କେଉଁ କାରର କେତେ ଦାମ୍ ! ଆଉ ୪ ଦିନ ପରେ ସାରା ଦେଶରେ ଟିକସ ବ୍ୟବସ୍ଥାରେ ହେବ ଐତିହାସିକ ପରିବର୍ତ୍ତନ

39

କନକ ବ୍ୟୁରୋ : ଆପଣ କାର୍ କିଣିବା ପାଇଁ ଯୋଜନା କରୁଛନ୍ତି କି? ଦେଶରେ ନୂଆ କର ଲାଗୁ ହେବା ପରେ କେଉଁ କାର୍ ଆପଣଙ୍କୁ ବଜେଟକୁ ସୁହାଇବ । କେଉଁ କାର ଶସ୍ତା ହେବ, ଆଉ କେଉଁ କାର୍ ମହଙ୍ଗା ପଡ଼ିବ । ଜୁଲାଇ ୧ ତାରିଖରୁ ସାରା ଦେଶରେ ନୂଆକରି ଦ୍ରବ୍ୟ ଓ ସେବା କର ଲାଗୁ ହେଉଥିବାରୁ ଆମେ ଆରମ୍ଭ କରିଛୁ ଏକ ଅଭିଯାନ । ଯେଉଁଥିରେ ଲୋକଙ୍କୁ ନୂଆ କର ବ୍ୟବସ୍ଥା ନେଇ ଲୋକଙ୍କୁ ଅବଗତ କରିବାର ପ୍ରୟାସ କରିବୁ । ଏହିକ୍ରମରେ ଦେଖନ୍ତୁ ଜିଏସଟି ଲାଗୁ ହେବା ପରେ କେଉଁ କାର ଶସ୍ତା ହେଉଛି, ଆଉ କେଉଁ କାର ମହଙ୍ଗା ହେଉଛି ।
ନୂଆ କର ବ୍ୟବସ୍ଥା ହେବା ପୂର୍ବରୁ ସମସ୍ତ କାରକୁ ୪ଟି ବିଭାଗର ବିଭକ୍ତ କରାଯାଇଛି । ସ୍ମଲ୍ ବା’ ଛୋଟ କାର, ମିଡ୍ ବା ମଧ୍ୟମ ଶ୍ରେଣୀୟ କାର, ଲଗ୍ଜରି ବା ବିଳାସପୂର୍ଣ୍ଣ କାର ଏବଂ ଏସ୍ୟୁଭି ବା ସ୍ପେର୍ଟସ ୟୁଟିଲିଟି ଭାଇକିଲ୍ ।

ସ୍ମଲ୍ ବା ଛୋଟ କାର
ଛୋଟ କାର ଅର୍ଥାତ୍ ଲମ୍ବା ୪ମିଟରରୁ କମ୍ । ପେଟ୍ରାଲ୍ ଇଂଜିନ୍ ପାଇଁ ୧.୨ ଲିଟର ଭିତରେ ଏବଂ ଡିଜେଲ୍ ଇଂଜିନ୍ ୧.୫ ଲିଟରରୁ କମ୍ । ଏହି ଶ୍ରେଣୀୟ କାର ପାଇଁ ବର୍ତ୍ତମାନ ଆପଣଙ୍କୁ ୧୨.୫ ସେଂଟାଲ ଏକ୍ସାଇଜ୍, ୧ ପ୍ରତିଶତ ଇନ୍ଫ୍ରା ସେସ୍ ଏବଂ ୧୨.୫ରୁ ୧୪.୫ ପ୍ରତିଶତ ଭାଟ୍ ଦେଉଛନ୍ତି । ଅର୍ଥାତ୍ ମୋଟ୍ ଉପରେ ୨୬ରୁ ୨୮ ପ୍ରତିଶତ ଟିକସ ଦେଉଛନ୍ତି । କାର ଉପରେ ଜିଏସ୍ଟି ୨୮ ପ୍ରତିଶତ ଥିବାରୁ ଛୋଟ ଶ୍ରେଣୀୟ ପେଟ୍ରୋଲ କାର ପାଇଁ ଅତିରିକ୍ତ ୧ ପ୍ରତିଶତ ଏବଂ ଡିଜେଲ କାର ପାଇଁ ୩ ପ୍ରତିଶତ କର ଦେବାକୁ ହେବ ।

