ବୈତରଣୀର ହେବ ଅକାଳ ମୃତ୍ୟୁ! ଆଷାଢ଼ରେ ଶୁଖିଲା ପଡିଛି ନଦୀ ଶଯ୍ୟା

86

କନକ ବ୍ୟୁରୋ: ବୈତରଣ ନଦୀକୁ ମାରି ଦେବାକୁ ଚକ୍ରାନ୍ତ! ଓଡିଶାର ପବିତ୍ରର ଗଙ୍ଗା କୁହାଯାଉଥିବା ବୈତରଣୀ ନଦୀ କଥା ବୁଝିବାକୁ କାହାପାଖରେ ସମୟ ନାହିଁ । ବାଲି ମାଫିଆଙ୍କ ଦୈରାତ୍ମ ଯୋଗୁ ନଦୀ ସ୍ରୋତର ଶର୍ଯ୍ୟା ଏବେ ଚାରଣ ଭୂମି ପାଲଟିଗଲାଣି । ବୈତରଣୀ ନଦୀର ଉପର ମୁଣ୍ଡରୁ ଆରମ୍ଭ କରି ତଳ ମୁଣ୍ଡ ଯାଏଁ କେଉଁଠି ନଦୀରୁ ସ୍ଲରି ପାଇପ ମାଧ୍ୟମରେ କମ୍ପାନୀ ମାନେ ପାଣି ଶୋଷି ନେଉଛନ୍ତି ତ ଆଉ କୋଉଠି ବାଲି ମାଫିଆ ମାନେ ନଦୀ ଗର୍ଭକୁ ଖୋଳି ନଦୀର ଜଳ ସ୍ତରକୁ ପ୍ରଭାବିତ କରୁଛନ୍ତି ହେଲେ ନାଁ ସ୍ଥାନୀୟ ଜିଲ୍ଲା ପ୍ରଶାସନ ନାଁ ସ୍ଥାନୀୟ ଜନ ପ୍ରତିନିଧି କେହିବି ଏହା ଉପରେ ଦୃଷ୍ଟି ଗୋଚର କରୁନାହାନ୍ତି । ବାଲି ମାଫିଆଙ୍କ ଦୈରାତ୍ମ ଯୋଗୁ ଚାରଣ ଭୂମି ପାଲଟିଲାଣି ନଦୀ ଶର୍ଯ୍ୟା ।

ବାଲି ଚରି ଯାଇଥିବା, ଗୁଳ୍ମ ଓ ଅନାବନା ଘାସ ଉଠିଥିବା ଏହି ସ୍ଥାନକୁ ଦେଖିଲେ ବୈତରଣୀ ନଦୀ ଭଳି ଆପଣଙ୍କର ମନେ ହେଉଛି କି? ଆଷାଢ ମାସରେ ବୈତରଣୀ ନଦୀର ଯେଉଁଠି ପାଣି ଉଛୁଳୁ ଥିବା କଥା, ସେହି ସ୍ଥାନରେ ଏବେ ଗୋରୁ ଚରୁଛନ୍ତି ।

ଆସ୍ଥା ବିଶ୍ୱାସର ପ୍ରତୀକ ବୈତରଣୀ ନଦୀର ଅକାଳ ମୃତ୍ୟୁ ହେବାକୁ ବସିଛି । ଯେଉଁ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ପିଣ୍ଡଦାନ କଲେ କୋଟିପୂଣ୍ୟ ମିଳେ ବୋଲି ଲୋକ ବିଶ୍ୱାସ ରହିଛି, ସେହି ବୈତରଣୀ ଏବେ ନଦୀର ପରିଚୟ ହଜାଇବାକୁ ବସିଛି । କେଉଁଠି ନଦୀର ସ୍ରୋତ ସରୁ ହୋଇ ନାଳର ଭ୍ରମ ସୃଷ୍ଟି କରୁଛି, କେଉଁଠି ଆଷାଢରେ ବି ନଦୀ ଶୁଖିଲା ପଡିଛି । ପୁଣି କେଉଁଠି ନଦୀ ଶଯ୍ୟା ଗୋ ଚାରଣ ଭୂମି ପାଲଟିଛି ।

କେନ୍ଦୁଝର ଗୋନାସିକା ପର୍ବତରୁ ବାହାରି ବୈତରଣୀ ୩୪୪ କିଲୋମିଟର ପଥ ଅତିକ୍ରମ କରି ଭଦ୍ରକ ଚାନ୍ଦବାଲି ମୁହାଣରେ ସମୁଦ୍ରରେ ମିଶିଛି । ଉପର ମୁଣ୍ଡରେ ସ୍ଲରୀ ପାଇପ ଜରିଆରେ କଂପୀନୀ ପାଣି ଶୋଷି ନେଉଛି । ଏପଟେ ଯାଜପୁରରେ ବାଲି ମାଫିଆ ଶହ ଶହ ଟ୍ରିପ ବାଲି ମାଟି ତାଡି ନେଉଛନ୍ତି । ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୈଦତରଣୀ ନଦୀର ଗତିପଥକୁ କୃତ୍ରିମ ଉପାୟର ବଦଳାଇବାକୁ ଉଦ୍ୟମ ଚାଲିଛି । ଆଉ ଏ ଦୃଶ୍ୟକୁ ଦେଖନ୍ତୁ ବୈତରଣୀ ନଦୀ ଗର୍ଭକୁ ହଜାର ହଜାର ଟ୍ରିପ ବାଲି ପକାଇ ପୋତା ଯାଉଛି । ମାଫିଆଙ୍କ ବେଆଇନ ବାଲି ଉତୋଳନ ସହ ଘରୋଇ କଂପାନୀ ବେହିସାବ ପାଣି ନେଉଥିବାରୁ ବୈତରଣୀ ନଦୀର ଅକାଳ ମୃତ୍ୟୁ ଆଶଙ୍କା ପ୍ରକାଶ ପାଇଛି ।

ଓଡିଶାର ଗଙ୍ଗା ବୋଲାଉଥିବା ବୈତରଣୀ ନଦୀର ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଏହାର ପ୍ରତିବାଦରେ ଯାଜପୁରରେ ସମାଜସେବୀ ଓ ସଚେତନ ନାଗରିକ ବୈତରଣୀ ବଂଚାଓ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।