ନବକଳେବର ପାଇଁ ନୂଆଦିଲ୍ଲୀ ଗସ୍ତ: ହାଇକମାଣ୍ଡଙ୍କୁ ଭେଟିବେ ରାଜ୍ୟ କଂଗ୍ରେସ ନେତା

106

କନକ ବ୍ୟୁରୋ: ଓଡିଶା ଉପରେ ବାତ୍ୟାର ବାଦଲ ଘୂରି ବୁଲୁଥିବା ବେଳେ, ରାଜ୍ୟର କଂଗ୍ରେସ ସଂଗଠନରେ ମଧ୍ୟ ନେତୃତ୍ୱକୁ ନେଇ ଝଡ ଉଠିଛି । ପିସିସିର ମଙ୍ଗ କିଏ ଧରିବ, ସେ ନେଇ ୯ ବିଧାୟକଙ୍କ ସହ ୧୭ ନେତା ହାଇକମାଣ୍ଡଙ୍କ ସହ ଆଲୋଚନା କରିବାକୁ ଦିଲ୍ଲୀ ଯାଇଛନ୍ତି ।

ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ନୂଆଦିଲ୍ଲୀ ଗସ୍ତରେ ରାଜ୍ୟ କଂଗ୍ରେସ ନେତା । ଦଳୀୟ ସଂଗଠନକୁ ଆମୂଳଚୁଳ ପରିବର୍ତନ ପାଇଁ ହେବ ବିଚାର ବିମର୍ଷ । କାହାକୁ ସଭାପତି କଲେ ଦଳର ସ୍ଥିତିକୁ ପୁଣି ମଜବୁତ କରି ହେବ ସେ ନେଇ ହାଇକମାଣ୍ଡଙ୍କ ସହ ହେବ ଆଲୋଚନା । ଏହା ସହ ବିଧାୟକଦଳ ନେତା, କାର୍ଯ୍ୟକାରୀ ସଭାପତି, ପଦାଧିକାରୀଙ୍କ ତାଲିକା ବି ବଦଳିବ ବୋଲି କୁହାଯାଉଛି । କେବଳ ସଂଗଠନ ନୁହେଁ, ୨୦୨୪ ସାଧାରଣ ନିର୍ବାଚନ ପାଇଁ ରୋଡମ୍ୟାପ ବିଷୟରେ ତର୍ଜମା ହେବ ବୋଲି କହିଛନ୍ତି ଦିଲ୍ଲୀ ଗସ୍ତରେ ଥିବା ଓଡିଶା କଂଗ୍ରେସ ନେତା ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୂର୍ବରୁ ସଭାପତି ପଦ ରେସରେ ପୂର୍ବତନ ସଭାପତି ଶରତ ପଟ୍ଟନାୟକଙ୍କ ନାଁ ସଭୁଠାରୁ ଆଗରେ ଥିବା ଚର୍ଚ୍ଚା ହେଉଥିବା ବେଳେ, ସେ କିନ୍ତୁ ରେସରେ ନଥିବା କଥା କହିଛନ୍ତି । ଅପରପକ୍ଷରେ ବିଧାୟକ ମାନଙ୍କ ଭିତରୁ ଜଣଙ୍କୁ ସଭାପତି କରିବା ପାଇଁ ଦାବି ମଧ୍ୟ ଉଠିଛି । ଏହା ସହ ବିଧାୟକଦଳ ପଦବୀ କରିବର୍ତନ ପାଇଁ ମଧ୍ୟ ଭିଡି ବସିଛନ୍ତି କିଛି ବିଧାୟକ ।

ବଡ କଥା ହେଉଛି କଂଗ୍ରେସର ୯ ଜଣ ବିଧାୟକ ଦୁିଇଟି ଗୋଷ୍ଠୀରେ ଭାଗ ହୋଇ ଦିଲ୍ଲୀ ଗସ୍ତ କରିଥିବା ଜଣା ପଡିଛି । ବିଧାୟକ ତାରା ପ୍ରସାଦ ବାହିନୀପତି ନିଜ ସମର୍ଥକ ବିଧାୟକଙ୍କୁ ନେଇ ପୁର୍ବରୁ ରାଜଧାନୀରେ ଡେରା ପକାଇଥିବା ବେଳେ, ଅନ୍ୟତମ ଦାବିଦାର ମହମ୍ମଦ ମୋକିମ ରବିବାର ଅନ୍ୟ କିଛି ବିଧାୟକଙ୍କ ସହ ଗସ୍ତ କରିଛନ୍ତି ।

କୁହାଯାଉଛି ସୋମବାର ହାଇକମାଣ୍ଡଙ୍କ ସହ ଆଲୋଚନା ପରେ ଦଳକୁ ମିଳିବ ନୂଆ ମୁଖିଆ । ତେଣୁ ମୁଣ୍ଡ ଉପରେ ଥିବା ବ୍ରଜରାଜନଗର ଉପ-ନିର୍ବାଚନରେ ଦଳର ଲଢେଇ ବୟାନ କରିବ ଯେ, ରାହୁଲଙ୍କ ମନ୍ତ୍ର ରାଜ୍ୟ କଂଗ୍ରେସକୁ କେତେ ସୁଧାରି ପାରୁଛି ।