ଇଣ୍ଡିଆ ମେଣ୍ଟକୁ ନେଇ ମୁହଁ ଖୋଲିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଖଡଗେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପ୍ରସଙ୍ଗରେ କହିଲେ, ପଦ ପାଇଁ ନାହିଁ ଲାଳସା

148

କନକ ବ୍ୟୁରୋ: ଗତ କିଛି ଦିନରୁ ବିରୋଧୀ ମେଣ୍ଟରୁ ଦୁରେଇ ରହୁଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶେଷରେ ମୁହଁ ଖୋଲିଛନ୍ତି । ଇଣ୍ଡିଆ ମେଣ୍ଟ ଉପରେ ଖପ୍ପା ଥିବା ନୀତିଶ କହିଛନ୍ତି ଯେ, ସେ କାହା ଉପରେ ବି ରାଗିନାହାଁନ୍ତି । କେବଳ ସେତିକି ନୁହେଁ ନୀତିଶ ଆହୁରି ମଧ୍ୟ କହିଛନ୍ତି ମେଣ୍ଟଠାରୁ ତାଙ୍କର କିଛି ଉପେକ୍ଷା ନାହିଁ । ପଦ, ପଦବୀ ପାଇଁ ତାଙ୍କର ଲାଳସା ନଥିବା କଥା ସଫା କରିଛନ୍ତି ଜେଡିୟୁ ମୁଖ୍ୟ ନୀତିଶ କୁମାର । ୧୯ ଡିସେମ୍ବରରେ ଦିଲ୍ଲୀରେ ଆୟୋଜିତ ହୋଇଥିବା ଇଣ୍ଡିଆ ମେଣ୍ଟର ୪ର୍ଥ ବୈଠକରେ, ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଖଡଗେଙ୍କ ନା ପ୍ରସ୍ତାବ ଦେଇଥିଲେ । ଏହାପରଠାରୁ ନୀତିଶ କୁମାର ଖପ୍ପା ଥିବା କଥା ଚର୍ଚ୍ଚା ହେଉଥିଲା । ନୀତିଶ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ଅନେକ ଜେଡିୟୁ ନେତା ପୂର୍ବରୁ ଦାବି କରି ଆସୁଥିଲେ । ଆଉ ଖଡଗେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପ୍ରସଙ୍ଗ ଉଠିବା ପରେ ଏହା ନୀତିଶଙ୍କୁ ଧକ୍କା ଦେଇଥିଲା । ହେଲେ ଆଜି ସବୁ ବିବାଦ ଉପରୁ ପରଦା ଉଠାଇଛନ୍ତି ନୀତିଶ କୁମାର । ସେ ସଫେଇ ଦେଇ କହିଛନ୍ତି କାହା ଉପରେ ବି ସେ ରାଗିନାହାଁନ୍ତି ।