କେବଳ ଆଇପିଏଲ ନୁହେଁ ଦିନିକିଆ ବିଶ୍ୱକପରୁ ମଧ୍ୟ ବାଦ୍ ପଡିପାରନ୍ତି ପନ୍ତ । ଜାଣନ୍ତୁ କେମିତି ରହିଛି ତାଙ୍କର ସ୍ୱାସ୍ଥ୍ୟବସ୍ଥା?

366

କନକ ବ୍ୟୁରୋ : ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କୁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଥିବା ବେଳେ ଏବେ କୋକିଳାବେନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଋଷଭଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ତେବେ ଦୁର୍ଘଟଣା ପରେ ଋଷଭ କେତେ ଦିନ ପର୍ଯ୍ୟନ୍ତ ମୈଦାନରୁ ଦୂରେଇ ରହିବେ ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ । ଏପରିକି ପନ୍ତ ମୈଦାନକୁ ଫେରିବାକୁ ବର୍ଷେରୁ ଅଧିକ ସମୟ ଲାଗିପାରେ ବୋଲି ଚର୍ଚ୍ଚା ହେଉଛି । ଆଉ ଯଦି ଏପରି ହୁଏ ତେବେ କେବଳ ଆଇପିଏଲ ନୁହେଁ ବରଂ ଆଗାମୀ ଦିନିକିଆ ବିଶ୍ୱକପରୁ ମଧ୍ୟ ବାଦ୍ ପଡିପାରନ୍ତି ଋଷଭ ପନ୍ତ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପନ୍ତ ସୁସ୍ଥ ହୋଇ ମୈଦାନକୁ ଫେରିବାକୁ ୮ରୁ ୯ ମାସ ସମୟ ଲାଗିପାରେ । ତେଣୁ ଏହି ସମୟରେ ବଡ ବଡ ଟୁର୍ଣ୍ଣାମେଣ୍ଟ ଖେଳିବ ଭାରତ । ଯେଉଁଥିରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ରହିଥିବା ବେଳେ ଦିନିକିଆ ବିଶ୍ୱକପ ଓ ଏସିଆ କପ୍ ମଧ୍ୟ ରହିଛି । ତେଣୁ ଏସବୁ ମ୍ୟାଚ୍ ମିସ୍ କରିବେ ପନ୍ତ ।

ତେବେ ପନ୍ତଙ୍କ କ୍ଷତ କେତେ ଗମ୍ଭୀର ତାହା ଏମଆରଆଇ ରିପୋର୍ଟ ଆସିବା ପରେ ଜଣାପଡିବ । ଆଗାମୀ ୩ରୁ ୪ ଦିନ ମଧ୍ୟରେ ଏନେଇ ରିପୋର୍ଟ ମିଳିଯିବ । ଯେହେତୁ ପନ୍ତ ୱିକେଟ କିପର ଭାବେ ମୈଦାନକୁ ଓହ୍ଲାନ୍ତି ତେଣୁ ତାଙ୍କୁ ସମ୍ପୂର୍ଣ୍ଣ ଫିଟ୍ ହେବାକୁ ଆଉ କିଛି ମାସ ସମୟ ଲାଗିପାରେ ।

ପନ୍ତଙ୍କୁ ଯେଉଁ ଡାକ୍ତର ଚିକିତ୍ସା କରୁଛନ୍ତି ପୂର୍ବରୁ ସେହି ଡାକ୍ତର ସଚିନ୍ ତେନ୍ଦୁଲକର, ଯୁବରାଜ ସିଂ, ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଡେଜାଙ୍କ ଚିକିତ୍ସା କରିଛନ୍ତି । ଗତ ୩୦ ଡିସେମ୍ବରରେ ଉତ୍ତରାଖଣ୍ଡରୁ ଦିଲ୍ଲୀ ସ୍ଥିତ ଘରକୁ ଫେରୁଥିବା ବେଳେ ପନ୍ତଙ୍କ ଗାଡି ଡିଭାଇଡରେ ପିଟି ହୋଇ ଦୁର୍ଘଟଣାର ଶିକାର ହୋଇଥିଲା । କାରରେ ନିଆଁ ଲାଗି ଯାଇଥିଲେ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଥିଲେ ଋଷଭ ।