୨୦୨୪ ସାଧାରଣ ନିର୍ବାଚନରେ ପୁରୁଣା ପେନସନ ଯୋଜନା ହେବ କି ପ୍ରମୁଖ ମୁଦ୍ଦା, ଜାଣନ୍ତୁ ରାଷ୍ଟ୍ରୀୟ ଓ ଆଞ୍ଚଳିକ ଦଳମାନଙ୍କର ଯୋଜନା

1,255

କନକ ବ୍ୟୁରୋ : ଦେଶରେ ପୁଣିଥରେ ପୁରୁଣା ପେନସନ ଯୋଜନା ଲାଗୁ କରିବାକୁ ଦାବି ବଢୁଛି । ଏହାରି ମଧ୍ୟରେ ଚଳିତ ସଂସଦ ଅଧିବେଶନରେ କେନ୍ଦ୍ର ସରକାର ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି । କେନ୍ଦ୍ରରେ ଅର୍ଥ ରାଜ୍ୟମନ୍ତ୍ରୀ ଥିବା ଭଗବତ କରାଡ କହିଛନ୍ତି କି ପୁରୁଣା ପେନସନ ସ୍କିମ ଏବେ ଦେଶର ୩ ଟି ରାଜ୍ୟ ଲାଗୁ କରିଥିଲେ ବି ଏହାକୁ ଲାଗୁ କରିବାକୁ କେନ୍ଦ୍ର ସରକାର ବିଚାର କରି ନାହାଁନ୍ତି ।

ସେପଟେ ଉତ୍ତର ପ୍ରଦେଶ ସମେତ ଦେଶର ୫ ଟି ରାଜ୍ୟରେ ହୋଇଥିବା ନିର୍ବାଚନ ପରେ ଏବେ ହିମାଚଳ ପ୍ରଦେଶରେ ବି ପୁରୁଣା ପେନସନ ଯୋଜନା ଦାବି ଜୋର ଧରିଥିଲା । ଏକ ରିପୋର୍ଟ ମୁତାବକ ପାହାଡୀ ରାଜ୍ୟ ହିମାଚଳରେ ବିଜେପିର ପରାଜୟ ପାଇଁ ପୁରୁଣା ପେନସନ ଯୋଜନା ଏକ ବଡ କାରଣ ବୋଲି କୁହାଯାଉଛି । ନିର୍ବାଚନରେ ବିଜେପି ଏହି ପ୍ରସଙ୍ଗ ଉଠାଇ ନଥିବା ବେଳେ ବିଜେପି ଏହି ପ୍ରସଙ୍ଗ ଉଠାଇ ସେଠାରେ ବହୁମତ ହାସଲ କରିଛି ।

୨୦୦୪ ଓ ଏହା ପୂର୍ବରୁ ନିଯୁକ୍ତି ପାଇଥିବା କର୍ମଚାରୀ ଅବସର ନେବା ପରେ ସରକାର ସେମାନଙ୍କୁ ପ୍ରତିମାସ ପେନସନ ଦେବେ । ଏହାକୁ ପୁରୁଣା ପେନସନ ଯୋଜନା କୁହାଯାଉଛି । ହେଲେ ୨୦୦୪ ପରେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ପେନସନର ଲାଭ ଉଠାଇ ପାରିବେ ନାହିଁ । ପୁରୁଣା ପେନସନ ସ୍କିମ ମୁତାବକ ଯେଉଁମାନେ ଅବସର ନେବେ ତା ପରେ ସେମାନେ ତାଙ୍କ ଦରମାର ଅଧା ପେନସନ୍ ଆକାରରେ ପାଇବେ । ହେଲେ ୨୦୧୪ ରେ ମୋଦୀ ସରକାର ଏହାକୁ ବଦଳାଇ ନ୍ୟାସନାଲ ପେନସନ ସ୍କିମ୍ ବା ଏନପିଏସ ଲାଗୁ କରିଥିଲେ ।

ପୁରୁଣା ପେନସନ ସ୍କିମରେ କର୍ମଚାରୀଙ୍କ ଦରମାରୁ କୌଣସି ରାଶି କଟା ନଯାଇ ସେମାନଙ୍କୁ ପେନସନ ପ୍ରଦାନ କରାଯିବାର ପ୍ରାବଧାନ ରହିଛି । ହେଲେ ଏନପିଏସରେ କର୍ମଚାରୀଙ୍କ ଦରମାରୁ ୧୦ ପ୍ରତିଶତ (ମୂଳ ଦରମା+ଡିଏ)ରୁ କଟାଯାଉଛି ।

ପୁରୁଣା ପେନସନକୁ ସରକାର ନିଜର ଟ୍ରେଜେରୀରୁ ପ୍ରଦାନ କରୁଥିବା ବେଳେ ଏନପିଏସରେ ସେୟାର ବଜାରର ଲାଭ ମୁତାବକ କର୍ମଚାରୀଙ୍କୁ ପେନସନ ମିଳିବ ।

