ଶ୍ମଶାନରେ ଜଳୁଛି ସ୍ୱାମୀର ଚିତା, ସେପଟେ ପ୍ରେମିକ ହାତ ଧରି ଚମ୍ପଟ ମାରିଲା ସ୍ତ୍ରୀ : ରାଜକନିକା ଭାମଣ୍ଡା ଗାଁରୁ ଆସିଲା ଭାଇରାଲ ଚିତ୍ର

765

କନକ ବ୍ୟୁରୋ : ବିବାହ ପରେ ପ୍ରେମ ହୁଏ କି ? ପ୍ରେମ ଜଣଙ୍କୁ ଅମାନବୀୟ କରି ଦିଏ କି ? ଏ ପ୍ରକାରର ପ୍ରଶ୍ନ ସମାଜରେ ବାରମ୍ବାର ଉଠେ । ଏହି ଘଟଣାକୁ ବିଭିନ୍ନ ଲୋକ ବିଭିନ୍ନ ପ୍ରକାରରେ ଦେଖନ୍ତି । ବିବାହ ପରେ ପ୍ରେମ ହୁଏ, ହେବାରେ ଅସୁବିଧା ବି ନାହିଁ, କିନ୍ତୁ ପ୍ରେମିକ ପାଇଁ ମଣିଷ ଯଦି ନୃଶଂସ ହୋଇଯାଏ, ତେବେ କଥାଟି ଚର୍ଚ୍ଚାର ପରିସରକୁ ଆସେ ।

ତିନୋଟି ଚିତ୍ର ତିନିଟି କାହାଣୀ କହିବ, କିନ୍ତୁ ଏ କାହାଣୀର ନାୟକ ଓ ନାୟିକାଙ୍କୁ ଆପଣ ସ୍ଥିର କରିବେ । କାହାଣୀରେ ଅଛନ୍ତି ୬ ଜଣ ଚରିତ୍ର । ଜଣେ ସ୍ୱାମୀ , ଜଣେ ସ୍ତ୍ରୀ, ଜଣେ ପ୍ରେମିକ, ଆଉ ତା ସହ ସ୍ୱାମୀ ସ୍ତ୍ରୀଙ୍କ ୩ ଜଣ ଶିଶୁ । ସ୍ୱାମୀଙ୍କ ମୃତ୍ୟୁ ହୋଇଛି, ସ୍ତ୍ରୀ ପ୍ରେମିକ ସହ ଫେରାର୍ ହେଉଛି, ଆଉ ଏଥିରେ କିଛି ଦୋଷ ନ କରିଥିବା ଶିଶୁମାନେ ଭାଗ୍ୟକୁ ଆଦରି ପ୍ରତିକ୍ରିୟା ରଖୁଛନ୍ତି । ଏ ଚିତ୍ର ସମାଜିକ ବ୍ୟବସ୍ଥାର ଗୋଟିଏ ଚିତ୍ରକୁ ଆପଣଙ୍କ ଆଗରେ ସ୍ପଷ୍ଟ କରିବ ।

ଜଳୁଛି ସ୍ୱାମୀର ଚିତା

ଜଳୁଛି ସ୍ୱାମୀର ଚିତା । ରାଜକନିକା ଭାମଣ୍ଡା ଗାଁର ରଙ୍ଗାଧର ଦାସ । ଗତ ୧୭ ତାରିଖ ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ । ହେଲେ ଆଉ ଘରକୁ ଫେରି ନଥିଲେ । ୫ ଦିନ ପରେ ଗାଁ ନିକଟରେ ଥିବା ସିମିଳିମାହାରା ଜୋର ନିକଟରୁ ରଙ୍ଗାଧରଙ୍କ କ୍ଷତାକ୍ତ ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା । ପରେ ତାଙ୍କୁ ହତ୍ୟା କରିବାକୁ ଅଭିଯୋଗ ହୋଇଛି । ରଙ୍ଗାଧରଙ୍କ ପିଲା ଏହି ଅଭିଯୋଗ କରିଛନ୍ତି । ରଙ୍ଗାଧର ଦାସ ପତ୍ନୀ ରତ୍ନମଣିଙ୍କ ଅବୈଧ ସମ୍ପର୍କକୁ ସବୁବେଳେ ବିରୋଧ କରୁଥିଲେ । ଏହାକୁ ନେଇ ସବୁବେଳେ ଘରେ ଝଗଡା ଲାଗି ରହୁଥିଲା । କେବଳ ସେତିକି ନୁହେଁ ସ୍ୱାମୀଙ୍କୁ ଜୀବନରୁ ମାରି ଦେବା ପାଇଁ ମଧ୍ୟ ଧମକ ଦେଇଥିଲେ ପତ୍ନୀ ରତ୍ନମଣି ଓ ତାଙ୍କ ପ୍ରେମିକ ଅସିତ ।

ପ୍ରେମିକ ସହ ଫେରାର ସ୍ତ୍ରୀ

ଗୋଟିଏ ପଟେ ଶ୍ମଶାନରେ ସ୍ୱାମୀର ଚିତା ଜଳୁଛି । ଆଉ ସେପଟେ ପ୍ରେମିକ ସହ ଫେରାର୍ ହୋଇଯାଇଛି ସ୍ତ୍ରୀ । ପ୍ରେମିକର ହାତ ଧରି ଗାଁରୁ ଫେରାର ହୋଇଯାଇଛି ସଦ୍ୟ ବିଧବା ସ୍ତ୍ରୀ । ଗାଁ ଦାଣ୍ଡ ଦେଇ ପ୍ରେମିକ ହାତ ଧରି ଫେରାର ହେଉଥିବାର ଭିଡିଓ ଏବେ ଭାଇରାଲ ହେଉଛି । ଏଭଳି ଦୃଶ୍ୟ ଆସିଛି ରାଜକନିକା ଥାନା ଅନ୍ତର୍ଗତ ଭାମଣ୍ଡା ଗାଁରୁ । ଗାଁ ଲୋକେ ଏହି ଦୃଶ୍ୟକୁ କେହି ମୋବାଇଲରେ ସୁଟ୍ କରିଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ପ୍ରେମିକ ସହ ଫେରାର ହୋଇଥିବା ମହିଳା ଜଣଙ୍କ ତିନୋଟି ପିଲାର ମାଆ ।

ବାପା/ମା’ ଚାଲିଗଲା ପରେ ଘରେ ପିଲା

ବାପା ଆରପାରିରେ । ଆଉ ପ୍ରେମିକ ସହ ଚାଲିଗଲା ମାଆ । ଏବେ ଘରେ ରହିଯାଇଛନ୍ତି ୨ ଝିଅ, ଗୋଟିଏ ପୁଅ ।