ବିଦେଶ ବୁଲିବା ନିଶା ବାବୁଙ୍କୁ ପଡିଲା ମହଙ୍ଗା ! ୫ଲକ୍ଷ ଲାଂଚ ମାଗି ସିବିଆଇ ହାତରେ ଧରାପଡିଲେ ଏନଟିପିସିର ଓଡିଆ ଅଧିକାରୀ

28

କନକ ବ୍ୟୁରୋ : ବାବୁଙ୍କ କାରନାମା ସାମ୍ନାକୁ ଆଣିଲା ସିବିଆଇ । ୫ଲକ୍ଷ ଟଙ୍କା ଲାଂଚ ମାଗି ସିବିଆଇ ଦ୍ୱାରା ବନ୍ଧାହେଲେ ଏନଟିପିସିର ଓଡିଆ ଅଫିସର କୂଳମଣି ବିଶ୍ୱାଳ । ପତ୍ନୀ ଓ ଝିଅ ସହ ବିଦେଶ ବୁଲିଯିବା ଲାଗି ଏକ ଖଣି କମ୍ପାନିଠାରୁ ମୋଟା ଅଙ୍କର ଲାଂଚ ମାଗିଥିଲେ ଏନଟିପିସି ଅର୍ଥ ବିଭାଗର ନିର୍ଦ୍ଦେଶକ କୂଳମଣି ବିଶ୍ୱାଳ । ବିଆରଜି ମାଇନିଂ ଆଣ୍ଡ ଇନଫ୍ରା କମ୍ପାନିର ଦୁଇ ଅଧିକାରୀଙ୍କଠାରୁ ୫ଲକ୍ଷ ଟଙ୍କା ଲାଂଚ ନେଇଥିବା ଅଭିଯୋଗରେ ସିବିଆଇ ଦିଲ୍ଲୀ ଏସିଆନ ଭିଲେଜସ୍ଥିତ ତାଙ୍କ ବାସଭବନ ଓ ହାଇଦ୍ରାବାଦ ଅଫିସରେ ଚଢାଉ କରିବା ପରେ ତାଙ୍କୁ ଗିରଫ କରିଛି ।

 ନିକଟରେ ବିଆରଜି କମ୍ପାନିକୁ ଏନଟିପିସି ଜରିଆରେ ତଲାଇପଲ୍ଲି କୋଇଲା ବ୍ଲକ ଆବଂଟନ ହୋଇଥିଲା । ଏହା ପଛରେ ବଡଧରଣର କିକବ୍ୟାକ ହୋଇଥିବା ସୁରାଗ ପାଇ ସିବିଆଇ ଚଢାଉ କରିଥିଲା । ଘଟଣାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବିଆରଜି ମାଇନିଂ କମ୍ପାନିର ନିର୍ଦ୍ଦେଶକ ରୋହିତ ରେଡ୍ଡି ଓ ତାଙ୍କ ସହଯୋଗୀ ପ୍ରଭାତ କୁମାରଙ୍କୁ ମଧ୍ୟ ଗିରଫ କରିଛି । ଏମାନଙ୍କ ବିରୋଧରେ ଦୁର୍ନୀତି ନିରୋଧୀ ଆଇନ ୧୯୮୮ର ଧାରା ୧୧ ଓ ୧୨ ସମେତ ଆଇପିସିର ଧାରା ୧୨୦ ବି ଅର୍ଥାତ ଅପରାଧ ଷଡଯନ୍ତ୍ର ମାମଲା ଲଗାଇଛି ।