ଆପଣ ବର୍ତ୍ତମାନ ଯେଉଁ ରେନଲ୍ଡ କ୍ୱିଡ୍ ଏସ୍ଟିଡି ୦.୮ ପେଟ୍ରୋଲ କାର ୨ ଲକ୍ଷ ୬୫ ହଜାରରେ କିଣୁଛନ୍ତି ତାହା ଏଣିକି ୨ ଲକ୍ଷ ୭୧ ହଜାର ହେବ । ସେହିପରି ମାରୁତି ସୁଜୁକି ଡିଜାୟର ଡିଜେଲ୍ ଅଟୋମେଟିକ୍ ଯାହା ୭ ଲକ୍ଷ ୭୬ ହଜାର ପଡୁଛି, ସେଥିପାଇଁ ଆପଣଙ୍କୁ ଅଧିକ ୨୧ ହଜାର ଗଣିବାକୁ ପଡ଼ିବ ।

ମିଡ୍ ବା ମଧ୍ୟମ ଶ୍ରେଣୀୟ କାର୍
ମିଡ୍ ବା ମଧ୍ୟମ ଶ୍ରେଣୀୟ କାର ଅର୍ଥାତ୍ ଲମ୍ବା ୪ ମିଟର ଏବଂ ୧୫ଶହ ସିସି । ଯେଉଁଥି ପାଇଁ ୪୧.୫ ପ୍ରତିଶତ ଟିକସ ଦେବାକୁ ପଡୁଛି । ଜିଏସ୍ଟି ଲାଗୁ ହେବା ପରେ ଏହା ୪୩ ପ୍ରତିଶତ ହେବ । ଆପଣ ଯେଉଁ ହୋନ୍ଡା ସିଟି ୮ ଲକ୍ଷ ୭୧ ହଜାରରେ କିଣୁଛନ୍ତି ସେଥିରେ ଅଧିକ ୯ ହଜାର ଟଙ୍କା ଦେବାକୁ ପଡ଼ିବ ।

ଲଗଜୁରି ବା ବିଳାସପୂର୍ଣ୍ଣ କାର୍ 
ଜିଏସଟି ଲାଗୁ ହେବା ପରେ ସବୁ କାର୍ ମହାଙ୍ଗା ହେବ ନାହିଁ । ଅଡି ଏବଂ ବିଏମ୍ଡବ୍ଲୁ ଭଳି କାର ଜୁଲାଇ ୧ରୁ ଶସ୍ତା ହେବ । ବର୍ତ୍ତମାନ ଏହି ବର୍ଗର କାର୍ ପାଇଁ ୪୪.୫ ପ୍ରତିଶତ ଟିକସ ଥିବା ବେଳେ ଏହା ନୂଆ ଟିକସ ବ୍ୟବସ୍ଥା ଅନୁସାରେ ୪୩ ପ୍ରତିଶତ ହେବ । ଅର୍ଥାତ୍ ଅଡି ଏ-ଫୋର କାର ଯାହାର ଦାମ ୪୦.୨ ଲକ୍ଷ ରହିଛି । ତାର ଦାମ ପ୍ରାୟ ୪୧ ହଜାର କମିବ ।

ଏସୟୁଭି କାର୍
ଏସ୍ୟୁଭି ବା ସ୍ପେର୍ଟସ ୟୁଟିଲିଟି ଭାଇକିଲ୍ ପାଇଁ ଏବେ ୪୮ ପ୍ରତିଶତରୁ ଅଧିକ ଟିକସ ବ୍ୟବସ୍ଥା ଥିବା ବେଳେ ନୂଆ କର ଲାଗୁ ହେବା ପରେ ଏହା ୪୩ ପ୍ରତିଶତକୁ ଖସି ଆସିବ । ଉଦାହରଣ ସ୍ୱରୁପ ଟୟୋଟା ଫଚ୍ୟୁର୍ଣ୍ଣର ଡିଜେଲ ଯାହାର ଦାମ ଏବେ ୨୮.୨୬ ଲକ୍ଷ ରହିଛି ତାହା ଏଣିକି ୨୭.୨୧ ଲକ୍ଷରେ ପହଂଚିବ ।

ଆଉ ମାତ୍ର ୪ ଦିନର ଅପେକ୍ଷା, ସାରା ଦେଶରେ ଲାଗୁ ହେଇଯିବ ନୂଆ ଟିକସ ବ୍ୟବସ୍ଥା । ଦ୍ରବ୍ୟ ଓ ସେବା କର ଲାଗୁ ହେବା ପରେ ବଦଳିଯିବ ଦର ଦାମ । ଆଉ ଆପଣର ପସନ୍ଦର କାର ବି ଆପଣ ଠିକ୍ ଦାମରେ କିଣି ପାରିବେ ।