ଯୌତୁକ ହତ୍ୟା ପ୍ରସଙ୍ଗରେ ରାୟ ଶୁଣାଇଲେ ସୁପ୍ରିମକୋର୍ଟ : ପ୍ରମାଣ ନଥିଲେ ସମ୍ପର୍କୀୟଙ୍କ ବିରୋଧରେ ଏତାଲା ହୋଇପାରିବ ନାହିଁ

38

କନକ ବ୍ୟୁରୋ : ବିବାହ ସଂପର୍କିତ ବିବାଦ ଏବଂ ଯୌତୁକ ହତ୍ୟା ଘଟଣାରେ ଆଜି ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କହିଛନ୍ତି, ଯୌତୁକଜନିତ ହତ୍ୟା ଘଟଣାରେ ସଂପୃକ୍ତି ନେଇ ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ସଂପର୍କୀୟଙ୍କ ବିରୋଧରେ ଏତଲା ହୋଇପାରିବ ନାହିଁ । ବିଚାରପତି ଏସ୍‌ ଏ ବୋବ୍‌ଡେ ଏବଂ ଏଲ୍‌ ନାଗେଶ୍ୱର ରାଓଙ୍କ ଖଣ୍ଡପୀଠ କହିଛନ୍ତି, ଏଭଳି ଘଟଣାରେ ହତ୍ୟାର ଶିକାର ହେଉଥିବା ମହିଳାଙ୍କ ସ୍ୱାମୀଙ୍କ ଦୂର ସଂପର୍କୀୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ । ଘଟଣାରେ ସେମାନଙ୍କ ସଂପୃକ୍ତିକୁ ସ୍ପଷ୍ଟ କରାଯିବା ପରେ ହିଁ ଏତଲା କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ।

ଜଣେ ବ୍ୟକ୍ତିଙ୍କ ମାମୁମାନଙ୍କ ଦ୍ୱାରା ହୋଇଥିବା ଏକ ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏଭଳି ରାୟ ଦେଇଛନ୍ତି । ଏକ ଯୌତୁକ ହତ୍ୟା ଘଟଣାରେ ଏମାନଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇ କାର୍ଯ୍ୟାନୁଷ୍ଠାନ ନେବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା । ଏହାକୁ ଚାଲେଞ୍ଜ୍‌ କରି ସେମାନେ ୨୦୧୬ରେ ହାଇଦ୍ରାବାଦ ହାଇକୋର୍ଟରେ ଆବେଦନ କରିଥିଲେ । ସେମାନେ ଦର୍ଶାଇଥିଲେ ଯେ ଘଟଣାରେ ସେମାନେ ସଂପୃକ୍ତ ନଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଅନୁଚିତ। କିନ୍ତୁ ହାଇକୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ଫଳରେ ସେମାନେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମ୍‌କୋର୍ଟରେ ଚାଲେଞ୍ଜ୍‌ କରିଥିଲେ ।