ଉଦ୍ଧବ ଠାକରେଙ୍କୁ ଏକନାଥ ସିନ୍ଦେଙ୍କ ଉପଦେଶ, ବିଜେପି ସହ ମେଣ୍ଟ ନେଇ କହିଲେ ଏଭଳି କଥା

302

କନକ ବ୍ୟୁରୋ : ମହାରାଷ୍ଟ୍ର ମହାବିକାଶ ଅଗାଡି ସରକାର ଏବେ ଅଡୁଆରେ ପଡିଛି । ଶିବସେନା ବିଧାୟକ ଦଳ ନେତା ତଥା କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଦେ ଏବେ ଦଳ ଭିତରେ ରହି ବିଦ୍ରୋହ କରିଛନ୍ତି । ସେ କିଛି ବିଧାୟକଙ୍କୁ ନେଇ ଏବେ ସୁରଟର ଏକ ହୋଟେଲରେ ଥିବା କଥା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏହିକ୍ରମରେ ଶିବସେନା ବିଧାୟକ ମିଲିନ୍ଦ ନାବେକର ସୁରଟ ପହଂଚି ସିନ୍ଦେଙ୍କ ସହ ଉଦ୍ଧବ ଠାକରେଙ୍କୁ ଫୋନରେ କଥା କରାଇଛନ୍ତି । ଉଭୟଙ୍କ ମଧ୍ୟରେ ୨୦ ମିନିଟ ଧରି କଥାବାର୍ତ୍ତା ହୋଇଥିବା କଥା କୁହାଯାଉଛି ।

ଫୋନ ଯୋଗେ କଥାବାର୍ତ୍ତା ବେଳେ ସିନ୍ଦେ ଦାବି କରିଛନ୍ତି କି ତାଙ୍କ ସମର୍ଥନରେ ଏବେ ୩୫ ଜଣ ବିଧାୟକ ରହିଛନ୍ତି । ଏହାସହ ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସର୍ତ୍ତ ରଖିଛନ୍ତି କି ଯଦି ଶିବସେନା ବିଜେପି ସହ ମେଣ୍ଟ କରି ସରକାର ଗଠନ କରିବ ତେବେ ଦଳ ଭାଙ୍ଗିବ ନାହିଁ । ଏହାସହ ସେ ନିଜେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା କଥାକୁ ଖଣ୍ଡନ କରିଛନ୍ତି ।

ସେପଟେ ଏକନାଥଙ୍କର ଏଭଳି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସେ କହିଛନ୍ତି କି, କୌଣସି ପରିସ୍ଥିତିରେ ବିଜେପି ସହ ମେଣ୍ଟରେ ସରକାର ଗଠନ କରିବା ସମ୍ଭବ ନୁହେଁ । ଅନ୍ୟପଟେ ମହାବିକାଶ ଅଗାଡି ମେଣ୍ଟରେ ଥିବା କଂଗ୍ରେସ ଶିବସେନାକୁ ବଳ ଯୋଗାଇଛି । କଂଗ୍ରେସ କହିଛି କି ମହାରାଷ୍ଟ୍ର ସରକାରଙ୍କ ଉପରେ କୌଣସି ବିପଦ ନାହିଁ । ମହାରାଷ୍ଟ୍ର କଂଗ୍ରେସ ପ୍ରଭାରୀ ଏଚକେ ପାଟିଲ କହିଛନ୍ତି କି ସାରା ଦେଶରେ ବିଜେପି ‘ଅପରେଶନ ଲୋଟସ’ ଜାରି ରଖିଛି । ହେଲେ ମହାରାଷ୍ଟ୍ର ସରକାରକୁ ସମର୍ଥନ ଦେଉଥିବା ଦଳ ଓ ବିଧାୟକମାନେ ବିଜେପି ଜାଲରେ ପଡିବେ ନାହିଁ ବୋଲି ସେ ଆଶାପ୍ରକଟ କରିଛନ୍ତି ।