ନବରଙ୍ଗପୁର ଉମରକୋଟରେ ଅଭାବନୀୟ ଘଟଣା । ଶ୍ମଶାନରେ ବିଜୁଳି ଆଲୁଅ ନଥିବାରୁ ବାଇକ୍ ଲାଇଟରେ ହେଲା ଅନ୍ତିମ ସଂସ୍କାର । 

52

କନକ ବ୍ୟୁରୋ: ଗାଡ଼ି ଲାଇଟରେ ହେଲା ଅନ୍ତିମ ସଂସ୍କାର । ନବରଙ୍ଗପୁର ଉମରକୋଟ୍ରେ ଥିବା ଏକ ଶ୍ମଶାନରେ ଲାଇଟ୍ ନଥିବାରୁ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ରକ୍ଷଣା ବେକ୍ଷଣା ଅଭାବରୁ ଶ୍ମଶାନଟି ଅନ୍ଧାରରେ ରହିଛି । ଗତ ଶନିବାର ଦିନ ଜଣଙ୍କ ଅନ୍ତିମ ସଂସ୍କାର ବାଇକ ଆଲୁଅରେ କରିଛନ୍ତି ପରିବାର ଲୋକେ ।

ସୂଚନା ଅନୁସାରେ ଉମରକୋଟ ସହର ଗୁଲିପାଟଣା ଗାଁର ନାଗେଶ୍ୱର ରାଓଙ୍କର ମୃତ୍ୟୁ ହୋଇଥିଲା । ତେବେ ଲୋକେ ଅନ୍ତିମ ସଂସ୍କାର କରିବା ପାଇଁ ରାତି ପ୍ରାୟ ୮ ଟା ସମୟରେ ଲୋକେ ପାଞ୍ଚ ନମ୍ବର ୱାର୍ଡ ଠାରେ ଥିବା ଶ୍ମଶାନକୁ ନେଇ ଯାଇଥିଲେ । ତେବେ ଶ୍ମଶାନ ଠାରେ ଆଲୁଅ ବ୍ୟବସ୍ଥା ଥିଲେ ହେଁ ଉପଯୁକ୍ତ ରକ୍ଷଣା ବେକ୍ଷଣର ଅଭାବ ଯୋଗୁ ଲାଇଟ ଲାଗି ନଥିଲା ଫଳରେ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯାଇଥିବା ଲୋକଙ୍କ ବାଇକ ଓ ପିକଅପ ଲାଇଟ ସହାୟତାରେ ଅନ୍ତିମ୍ ସଂସ୍କାର ହୋଇଥିଲା ।

ଅନ୍ୟପଟେ ଶ୍ମଶାନଟି ବଣବୁଦାରେ ଭରପୁର ହୋଇ ରହିଛି ତାକୁ ମଧ୍ୟ ସଫା କରିବାକୁ ବ୍ୟବସ୍ଥା କରାଯାଉ ନାହିଁ । ଆଲୁଅ ବ୍ୟବସ୍ଥାର ରକ୍ଷଣା ବେକ୍ଷଣ ପାଇଁ ଭୁବନେଶ୍ୱରର ଏକ ସଂସ୍ଥାକୁ ଦିଆ ଯାଇଛି । କିନ୍ତୁ ଏହି ସଂସ୍ଥା ତାର କାମ ଠିକ୍ ସେ ନିର୍ବାହ କରୁନଥିବା ସହରବାସୀ ଅଭିଯୋଗ କରିଛନ୍ତି । ତୁରନ୍ତ ଶ୍ମଶାନର ଲାଇଟ୍ ବ୍ୟବସ୍ଥା ଓ ଅଳିଆ ସଫା କରିବା ପାଇଁ ସାଧାରଣ ରେ ଦାବି ହୋଇଛି ।