ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ବଢ଼ିଲା କାର୍ଯ୍ୟକାଳ : ୬ ମାସ ବୃଦ୍ଧି ପାଇଁ କେନ୍ଦ୍ରର ଅନୁମୋଦନ

184

କନକ ବ୍ୟୁରୋ : ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବଢିଲା । ୨୦୨୩ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢାଇ ଦିଆଯାଇଛି । ଅନୁମୋଦନ କଲେ କେନ୍ଦ୍ର ସରକାର । ଚଳିତ ମାସରେ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ସରୁଥିଲା । ପ୍ରଶାସନିକ ମହଲରେ ଜଣେ ଦକ୍ଷ ଅଧିକାରୀ ଭାବେ ଜଣାଶୁଣା ସୁରେଶ ମହାପାତ୍ର ୧୯୮୬ ମସିହାରେ ସର୍ବଭାରତୀୟ ସେବାରେ ଯୋଗଦାନ କରିଥିଲେ । ତାଙ୍କର ଚାକିରି ଜୀବନରେ ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପଦବୀରେ ସଫଳତାର ସହ କାର୍ଯ୍ୟ କରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ।

ନିଜର ଚାକିରି ଜୀବନ ଆରମ୍ଭ ହୋଇଥିଲା ନୂଆପଡ଼ା ଜିଲ୍ଲାରୁ। ଏହାପରେ ୧୯୯୦ରେ ପୁରୀ ଜିଲ୍ଲାର ଏଡିଏମ୍ ଭାବେ ଅବସ୍ଥାପିତ ହୋଇଥିଲେ ସୁରେଶ ଚନ୍ଦ୍ର ମହାପାତ୍ର । ଘଟଣାଚକ୍ରରେ ଜଗନ୍ନାଥ ଧାମ ପୁରୀ ସହ ତାଙ୍କର ଗଢ଼ି ଉଠିଥିଲା ନିଆରା ସମ୍ପର୍କ । ୧୯୯୬ ମସିହାରେ ମହାପ୍ରଭୁଙ୍କ ନବକଳେବର ସମୟରେ ସେ ପୁରୀର ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଥିଲେ । ଏହି ସମୟରେ ଶ୍ରୀମନ୍ଦିର ମେଘନାଦ ପାଚେରୀ ଚତୁଃପାର୍ଶ୍ୱରେ ଥିବା ଜବରଦଖଲକୁ ହଟାଇ ନବକଳେବର ଯାତ୍ରା ସୁରୁଖୁରୁରେ ସଂପନ୍ନ ହେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ସେ । ପରବର୍ତ୍ତୀ ସମୟରେ ସେ ପୁରୀ ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ ଭାବେ ନିଯୁକ୍ତ ହୋଇଥିଲେ ।

ଦୀର୍ଘ ୩ ବର୍ଷ ଧରି ସେ ଏହି ପଦବୀରେ ରହି ମନ୍ଦିର ପରିଚାଳନାକୁ ଶୃଙ୍ଖଳିତ କରିବାରେ ବ୍ରତୀ ରହିଥିଲେ । ତେବେ ଏହାପରେ ୨୦୧୫ ମସିହାରେ ଶ୍ରୀଜଗନ୍ନାଥଙ୍କ ନବକଳେବରର ଅବ୍ୟବହିତ ପୂର୍ବରୁ ତାଙ୍କୁ ପୁଣି ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ ଭାବେ ଅବସ୍ଥାପିତ କରାଯାଇଥିଲା । ଜଗନ୍ନାଥ ମନ୍ଦିର ସହ ତାଙ୍କର ସଂପର୍କ ଏବେ ବି ଅତୁଟ ରହିଛି, ସଂପ୍ରତି ସେ ଶ୍ରୀମନ୍ଦିର ପରିଚାଳନା ସମିତିର କାର୍ଯ୍ୟକାରୀ ଅଧ୍ୟକ୍ଷ ରହିଛନ୍ତି ।

ନିଜର କାର୍ଯ୍ୟକାଳ ଭିତରେ ସେ କଟକର ଆରଡିସି, ଶକ୍ତି ସଚିବ, ଜଳ ସମ୍ପଦ ସଚିବ ଏବଂ ଜଙ୍ଗଲ ବିଭାଗର ସଚିବ ଭାବେ ପ୍ରାୟ ୧୦ ବର୍ଷ ଅତିବାହିତ କରିଥିଲେ । ଏହି ସମୟ ମଧ୍ୟରେ ବହୁ ସଫଳତାର ସହିତ ମେଗା ଲିଫ୍ଟ, ଡିପ୍ ବୋରୱେଲ୍, ଚେକ୍ ଡ୍ୟାମ୍ ଏବଂ ଇକୋ ଟୁରିଜିମ୍ ଭଳି ଅଭିନବ ଯୋଜନାର ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମଗୁଡିକ ଖୁବ୍ ସଫଳ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ସଫଳ ଯୋଜନା ଭାବେ ପରିଗଣିତ ହୋଇଥିଲା ।