ପୁରୁଣା ପେନସନ ଯୋଜନାରେ କର୍ମଚାରୀ ଅବସର ନେବା ପରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚୁଇଟି ମିଳିବାର ପ୍ରାବଧାନ ଥିଲା । ମାତ୍ର ଏନପିଏସରେ ଏହି ଗ୍ରାଚୁଇଟି ଅସ୍ଥାୟୀ ।

ସେପଟେ ଏବେ ପୁରୁଣା ପେନସନ ଯୋଜନା ଲାଗୁ କରିଥିବା ରାଜ୍ୟଗୁଡିକୁ ଅର୍ଥ ଆୟୋଗ ଏକ ଚିଠି ଲେଖିଛନ୍ତି । ଆୟୋଗର ଚେୟାରମ୍ୟାନ ଏନକେ ସିଂ ସେମାନଙ୍କୁ ପଚାରିଛନ୍ତି କି, ଟଙ୍କା କେଉଁଠୁ ଆଣିବ ? ସେପଟେ ପୁରୁଣା ପେନସନ ଲାଗୁ କରିଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏବେ ତର୍କ ଆରମ୍ଭ ହୋଇଯାଇଛି । କୁହାଯାଉଛି କି ପୁରୁଣା ପେନସନ ଯୋଜାନା ଲାଗୁ କଲେ ଅନେକ ଯୋଜନା ଉପରେ ଏହାର ପ୍ରଭାବ ପଡିବ ।

ଉତ୍ତର ପ୍ରଦେଶ ନିର୍ବାଚନ ବେଳେ କଂଗ୍ରେସ ଓ ସାମାଜବାଦୀ ପାର୍ଟି ପ୍ରଥମଥର ପାଇଁ ପୁରୁଣା ପେନସନ ଯୋଜନାକୁ ମୁଦ୍ଦା କରିଥିଲେ । ଏହାରି ମଧ୍ୟରେ ରାଜସ୍ଥାନ ସରକାର ପୁରୁଣା ପେନସନ ଯୋଜନା ଲାଗୁ କରିଥିଲେ । ଏହାପରେ ସାରା ଦେଶରେ ପୁରୁଣା ପେନସନ ଯୋଜନା ଲାଗୁ କରିବା ନେଇ ଦାବି ବଢିଥିଲା । ଏହାକୁ ଦେଖି କଂଗ୍ରେସ ଓ ଅନ୍ୟ କିଛି ରାଜନୈତିକ ଦଳ ଏହାକୁ ନିର୍ବାଚନୀ ଇସ୍ତାହାରରେ ସାମିଲ କରିଥିଲେ ।

ହିମାଚଳ ପ୍ରଦେଶ ନିର୍ବାଚନ ବେଳେ କଂଗ୍ରେସ ଏହାକୁ ନିର୍ବାଚନୀ ଇସ୍ତାହାରରେ ସାମିଲ କରିଥିଲା । ଏହି କାରଣରୁ କଂଗ୍ରେସ ସେଠାରେ ବହୁମତ ହାସଲ କରିଛି ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି ।

ସେହିଭଳି ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନ ବେଳେ ଆମ୍ ଆଦମୀ ପାର୍ଟି ପୁରୁଣା ପେନସନ ଯୋଜନାକୁ ମୁଦ୍ଦା କରିଥିଲା । ଏହାର ଲାଭ ମଧ୍ୟ ଆପ୍,କୁ ମିଳିଥିଲା ଦଳ ସେଠାରେ ୧୧୭ ଆସନରୁ ୯୨ ଟି ଆସନରେ ଜିତି ସରକାର କରିଛି ।

ଉତ୍ତର ପ୍ରଦେଶ ନିର୍ବାଚନ ବେଳେ ସବୁଠାରୁ ବଡ ମୁଦ୍ଦା ଥିଲା ପୁରୁଣା ପେନସନ ଯୋଜନା । ସମାଜବାଦୀ ପାର୍ଟି ଏହାକୁ ନିର୍ବାଚନୀ ଇସ୍ତାହାରରେ ସାମିଲ କରି ୧୧୧ ଟି ଆସନ ଜିତିବାରେ ସକ୍ଷମ ହୋଇଥିଲା ।

ସେପଟେ ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ସହିତ ୯ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଯେଉଁ ୯ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ ସେହି ରାଜ୍ୟଗୁଡିକରେ ମୋଟ ୨.୨୫ କୋଟି ସରକାରୀ କର୍ମଚାରୀ ଅଛନ୍ତି । ତେଣୁ ବିରୋଧୀଦଳମାନେ ଏହାକୁ ପ୍ରସଙ୍ଗ କରି ଲାଭବାନ ହେବେ ବୋଲି ଆକଳନ କରାଯାଉଛି ।