ତିତଲି ପାଇଁ ଏଯାଏଁ ମିଳିନି କେନ୍ଦ୍ରୀୟ ସହାୟତା ! ପୁଣି ଦାବି ଜଣାଇଲେ ନବୀନ

78

କନକ ବ୍ୟୁରୋ : ତିତ୍‌ଲି କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ଏ ପର୍ଯ୍ୟନ୍ତ କେନ୍ଦ୍ରୀୟ ସହାୟତା‌ ମିଳିନାହିଁ । ଆଉ ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଥ ଅଭାବରୁ କ୍ଷତିଗ୍ରସ୍ତ ଅଞ୍ଚଳରେ ମରାମତି ଓ ପୁନଃନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବାରୁ ତୁରନ୍ତ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

Naveen-Patnaik

ନବୀନ ପଟ୍ଟନାୟକ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ତିତଲି ବାତ୍ୟା, ବନ୍ୟା ଓ ଭୂସ୍ଖଳନ ଯୋଗୁ ୧୭ ଜିଲ୍ଲାର ୧୨୮ଟି ବ୍ଲକ୍ ପ୍ରଭାବିତ ହୋଇଛି । ୬୦.୩୧ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହି ଦୁର୍ବିପାକର ମୁକାବିଲା ପାଇଁ ରାଜ୍ୟ ସରକାର ତତ୍କାଳ ସବୁପ୍ରକାର ପଦକ୍ଷେପ ନେଇଥିଲେ । କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ଦେବା ସହ ନଷ୍ଟ ହୋଇଯାଇଥିବା ଘର, ଭିତ୍ତିଭୂମି ଆଦିର ମରାମତି କାର୍ଯ୍ୟ ତୁରନ୍ତ ଆରମ୍ଭ କରିଥିଲେ ।

ରାଜ୍ୟ ସରକାର ୨୭୭୯.୩୨ କୋଟି ଟଙ୍କାର କ୍ଷତି ଆକଳନ କରି ଏକ ସ୍ମାରକପତ୍ର ଜରିଆରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ଠାରୁ ୨୦୨୩.୧୩ କୋଟି ଟଙ୍କା ସହାୟତା ମାଗିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଗତ ଅକ୍ଟୋବର ୧୮ ତାରିଖରେ ଚିଠି ଲେଖି ୧୦୦୦ କୋଟି ଟଙ୍କା ଅନ୍ତରୀଣ ସହାୟତା ଦେବାକୁ ଅନୁରୋଧ କରାଯାଇଥିଲା । ଏହା ମଧ୍ୟରେ କେନ୍ଦ୍ରୀୟ ଟିମ୍ ନଭେମ୍ବର ପ୍ରଥମ ସପ୍ତାହରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଆମେ କୌଣସି ସହାୟତା ପାଇ ନାହୁଁ ।

photo courtesy -http://s3.india.com
ମୁଖ୍ୟମନ୍ତ୍ରୀ ଆହୁରି ଜଣାଇଛନ୍ତି, ରିଲିଫ୍ ଓ ଭିତ୍ତିଭୂମି ପୁନରୁଦ୍ଧାର ବାବଦକୁ ରାଜ୍ୟ ବିପର‌୍ୟ୍ୟୟ ପ୍ରଶମନ ପାଣ୍ଠି (ଏସ୍‌ଡିଆର୍ଏଫ୍‌)ରୁ ୧୬୮୯.୧୩ କୋଟି ଟଙ୍କା ଖର୍ଚ କରାଯାଇଛି । ଫଳରେ ଏସ୍‌ଡିଆର୍‌ଏଫ୍ ପାଣ୍ଠିରେ ଆଉ ଅର୍ଥ ନାହିଁ । ଏହି ପାଣ୍ଠି ପୂରଣ ସହ ବାକି ରହିଥିବା ମରାମତି ଓ ପୁନଃନିର୍ମା‌ଣ କାର‌୍ୟ୍ୟ ପାଇଁ ଏନ୍‌ଡିଆର୍‌ଏଫ୍‌ରୁ ଅର୍ଥ ଜରୁରୀ ହୋଇପଡ଼ିଛି । ତେଣୁ ଏନ୍‌ଡିଆର୍‌ଏଫ୍‌ରୁ ତୁରନ୍ତ ସହାୟତା ମିଳିଲେ ଅବଶିଷ୍ଟ କାମ ତ୍ବରାନ୍ବିତ କରାଯାଇପାରିବ । କେନ୍ଦ୍ର ଗୃହମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ତୁରନ୍ତ କେନ୍ଦ୍ରୀୟ ସହୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।