ଭୀଷଣ ବାତ୍ୟାର ରୂପ ନେଲା ‘ଅସାନି’ । ଘଣ୍ଟାପ୍ରତି ୧୪ କିିିମି ବେଗରେ ସ୍ଥଳଭାଗ ମୁହାଁ । ପୁରୀ ଠାରୁ ୮୮୦ କିମି ଦୂରରେ କେନ୍ଦ୍ରୀଭୂତ ।

245

କନକ ବ୍ୟୁରୋ : ଭୀଷଣ ବାତ୍ୟାର ରୂପ ନେଲା ‘ଅସାନି’ । ଘଣ୍ଟାପ୍ରତି ୧୪ କିିିମି ବେଗରେ ଏହା ସ୍ଥଳଭାଗ ମୁହାଁ ହେଉଛି । ପୁରୀ ଠାରୁ ୮୮୦ କିମି ଦୂରରେ ଏହା କେନ୍ଦ୍ରୀଭୂତ ହେଉଛି । ଭୀଷଣ ସାମୁଦ୍ରିକ ଝଡ ବର୍ତ୍ତମାନ ଧିରେ ଧିରେ ସ୍ଥଳଭାଗ ମୁହାଁ ହେବାରେ ଲାଗିଛି । ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇଉଠିଛି । ପବନର ବେଗ ମଧ୍ୟ ଘଂଟା ପ୍ରତି ୮୦ରୁ ୯୦ କିଲୋମିଟର ରହିଛି । ଯାହାର ଝଟକା ୧୦୦ କିଲୋମିଟର ପର୍ଯ୍ୟନ୍ତ ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେବେ ଏହା ସମୁଦ୍ର ଭିତରେ ହେଉଥିବାରୁ ସ୍ଥଳ ଭାଗରେ ପ୍ରଭାବ ପଡ଼ୁନାହିଁ । କିନ୍ତୁ ବାତ୍ୟା ଯେତିକି ଉପକୂଳର ନିକଟବର୍ତି ହେବ, ସେତିକି ପ୍ରଭାବ ଅନୁଭୂତ ହେବ ।

ବର୍ତମାନର ଆକଳନ ଅନୁସାରେ ସ୍ଥଳ ଭାଗରେ ହୁଏତ ପବନର ବେଗ ଅଧିକ ହୋଇ ନପାରେ । ତେବେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରାଯାଉଛି । ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୦ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ୧୧ ତାରିଖରେ ୫ ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୨ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ରହିପାରେ ।