଁ ଉପରେ ମୋହର ମାରିଛନ୍ତି । ମଙ୍ଗଳବାର କଂଗ୍ରେସ ନେତା ଜୟରାମ ରମେଶ ସାମ୍ବାଦିକ ସମ୍ମିଳନୀରେ ଯଶୱନ୍ତ ନାଁ ଘୋଷଣା କରିଛନ୍ତି । ଯଶୱନ୍ତଙ୍କ ନାଁକୁ ୧୯ ବିରୋଧୀ ଦଳ ସମର୍ଥନ ରହିଛି । ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଷ୍ଟ୍ରପତି ପଦ ପାଇଁ ଯଶୱନ୍ତ ସିହ୍ନାଙ୍କ ନାଁ ସୁପାରିସ୍ କରିଥିଲେ । ସେଥିପାଇଁ ଯଶୱନ୍ତ ସିହ୍ନା ମଙ୍ଗଳବାର ଟିଏମସିରୁ ଇସ୍ତଫା ଦେଇଛନ୍ତି ।

ଏନସିପି ନେତା ଶରଦ ପାୱାରଙ୍କ ନେତୃତ୍ୱରେ ବିରୋଧୀ ଦଳଙ୍କ ବୈଠକ ହୋଇଥିଲା । ଏଥିରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ, ସୀତାରାମ ୟେଚୁରୀ, ଜୟରାମ ରମେଶ, ଡି. ରାଜା, ପ୍ରଫୁଲ ପଟେଲଙ୍କ ଭଳି ଶୀର୍ଷ ନେତା ଉପସ୍ଥିତ ଥିଲେ । ବୈଠକରେ ଟିଏମ୍ସି ଯଶୱନ୍ତ ସିହ୍ନାଙ୍କ ନାଁ ପ୍ରସ୍ତାବ ରଖାଯାଇଥିଲା । ପୂର୍ବରୁ ଶରଦ ପାୱାର, ଫାରୁଖ ଅବଦୁଲ୍ଲା ଓ ଗୋପାଳକୃଷ୍ଣ ଗାନ୍ଧୀ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ମନା କରିସାରିଛନ୍ତି । ପ୍ରଥମେ ଶରଦ ପାୱାର, ଫାରୁଖ ଅବଦୁଲ୍ଲା ପ୍ରାର୍ଥୀ ହେବା ପାଇଁ ମନା କରିଥିଲେ । ପରେ ଗୋପାଳକୃଷ୍ଣ ଗାନ୍ଧୀଙ୍କ ନାଁ ଚର୍ଚ୍ଚା ହେଉଥିଲା । ସେ ମଧ୍ୟ ପ୍ରାର୍ଥୀ ଦୌଡରେ ନାହାନ୍ତି ବୋଲି ସ୍ପଷ୍ଟ କରିଥିଲେ ।

ଯଶୱନ୍ତଙ୍କ ରାଜନୈତିକ କ୍ୟାରିୟର
– ୧୯୮୪ରେ ଜନତା ପାର୍ଟିରେ ଯୋଗଦେଇଥିଲେ
– ୧୯୮୯ରେ ଜନତା ଦଳର ସାଧାରଣ ସମ୍ପାଦକ
– ୧୯୯୦ରୁ ୧୯୯୧ ଯାଏଁ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ କ୍ୟାବିନେଟରେ ଅର୍ଥମନ୍ତ୍ରୀ
– ୧୯୯୨ରେ ବିଜେପିରେ ସାମିଲ୍
– ୧୯୯୬ରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର
– ୧୯୯୮ରେ ହଜାରିବାଗରୁ ଲୋକସଭା ସାଂସଦ ନିର୍ବାଚିତ
– ୧୯୯୮ରେ ବାଜପେୟୀ କ୍ୟାବିନେଟରେ ଅର୍ଥମନ୍ତ୍ରୀ
– ୧୯୯୯ରେ ଦ୍ୱିତୀୟଥର ସାଂସଦ ନିର୍ବାଚିତ
– ୨୦୦୨ରୁ ୨୦୦୪ ଯାଏଁ ବାଜପେୟୀ କ୍ୟାବିନେଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ
– ୨୦୦୪ରେ ଲୋକସଭା ନିର୍ବାଚନରେ ପରାସ୍ତ
– ୨୦୦୫ରେ ଜିତିଲେ ରାଜ୍ୟସଭା ନିର୍ବାଚନ
– ୨୦୦୯ରେ ପୁଣି ଜିତିଲେ ଲୋକସଭା ନିର୍ବାଚନ
– ୨୦୧୮ରେ ବିଜେପିରୁ ଇସ୍ତଫା
– ୨୦୨୧, ମାର୍ଚ୍ଚ ୧୩ରେ ଟିଏମସିରେ ଯୋଗଦେଲେ

ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ । ଜୁନ୍ ୨୭ ତାରିଖ ଯଶୱନ୍ତ ସିହ୍ନା ନାମାଙ୍କନପତ୍ର ଦାଖଲ କରିବା ନେଇ ସୂଚନା ରହିଛି ।