ବାଙ୍ଗାଲୋରରୁ ଭାଇରାଲ ହେଲା ଓଡିଆ ଦାଦନ ଶ୍ରମିକଙ୍କ ଭିଡିଓ : ବିଦ୍ୟୁତ ଆଘାତରେ ଦୁର୍ବଳ ହୋଇପଡିବାରୁ ବାହାର କରିଦେଲା କଂପାନୀ

95

କନକ ବ୍ୟୁରୋ : ଦାଦନ ଖଟିବାକୁ ଯାଇ ବାଙ୍ଗାଲୋରରେ ଭିକ ମାଗୁଛନ୍ତି । ଦାଦନ ଶ୍ରମିକର ଏପରି ଦୁର୍ଦ୍ଦଶା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ପାଖ ଗୁଳିପାଟଣା ଗାଁର ଚଉବନ ନାୟକ ବାଙ୍ଗାଲୋର ଯାଇ ଅର୍ଥ ରୋଜଗାର କରିବାକୁ । ହେଲେ ବର୍ଷେ ହେଲା ଘରକୁ ଫେରି ପାରୁ ନାହାନ୍ତି ।

ବାଙ୍ଗଲୋର ରାସ୍ତାରେ ଓଡିଆ ଭିକାରୀ । ମୁଣ୍ଡରେ ପଗଡି,ଦେହରେ ପୋଷାକ କହିଲେ ଖଣ୍ଡିଏ ଗାମୁଛା । ବାଙ୍ଗଲୋରର ଗଳି କନ୍ଦିରେ ବୁଲି ହାତ ପତେଇ ଭିକ ମାଗୁଛନ୍ତି ଓଡିଆ ଯୁବକ । ବାଙ୍ଗଲୋରରେ ଭିକ ମାଗୁଥିବା ଦେଖି ଜଣେ ଓଡିଆ ଯୁବକ ଭିଡିଓ ସୁଟ କରି ସୋସିଆଲ ମିଡିଆରେ ଛାଡିଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଦେଖି ଯୁବକକୁ ଚିହ୍ନିଛନ୍ତି ପରିବାର ଲୋକେ । ସେ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଗୁଲିପାଟଣାର ଚଉବନ ନାୟକ । ଭିଡିଓ ଦେଖି ପରିବାର ଲୋକେ ଚଉବନକୁ ଘରକୁ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଘରେ ଝିଅ ଓ ସ୍ତ୍ରୀକୁ ଛାଡି ଅର୍ଥ ରୋଜଗାର ପାଇଁ ଚଉବନ ଯାଇଥିଲେ ବାଙ୍ଗଲୋର । କଂପାନୀରେ କାମ କଲା ବେଳେ ବିଦ୍ୟୁତ ଆଘାତରେ ସେ ଅସୁସ୍ଥ ହୋଇଥିଲେ । ହେଲେ କଂପାନୀ ତାଙ୍କୁ ଚିକିତ୍ସା କଲାନି କି ଆର୍ଥିକ ସହାୟତା ଦେଲାନି । ଓଲଟା କାମରୁ ବାହାର କରିଦେଲା । ଅନ୍ୟପଟେ ବେକାରୀ ଚଉବନଙ୍କୁ ରୁମରୁ ବାହାର କରିଦେଲେ ତାଙ୍କ ସହ ରହୁଥିବା ଓଡିଆ ଯୁବକମାନେ । ଅନ୍ୟ ଉପାୟ ନପାଇ ପେଟର ତାଡନାରେ ରାସ୍ତାକୁ ଭିକ ମାଗିବାକୁ ଓହ୍ଲାଇ ଆସିଲେ ଚଉବନ । ପରିବାର ଲୋକଙ୍କ ନିବେଦନ ପରେ ଚଉବନଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଉମରକୋଟ ଏସଡିପିଓ । ଦାଦନ ଖଟିବାକୁ ଯାଇ ବାଙ୍ଗଲୋର ଭିକାରୀ ହୋଇଥିବା ଚଉବନଙ୍କ କାହାଣୀ ଯେତେ କରୁଣ, ସେତେ ଅମଣିଷ ପଣିଆର ବି ଉଦାହରଣ ।