୧୫୨ ଖଣି ଲିଜଧାରୀଙ୍କୁ ନୋଟିସ ! ଡିସେମ୍ବର ୩୧ ସୁଦ୍ଧା ୧୭୫୭୧ କୋଟି ଜରିମାନା ଦେବେ
କନକ ବ୍ୟୁରୋ: ସୁପ୍ରିମ କୋର୍ଟଙ୍କ ରାୟ ମୁତାବକ ରାଜ୍ୟ ସରକାର ୧୫୨ଜଣ ଖଣି ଲିଜଧାରୀଙ୍କୁ ଡିମାଣ୍ଡ ନୋଟିସ ଜାରି କରିଛନ୍ତି । ଚଳିତ ବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ସେମାନେ ପ୍ରାୟ ୧୭୫୭୧ କୋଟି ଟଙ୍କାର ଜରିମାନା ଦେବେ । ଏଥିମଧ୍ୟରୁ ରାଜ୍ୟ ସରକାରଙ୍କ ନିଜସ୍ୱ ଉଦ୍ୟୋଗ ଓଡ଼ିଶା ଖଣି ନିଗମ ପୈଠ କରିବ ସର୍ବାଧିକ ୨୧୭୭ କୋଟି ଟଙ୍କାର ଜରିମାନା । ପୂର୍ବରୁ ବେଆଇନ ଖଣି କାରବାର ଯୋଗୁଁ ପ୍ରାୟ ୫୯ ହଜାର କୋଟି ଟଙ୍କାର ଜରିମାନା ରାଜ୍ୟ ସରକାର ଖଣି ଲିଜଧାରୀମାନଙ୍କ ଉପରେ ଧାର୍ଯ୍ୟ କରିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଯୁକ୍ତ କେନ୍ଦ୍ରୀୟ କ୍ଷମତା ସଂପନ୍ନ କମିଟି(ସିଇସି) ଲୁହାପଥରର ପ୍ରଚଳିତ ମୂଲ୍ୟକୁ ବିଚାରକୁ ନେଇ ସରକାର ଧାର୍ଯ୍ୟ କରିଥିବା ଜରିମାନା ରାଶି ପ୍ରାୟ ଏକ ତୃତୀୟାଂଶ(ପ୍ରାୟ ୧୭୫୭୧ କୋଟି ଟଙ୍କା)କୁ ହ୍ରାସ କରିଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଖଣି ଲିଜଧାରୀଙ୍କୁ ପ୍ରଦତ୍ତ ନୋଟିସରେ ଯଦି ଖଣି ଉତ୍ପାଦନ ପରିମାଣ ଅଧିକ ହୋଇଥିବା ବିଷୟ ସରକାରଙ୍କ ନଜରକୁ ଆସେ, ଭବିଷ୍ୟତରେ ସଂପୃକ୍ତ ଲିଜଧାରୀଙ୍କଠାରୁ ଅଧିକ ଜରିମାନା ରାଶି ଆଦାୟ କରାଯିବ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି ।
ସୋମବାର ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଲେ ଯେ, ସୁପ୍ରିମ କୋର୍ଟଙ୍କ ରାୟ ଅନୁସାରେ ଇତି ମଧ୍ୟରେ ୧୫୨ଜଣ ଲିଜଧାରୀଙ୍କୁ ନୋଟିସ ଜାରି କରାଯାଇଛି । ପରିବେଶ ଆଇନ ଉଲ୍ଲଂଘନ ନେଇ ସେମାନଙ୍କୁ ପ୍ରାୟ ୧୭୫୭୧ କୋଟି ଟଙ୍କାର ଜରିମାନା ଦେବାକୁ ନୋଟିସରେ ଉଲ୍ଲେଖ ହୋଇଛି । ଏଥିରୁ ବାଦ୍ ପଡ଼ିଛି ଶାରଦା, ଜେଏସପିଏଲ୍ ଖଣି । ସେହି ଖଣି ଲିଜଧାରୀମାନଙ୍କ ମାମଲାର ଫଇସଲା ବାକି ରହିଛି । ଶାରଦା ଖଣି ଲିଜଧାରୀଙ୍କୁ ୧୯୮୩ କୋଟି ଟଙ୍କାର ଜରିମାନା ଦେବାକୁ ପଡ଼ିବ ବୋଲି ଖଣି ବିଭାଗ ସୂତ୍ରରୁ ଜଣାଯାଇଛି।
