ବଜାରରୁ ଗାଏବ ହୋଇଯାଇଛି ୨୦୦୦ ଟଙ୍କିଆ ନୋଟ୍ : ବିମୁଦ୍ରାୟନ ପରେ ଛପା ଯାଇଥିବା ନୋଟର ମିଳୁନି ପତ୍ତା

1,066

କନକ ବ୍ୟୁରୋ : କଳାଧନ କାରବାର ଉପରେ ରୋକ୍ ଲଗାଇବାକୁ ୨୦୧୬ ନଭେମ୍ବର ୮ତାରିଖରେ ବିମୁଦ୍ରାୟନ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଆଶ୍ଚର୍ଯ୍ୟର କଥା ହେଉଛି ଏହା ପରେ ଛପା ଯାଇଥିବା ୧୬୨୬ କୋଟି ୫୦୦ ଟଙ୍କିଆ ଓ ୫୪କୋଟି ୨ହଜାର ଟଙ୍କିଆ ନୋଟ୍ ବଜାରରୁ ଉଭାନ ହୋଇଯାଇଛି । ଏବଂ ରିଜର୍ଭ ବ୍ୟାଙ୍କ ପାଖରେ ଉଭାନ ହୋଇଯାଇଥିବା ଟଙ୍କାର ହିସାବ ନାହିଁ ।

ଗାଏବ ହୋଇଯାଇଥିବା ଏହି ପରିମାଣର ନୋଟର ମୂଲ୍ୟ ୯ଲକ୍ଷ ୨୧ହଜାର କୋଟି ହେବ । ଏହି ନୋଟ୍ ବ୍ୟାଙ୍କରେ ଜମା ହୋଇ ନାହିଁ କି ବଜାରରେ ମଧ୍ୟ କାରବାର ହେଉନାହିଁ । ରିଜର୍ଭ ବ୍ୟାଙ୍କ ମଧ୍ୟ ଏନେଇ କୌଣସି ଟେର୍ ପାଉନଥିବା ତାର ବାର୍ଷିକ ରିପୋର୍ଟରେ ଉଲ୍ଲେଖ ରହିଛି । ତେଣୁ ଏହି ପରିମାଣର ଟଙ୍କା କଳାଧନ ପାଲଟିଥିବା ନେଇ ଅର୍ଥନୀତି ବିଶାରଦମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

– ୧୬୨୬ କୋଟି ୫୦୦ ଟଙ୍କିଆ ନୋଟର ମିଳୁନି ପତ୍ତା
– ୫୪କୋଟି ୨୦୦୦ ଟଙ୍କା ଗଲା କୁଆଡେ ?
– ୨୦୧୬ରୁ ଏ ପର୍ଯ୍ୟନ୍ତ ୩୭୦ କୋଟି ୨୦୦୦ଟଙ୍କିଆ ନୋଟ୍ ଛପାଯାଇଛି
– ୧୦୨କୋଟି ଖଣ୍ଡ ନୋଟ୍ ଏହି ୬ବର୍ଷରେ ନଷ୍ଟ ହୋଇଛି
– ବର୍ତ୍ତମାନ ବଜାରରେ ୨୬୮କୋଟି ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍ ରହିବା କଥା
– ବଜାରରେ ୨୧୪.୨ କୋଟି ୨୦୦୦ ଟଙ୍କିଆ ନୋଟ୍ ରହିଛି
– ୫୪କୋଟି ୨୦୦୦ ଟଙ୍କିଆ ନୋଟ୍ କାରବାରରୁ ଗାଏବ ହୋଇଯାଇଛି
– ଏହି ନୋଟ୍ ଗୁଡିକର ମୋଟ୍ ମୂଲ୍ୟ ୧.୦୮ଲକ୍ଷ କୋଟି
– ୬ବର୍ଷ ମଧ୍ୟରେ ୬୪୭୯କୋଟି ୫୦୦ ଟଙ୍କିଆ ନୋଟ୍ ଛପାଯାଇଛି
– ୨୯୮କୋଟି ନୋଟ୍ ୬ବର୍ଷରେ ନଷ୍ଟ ହୋଇଛି
– ବଜାରରେ ୬୧୮୧ କୋଟି ଖଣ୍ଡ ନୋଟ୍ ଉପଲବ୍ଧ ହେବା କଥା
– ୪୫୫୫ କୋଟି ଖଣ୍ଡ ୫୦୦ ଟଙ୍କିଆ ନୋଟ୍ ବଜାରରେ ରହିଛି
– ୧୬୨୬ କୋଟି ୫୦୦ ଟଙ୍କିଆ ନୋଟର ପତ୍ତା ମିଳୁନି

୨୦୧୬ ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାର ନେଇଥିବା ନୋଟ୍ ବନ୍ଦୀ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଏହି ନୋଟବନ୍ଦୀ ନିଷ୍ପତ୍ତିକୁ ବିରୋଧ କରି ହୋଇଥିବା ଆବେଦନର ଶୁଣାଣି ଆଜି ହେବ । ଏହାକୁ ମିଶାଇ ୫ଟି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ୫ଜଣ ବିଚାରପତିଙ୍କୁ ନେଇ ଏକ ଖଣ୍ଡପୀଠ ଗଠନ କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ, ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ସଂଜୟ କିଷନ କୌଲଙ୍କ ନେତୃତ୍ୱରେ ୫ସଦସ୍ୟ ବିଶିଷ୍ଟ ୩ଟି ଖଣ୍ଡପୀଠ ଦୀର୍ଘ ବର୍ଷ ହେବ ପଡିଥିବା ବିଭିନ୍ନ ମାମଲାର ଶୁଣାଣି କରୁଛନ୍ତି ।

ଚତୁର୍ଥ ଖଣ୍ଡପୀଠ ଜଷ୍ଟିସ ଏସ ଅବଦୁଲ ନାଜିରଙ୍କ ଅଦ୍ୟକ୍ଷତାରେ ଗଠିତ ହୋଇଛି ଯେଉଁଥିରେ ଜଷ୍ଟିସ ବିଆର ଗୋଭାଇ, ଜଷ୍ଟିସ ଏସ୍ ବୋପନ୍ନା, ଜଷ୍ଟିସ ଭି ସୁବ୍ରମଣ୍ୟମ ଏବଂ ଜଷ୍ଟିସ ବିଭି ନାଗରତ୍ନା ରହିଛନ୍ତି । ଏହି ଖଣ୍ଡପୀଠ ୫ଟି ମାମଲାର ଶୁଣାଣି କରିବ । ଖଣ୍ଡପୀଠରେ କେନ୍ଦ୍ର ସରକାରଙ୍କ ୫ଶହ ଓ ୧ ହଜାର ଟଙ୍କିଆ ନୋଟ୍ ବିମୁଦ୍ରାୟନ ନିଷ୍ପତିକୁ ଚ୍ୟାଲେଞ୍ଜ କରି ଦାଏର ୫୮ଟି ଆବେଦନର ଶୁଣାଣି ଆରମ୍ଭ ହେବ ।