ସିଦ୍ଧୁଙ୍କୁ ନେଇ କ୍ୟାପଟେନ ଅମରିନ୍ଦର ସିଂଙ୍କ ବଡ ଖୁଲାସା, ସିଦ୍ଧୁଙ୍କୁ କ୍ୟାବିନେଟରେ ସାମିଲ କରିବାକୁ ଇମ୍ରାନ ଖାନ କରିଥିଲେ ସୁପାରିଶ

162

କନକ ବ୍ୟୁରୋ : ପଞ୍ଜାବ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ନେତାଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏହି କ୍ରମରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ପୂର୍ବତନ ବରିଷ୍ଠ ନେତା କ୍ୟାପଟେନ ଅମରିନ୍ଦର ସିଂ ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ସିଦ୍ଧୁ ଯେତେବେଳେ ଅସନ୍ତୁଷ୍ଟ ଥିଲେ ସେତେବେଳେ ତାଙ୍କୁ ପଞ୍ଜାବ କ୍ୟାବିନେଟରେ ସାମିଲ କରିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସୁପାରିଶ କରିଥିଲେ ।

କ୍ୟାପଟେନଙ୍କ କହିବା ମୁତାବକ ପାକିସ୍ତାନ ପ୍ରଧାନମନ୍ତ୍ରୀ ତାଙ୍କୁ ଅନୁରୋଧ କରିଥିଲେ କି ଯଦି ଆପଣଙ୍କ ଦ୍ୱାରା ସମ୍ଭବ ତେବେ ଆପଣ ସିଦ୍ଧୁଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିଦିଅନ୍ତୁ ଓ ସେ କାମ କରିନପାରିଲେ ତାଙ୍କୁ ବିଦା କରିଦେବେ । ସେ ମୋର ପୁରୁଣା ବନ୍ଧୁ ହୋଇଥିବାରୁ ତାଙ୍କ ପାଇଁ ସୁପାରିଶ କରୁଛି ବୋଲି ଇମ୍ରାନ ଏକ ମଧ୍ୟସ୍ଥି ମାଧ୍ୟମରେ କ୍ୟାପଟେନଙ୍କୁ ସୁପାରିଶ କରିଥଲେ ।

ଅନ୍ୟପଟେ ସିଦ୍ଧୁଙ୍କୁ ଟାର୍ଗେଟ କରି କ୍ୟାପଟେନ କହିଛନ୍ତି କି “ଯେଉଁ ଲୋକ ଦାବି କରୁଛି କି ସକାଳେ ଓ ସନ୍ଧ୍ୟାରେ ୧ ଘଂଟା ଲେଖାଏଁ ଇଶ୍ୱରଙ୍କ ସହ ସିଧା ସଳଖ କଥା ହେଉଛନ୍ତି ସେ ଲୋକ କିଭଳି ମାନସିକ ଭାବେ ସନ୍ତୁଳିତ ହୋଇପାରୁଛନ୍ତି ” କେବଳ ସେତିକି ନୁହେଁ କ୍ୟାପଟେନ କହିଛନ୍ତି କି ସିଦ୍ଧୁ ଯେତେଥର ଇଚ୍ଛା ସେତେଥର ପାକିସ୍ତାନ ଯାଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ଜେନରାଲ ବାଜୱାଙ୍କ ସହ ଝୁଲାରେ ଝୁଲନ୍ତୁ କିନ୍ତୁ ଏହାଦ୍ୱାରା ପଞ୍ଜାବର ଶାନ୍ତି ଫେରିବ ନାହିଁ ।