ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛି ବ୍ରଜରାଜନଗର: ବିଜେଡିର କିଏ ହେବେ ପ୍ରାର୍ଥୀ ଏଯାଏଁ ରହିଛି ସସପେନ୍ସ

73

କନକ ବ୍ୟୁରୋ: ବ୍ରଜରାଜନଗର ନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାଁ ଘୋଷଣା କରିବା ପରେ ଏବେ ସମସ୍ତଙ୍କ ନଜର ରହିଛି, ବିଜେଡିର ପ୍ରାର୍ଥୀଙ୍କ ଉପରେ । ଅନ୍ୟପଟେ ନିର୍ବାଚନ ସମୟ ପାଖେଇ ଆସୁଥିବାବେଳେ, ଉପନିର୍ବାଚନରେ କିଏ କେତେ ଭୋଟରେ ବିଜୟୀ ହେବେ ସେନେଇ ମଧ୍ୟ ରାଜନେତାମାନେ ଅଙ୍କ କଷିବା ଆରମ୍ଭ କରିଦେଇଛନ୍ତି ।

ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସରୁ କିଶୋର ପଟେଲ, ବିଜେପିରୁ ରାଧାରାଣୀ ପଣ୍ଡା , ହେଲେ ବିଜେଡିରୁ କିଏ । କଂଗ୍ରେସ ଓ ବିଜେପି ପକ୍ଷରୁ ପ୍ରାର୍ଥୀ ଚୟନ ପ୍ରାୟ ଶେଷ ହୋଇଥିବାବେଳେ ଶାସକ ବିଜୁ ଜନତା ଦଳ କାହା ଉପରେ ଭରସା କରିବ, ଏହି କାର୍ଡ ଉପରୁ ପରଦା ହଟାଇନି ।

କଂଗ୍ରେସର ପୁରୁଖା ନେତା କିଶୋର ପଟେଲ ପ୍ରାର୍ଥୀ ହେବା ଏକପ୍ରକାର ଚୂଡାନ୍ତ ହୋଇଛି । ବିଧିବଦ୍ଧ ଭାବେ ନାଁ ଘୋଷଣା ହୋଇନଥିଲେ ବି କିଶୋରଙ୍କୁ ପ୍ରାର୍ଥୀ କରିବାକୁ ଦଳ ନିଷ୍ପତି ନେଇଥିବା ଜଣାପଡିଛି ।.. ବିଜେପି ମଧ୍ୟ ପ୍ରାର୍ଥୀ ଚୂଡାନ୍ତ କରିଛି । ଶେଷରେ ପୂର୍ବତନ ବିଧାୟକ ରାଧାରାଣୀ ପଣ୍ଡାଙ୍କ ନାଁରେ ମୋହର ମାରିଛି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି । ରାଧାରାଣୀଙ୍କ ନାଁରେ ମୋହର ବାଜିବା ପରେ ଦଳର ନିଷ୍ପତି ଶିରୋଧାର୍ଯ୍ୟ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ଶାସକ ବିଜେଡି କାହାକୁ ପ୍ରାର୍ଥୀ କରିବ ତା ଉପରେ ସମସ୍ତଙ୍କ ନଜର ରହିଛି । କୁହାଯାଉଛି, ପୂର୍ବ ଉପନିର୍ବାଚନ ଭଳି ବ୍ରଜରାଜନଗରରେ ବି ସିମ୍ପାଥି କାର୍ଡ ଖେଳିପାରେ ବିଜେଡି । ପଶ୍ଚିମ ଓଡିଶାର ପ୍ରମୁଖ ଚେହେରା ସ୍ୱର୍ଗତ କିଶୋର ମହାନ୍ତିଙ୍କ ଧର୍ମପତ୍ନୀ ଅଳକା ମହାନ୍ତିଙ୍କୁ ମୈଦାନକୁ ଆଣି ମାଷ୍ଟରଷ୍ଟ୍ରୋକ ଖେଳିପାରନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଏପରିକି କିଛିଦିନ ତଳେ ବ୍ରଜରାଜନଗରରେ ବସିଥିବା ବୈଠକରେ ତାଙ୍କ ନାଁ ଚୂଡାନ୍ତ ହୋଇସାରିଥିବା କୁହାଯାଉଛି ।

ବିଜେଡିର ପ୍ରାର୍ଥୀ ଚୂଡାନ୍ତ ହୋଇନଥିଲେ ବି ଆଗୁଆ ଅଙ୍କକଷା ଆରମ୍ଭ ହୋଇଛି । ବିଜେଡି ନେତା ସୁବାସ ସିଂ କହିଛନ୍ତି ବ୍ରଜରାଜନଗର ଉପନିର୍ବାଚନରେ ୫୬ ହଜାରରୁ ଅଧିକ ଭୋଟରେ ଆଗୁଆ ରହିଛି ଦଳ । ବ୍ୟବଧାନକୁ ଆହୁରି ବଢ଼ାଇବାକୁ ପ୍ରକ୍ରିୟା ଚାଲୁ ରଖିଛି ଦଳ । ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଜୋରଦାର ଲଢ଼େଇ କରିବ କଂଗ୍ରେସ । ବିଜେପି କହିଛି, ରାଧାରାଣୀ ସର୍ବଶ୍ରେଷ୍ଠ ପ୍ରାର୍ଥୀ । ତାଙ୍କ ବିଜୟ ପାଇଁ ମିଳିମିଶି ଲଢ଼େଇ କରିବ ଦଳ ।

୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି ରାଧାରାଣୀଙ୍କୁ ୧୧ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ । କିନ୍ତୁ ପଂଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପରେ ସମୀକରଣ ବଦଳିଥିବାରୁ ଏହା ସମସ୍ତଙ୍କ ପାଇଁ ଏସିଡ୍ ଟେଷ୍ଟ ହେବ ବୋଲି କୁହାଯାଉଛି ।