ଜନ୍ମମାଟି ଅଭିମୁଖେ ସହିଦ ଅଜିତ୍ ସାହୁଙ୍କ ପ୍ରାର୍ଥୀବ ଶରୀର: ରାସ୍ତାରେ ହଜାର ହଜାର ଲୋକଙ୍କ ଶ୍ରଦ୍ଧାଞ୍ଜଳି, କୋହଭରା କଣ୍ଠରେ ବାପା କହିଲେ ବୀର ପୁଅ ପାଇଁ ଗର୍ବିତ

268

କନକ ବ୍ୟୁରୋ: ଜନ୍ମମାଟି ଅଭିମୁଖେ ସହିଦ୍ ଅଜିତ୍ ସାହୁଙ୍କ ପ୍ରାର୍ଥୀବ ଶରୀର । ତେଙ୍କାନାଳରେ ଗାର୍ଡ ଅଫ ଅନର ଦିଆଯିବା ପରେ କାମାକ୍ଷାନଗର ଦେଇ ବଡସୁଆଳ ଗାଁକୁ ମରଶରୀରକୁ ନିଆଯାଉଛି । ସେଠାରେ ଅଜିତଙ୍କ ଶେଷ ଦର୍ଶନ ପାଇଁ ସମଗ୍ର ଅଂଚଳ ଲୋକାରଣ୍ୟ ହୋଇପଡିଛି ।ରାସ୍ତାରେ ହଜାର ହଜାର ଲୋକ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ପୈତୃକ ଗ୍ରାମରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ଅନ୍ତିମ ସଂସ୍କାର କରାଯିବ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ବିଳମ୍ବିତ ରାତ୍ରିରେ ଭୁବନେଶ୍ୱର ବିମାନବନ୍ଦରରେ ଅଜିତଙ୍କ ପ୍ରାର୍ଥୀବ ଶରୀର ପହଁଚିବା ପରେ ତାଙ୍କୁ ୧୨୦ ବାଟାଲିଆନ ପରିସରକୁ ନିଆଯାଇଥିଲା ।

ସେଠାରେ ତାଙ୍କୁ ୧୨୦ ବାଟାଲିଆନ ପକ୍ଷରୁ ତୋପ ସଲାମି ଦିଆଯାଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ବହୁ ମନ୍ତ୍ରୀ ଓ ନେତା ଅଜିତଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଆତଙ୍କବାଦୀଙ୍କ ଆକ୍ରମଣରେ ଜମ୍ମୁକଶ୍ମୀରର ପୁଲୱାମାରେ ସହିଦ୍ ହୋଇଛନ୍ତି ଢ଼େଙ୍କାନାଳ ବଡ଼ସୁଆଳ ଗାଁର ଅଜିତ ସାହୁ ।

ସହିଦଙ୍କୁ ଝୁରୁଛି ଜନ୍ମମାଟି କାମାକ୍ଷାନଗରର ବଡସୁଆଳ । ଅଜିତଙ୍କ ପ୍ରାର୍ଥୀବ ଶରୀର ଆସିବା ବାଟକୁ ଚାହିଁ ରହିଛନ୍ତିି ତାଙ୍କର ଆତ୍ମୀୟ ସ୍ୱଜନ, ଅଂଚଳବାସୀଙ୍କ ସମେତ ଅଜିତଙ୍କ ସହକର୍ମୀ ଯବାନମାନେ । ସାରା ଗାଁରେ ଲାଗି ରହିଛି ଶୋକାକୂଳ ପରିବେଷ । ମାଆ କୁମୁଦୁନିଙ୍କ ଆଖିରୁ ଲୁହ ଶୁଖୁନି, ବାରମ୍ବାର ମୁର୍ଚ୍ଚା ଯାଉଛନ୍ତି । ସେହିଭଳି ବାପା ସନ୍ତୋଷ ହତବାକ ହୋଇପଡିଛନ୍ତି । ବୀର ପୁଅକୁ ହରାଇ କୋହଭରା କଣ୍ଠରେ ଖୁସି ଅଛନ୍ତି ବୋଲି ସେ କହିଛନ୍ତି । କାନ୍ଦବୋବାଳିରେ ଫାଡି ପଡୁଛି ଜନ୍ମମାଟି ।