ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ : ବିରୋଧୀ ଏକତା ପାଇଁ ବିହାର ମୁଖ୍ୟମନ୍ତ୍ରୀଙ୍କ ଅଭିଯାନ; ଆଜି ଅଖିଳେଶ ଯାଦବଙ୍କୁ କରିବେ ସାକ୍ଷାତ

132

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀ ଏକତା ପାଇଁ ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ ପଦକ୍ଷେପ ଉଠାଇବା ଆରମ୍ଭ କରିଛନ୍ତି । ଏହିକ୍ରମରେ ଆଜି ଗୋଟିଏ ଦିନରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଜେଡିୟୁ ମୁଖ୍ୟ ନୀତିଶ କୁମାର ପ୍ରଥମେ ଉତ୍ତରପ୍ରଦେଶର ଲକ୍ଷେ୍ନøରେ ପହଂଚି ଅଖିଳେଶ ଯାଦବଙ୍କୁ ଭେଟିବେ । ଏହା ପରେ ପଶ୍ଚିମବଙ୍ଗ ଯାଇ ମମତା ବାନାର୍ଜୀଙ୍କୁ ଭେଟି ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଏହି ସାକ୍ଷାତ ଆଲୋଚନା କାର୍ଯ୍ୟକ୍ରମକୁ ସିଧା ସଳଖ ନୀତିଶଙ୍କ ବିଜେପି ବିରୋଧୀ ମେଣ୍ଟ ଭାବେ ଦେଖାଯାଉଛି । ଯାହା ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି ।

ତେବେ ନୀତିଶ ପ୍ରଥମ ଥର ପାଇଁ ବିରୋଧୀ ଏକତା ପାଇଁ ଉଦ୍ୟମ କରୁନାହାନ୍ତି । ଏହା ପୂର୍ବରୁ ୧୦ଦିନ ତଳେ ବିରୋଧୀ ଏକତା ନେଇ ବଡ ଘୋଷଣା କରିଥିଲେ ବିହାର ମୁଖ୍ୟମନ୍ତ୍ରୀ । କହିଥିଲେ ୨୦୨୪ ନିର୍ବାଚନରେ ସାରା ଦେଶ ଗସ୍ତରେ ବାହାରିବେ ଓ ଏହି ସମୟରେ ବିରୋଧୀ ଏକତା ଉପରେ ଫୋକସ କରାଯିବ । ଏନେଇ ଦିଲ୍ଲୀରେ ସମସ୍ତଙ୍କ କଥା ବାର୍ତ୍ତା ସରିଛି ଏବଂ କଂଗ୍ରେସ ମଧ୍ୟ ଏଥିରେ ସହମତ ଥିବା ନୀତିଶ କହିଥିଲେ । ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଆଞ୍ଚଳିକ ଦଳର ନେତା ଅଣଏନଡିଏ ମେଂଟର ରାଜନୈତିକ ଦଳ ମଧ୍ୟରେ ଏକତା ଆଣିବାକୁ ଉଦ୍ୟମ କରୁଛନ୍ତି ।

କେବେ ଏନସିପି ଚିଫ ଶରଦ ପାୱାର, ତ କେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଓ ବିଆରଏସ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ପୁଣି କେବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ବିରୋଧୀ ଏକତା ପାଇଁ ଉଦ୍ୟମ ଚଲାଇ ଆସୁଛନ୍ତି । ଆଉ ଏବେ ସେହି ରାସ୍ତାରେ ପାଦ ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ତେବେ ପ୍ରଶ୍ନ ଉଠୁଛି ମୋଦୀ ବିରୋଧରେ ସଫଳତା ପାଇବା ପାଇଁ ହେଲେ ବିନା କଂଗ୍ରେସରେ ଆଞ୍ଚଳିକ ଦଳଙ୍କ ଏକତା ସଫଳତା ପାଇବ କି । ପୂର୍ବରୁ କଂଗ୍ରେସ ଡାକିଥିବା ବିରୋଧୀ ଏକତା ବୈଠକରେ ବହୁ ଆଞ୍ଚଳିକ ଦଳ ଅନୁପସ୍ଥିତ ରହୁଥିବାରୁ ବିରୋଧୀ ଏକତାକୁ ନେଇ ବଡ ପ୍ରଶ୍ନ ଛିଡା କରାଇଛି । ଏବେ ନୀତିଶ କୁମାର ମୋଦି ବିରୋଧରେ ବିରୋଧୀ ଏକତା ପାଇଁ ଆରମ୍ଭ କରିଥିବା ଅଭିଯାନ ଆଗକୁ କେତେ ସଫଳତା ପାଇବ ତାହା ସମୟ କହିବ ।