ସୂଚନାନୁସାରେ, ଓଡ଼ିଶା ଖଣି ନିଗମ ସର୍ବାଧିକ ୨୧୭୭ କୋଟି ଟଙ୍କାର ଜରିମାନା ଗଣିବାକୁ ନୋଟିସରେ ଉଲ୍ଲେଖ କରାଯାଇଥିବା ବେଳେ ରୁଙ୍ଗଟ୍ ଗ୍ରୁପ୍ ଦେବ ୧୬୨୭ କୋଟି ଟଙ୍କାର ଜରିମାନା । ସେହିପରି ଆର.ପି. ସାଓ ଖଣି ଲିଜଧାରୀ ୧୧୨୭ କୋଟି, ଏସଏଲ୍ ମାଇନିଂ ୧୦୮୪ କୋଟି, ଓଏମଡିସି ପ୍ରାୟ ୭୦୦ କୋଟି, ଭାରତୀୟ ଇସ୍ପାତ ପ୍ରାଧୀକରଣ(ସେଲ୍) ୬୬ କୋଟି ଟଙ୍କାର ଜରିମାନା ଦେବ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି । ରାଜ୍ୟରେ ମୋଟ ୧୮୭ଜଣ ଖଣି ଲିଜଧାରୀ ଥିଲେ ହେଁ ୨୩ଜଣ ଖଣି ଲିଜଧାରୀଙ୍କୁ ପରିବେଶ ନିୟମାବଳୀ ଉଲ୍ଲଂଘନ ମାମଲାରୁ ବାହାରେ ଅଛନ୍ତି । ଏ ନେଇ ଅଦାଲତର ଦ୍ୱାରସ୍ଥ ହେବ ବୋଲି କହିଛି ପୂର୍ବାଞ୍ଚଳ ଖଣି ସଂଘ । ଜରିମାନା ରାଶି ପ୍ରଦାନ ପାଇଁ ଖଣି ଲିଜଧାରୀମାନଙ୍କୁ ଅଧିକ ସମୟ ଦେବାକୁ ଆବେଦନ କରାଯିବ ବୋଲି କୁହାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ୨୦୧୪ ଅଗଷ୍ଟ ମାସରେ ସିଇସି ଦେଇଥିବା ରିପୋର୍ଟ ଭିତ୍ତିରେ ଗତ ଅଗଷ୍ଟ ୨ ତାରିଖରେ ସୁପ୍ରିମ କୋର୍ଟ ଆଇନ ଉଲ୍ଲଂଘନକାରୀ ଖଣି ଲିଜଧାରୀମାନଙ୍କଠାରୁ ଡିସେମ୍ବର ୩୧ ତାରିଖ ସୁଦ୍ଧା ୧୦୦ ପ୍ରତିଶତ ଜରିମାନା ଆଦାୟ କରିବାକୁ ଆଦେଶ ଦେଇଛନ୍ତି । ସୁପ୍ରିମ କୋର୍ଟଙ୍କ ରାୟକୁ ତର୍ଜମା କରିବା ପରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଖଣି ମନ୍ତ୍ରୀ ଶ୍ରୀ ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ରାଜ୍ୟ ସରକାର ଖଣି ଲିଜଧାରୀମାନଙ୍କୁ ଅନୁକମ୍ପା ପ୍ରଦର୍ଶନ କରି ଜରିମାନା ରାଶିକୁ କମାଇ ଦେଇଥିବା ଅଭିଯୋଗ କରୁଛନ୍ତି ବିରୋଧୀ ରାଜନୈତିକ ଦଳ ।