ମହାରାଷ୍ଟ୍ର ରାଜନୀତିରେ ହଲଚଲ: ୨୦ରୁ ଉର୍ଦ୍ଧ ବିଧାୟକଙ୍କ ସହ ଏକନାଥ ସିନ୍ଦେ ଆତ୍ମଗୋପନ ପରେ ରାଜ୍ୟ ରାଜନୀତିରେ ହଟଚମଟ 

172

କନକ ବ୍ୟୁରୋ: ମହାରାଷ୍ଟ୍ର ବିଧାନ ପରିଷଦ ବା ଏମ୍ଏଲ୍ସି ନିର୍ବାଚନ ପରେ ରାଜନୈତିକ ସଂକଟ । ଏମ୍ଏଲ୍ସି ନିର୍ବାଚନ ପରେ ଶିବସେନାର ବରିଷ୍ଠ ନେତା ତଥା ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ୨୦ରୁ ଅଧିକ ନେତାଙ୍କ କୌଣସି ଖୋଜଖବର ନଥିବା ନେଇ ଚର୍ଚ୍ଚା । ସେ କିଛି ବିଧାୟକଙ୍କ ସହ ଗୁଜରାଟର ସୁରଟରେ ଥିବା ଜଣାପଡ଼ିଛି । ଶିବସେନାର କିଛି ବିଧାୟକଙ୍କ ବିରୋଧରେ କ୍ରସ-ଭୋଟିଂ ଅଭିଯୋଗ ଆସିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ଶିବସେନା ଓ ଏନସିପି ୨ଟି ଲେଖାଏଁ ଆସନ ହାତେଇଥିବା ବେଳେ ବିଜେପି ହାତକୁ ଯାଇଛି ୫ ସିଟ୍ । ବିଜେପିର ବିଧାୟକ ସଂଖ୍ୟା କମ ଥିବାରୁ ସମସ୍ତ ପ୍ରାର୍ଥୀଙ୍କ ବିଜୟ କ୍ରସ ଭୋଟିଂ ଯୋଗୁ ହୋଇଥିବା ଅନୁମାନ କରାଯାଉଛି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଶିବସେନାର ପାଖାପାଖି ୨୬ ବିଧାୟକ ଆତ୍ମଗୋପନ କରିବା ପରେ ଏବେ ଉଦ୍ଧବ ଠାକରେ ସରକାର ପ୍ରତି ବିପଦ ଘନେଇଛି । ଶିବସେନା ବିଧାୟକ ଗୁଜରାଟର ହୋଟେଲରେ ଅଟକିବା ପଛରେ ବିଜେପିର ‘ଅପରେସନ୍ ଲୋଟସ୍’ ବୋଲି କୁହାଯାଉଛି । ସେପଟେ ବିଦ୍ରୋହୀ ଏକନାଥ ସିନ୍ଦେଙ୍କୁ ମନାଇବାରେ ଶିବସେନାର ଉଦ୍ୟମ ବିଫଳ ହୋଇଛି । ଯାହା ପରେ ଶିବସେନା ସିଧାସଳଖ ବିଜେପିକୁ ଟାର୍ଗେଟ୍ କରିଛି । ବିଜେପି ପକ୍ଷରୁ ବିଧାୟକମାନଙ୍କୁ ବଳପୂର୍ବକ ଅପହରଣ କରାଯାଇଛି ଓ ଗୁଜରାଟ ପୋଲିସ୍ ସେମାନଙ୍କୁ ବନ୍ଧକ ରଖିଥିବା ଶିବସେନା ଅଭିଯୋଗ କରିଛି ।

ମହାରାଷ୍ଟ୍ର ସରକାର 

– ମହାରାଷ୍ଟ୍ର ବିଧାନସଭାରେ ମୋଟ ୨୮୮ ଆସନ

– ସରକାର ଗଠନ ପାଇଁ ଦରକାର ୧୪୫ ବିଧାୟକ

– ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାରଙ୍କୁ ରହିଛି ୧୬୯ ବିଧାୟକଙ୍କ ସମର୍ଥନ

– ଶିବସେନା ୫୬, ଏନସିପି ୫୩, କଂଗ୍ରେସର ୪୪ ଓ ଅନ୍ୟ ପାର୍ଟିର ୧୫ ବିଧାୟକ ସାମିଲ୍

– ମୁଖ୍ୟ ବିରୋଧୀ ଦଳ ବିଜେପି ପାଖରେ ରହିଛି ୧୧୩ ବିଧାୟକଙ୍କ ସମର୍ଥନ

– ସେଥିରୁ ବିଜେପିର ୧୦୬ ଓ ଅନ୍ୟାନ୍ୟ ଦଳର ୭

କେମିତି ମିଳିବ ବିଜେପିକୁ ବହୁମତ?

– ବିଜେପି- ୧୦୬

– ଅସନ୍ତୁଷ୍ଟ ନେତା- ୨୬ (ଯଦି ବିଜେପିରେ ସାମିଲ୍ ହୁଅନ୍ତି)

– ଅନ୍ୟାନ୍ୟ- ୧୩

– ଏମଏନଏସ- ୦୧

– ମୋଟ- ୧୪୬

ସେପଟେ ମହାରାଷ୍ଟ୍ର ରାଜନୀତିରେ ମୋଡ଼ ବଦଳାଇଥିବା ଏକନାଥ ସିନ୍ଦେଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଇଛି । ରାଜ୍ୟରେ ବିଶେଷକରି ଥାନେ ଅଂଚଳରେ ସେନାକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିବା ସିନ୍ଦେ ଜଣେ ସୁପରିଚିତ ଜନନେତା । ସେନାର ପ୍ରମୁଖ ରାଜନୈତିକ ଦାୟିତ୍ୱ ତୁଲାଇବାରେ ସେ ବେଶ୍ ମାହିର୍ । ତାଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ଶିବସେନା ଦଳର ସାଂସଦ । ଏକନାଥ ସିନ୍ଦେ ୨୦୦୪, ୨୦୦୯. ୨୦୧୪ ଓ ୨୦୧୯ରେ ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି । ୨୦୧୪ରେ ତାଙ୍କୁ ବିରୋଧୀ ଦଳର ନେତା କରାଯାଇଥିଲା । ସେ ମଧ୍ୟ ମହାବିକାଶ ଅଘାଡ଼ି ସରକାରରେ ନଗର ଉନ୍ନୟନ ଓ ପୂର୍ତ ବିଭାଗ ମନ୍ତ୍ରୀ ହୋଇଥିଲେ ।

ସୁରଟ ଯିବା ପରେ ଏକନାଥ ସିନ୍ଦେ ଏକ ଟ୍ୱିଟ୍ କରି ଲେଖିଛନ୍ତି, ସ୍ୱର୍ଗତ ବାଲାସାହାବେ ଆମକୁ ହିନ୍ଦୁତ୍ୱ ଶିଖାଇଛନ୍ତି । ଆମେ କହାପି କ୍ଷମତା ପାଇଁ ଧୋକା ଦେବୁ ନାହିଁ । ବାଲାସାହେବଙ୍କ ଚିନ୍ତାଧାରା ଓ ଧର୍ମବୀର ଆନନ୍ଦ ସାହେବ ଆମକୁ ଧୋକା ନକରିବାକୁ ଶିଖାଇଛନ୍ତି ।