ଯେବେ ପୁଅ ମାରିଦିଏ ମା’ର ମମତା । କୋବି ପାଇଁ ପିଟିଲା କୁଳାଙ୍ଗାର ପୁଅ ।

479

କନକ ବ୍ୟୁରୋ: ଧନରେ ଭୋକ ଲାଗୁଥିଲା ବୋଲି ତୋ ବାଡ଼ିରୁ କୋବି ତୋଳିଆଣିଲି…
ତୁମ ଦୁଇ ଭାଇ ଝଗଡ଼ାରେ ମୋତେ ପର କରିଦେଇଛ…
ଖାଇବାକୁ ଦେଉନ, ପିନ୍ଧିବାକୁ ଦେଉନ କି ନାଇବାକୁ ଦେଉନ…
କି ପାପ କଲିରେ ଧନ ଖାଲି ତୋ ବାଡ଼ିରୁ ଭୋକ ବିକଳରେ କୋବି ଦୁଇଟା ଆଣିଥିଲି ବୋଲି!
ସ୍ନେହର ପଣତକୁ ଭୁଲି ସିମେଣ୍ଟଭରା ଖୁଣ୍ଟରେ ହାତ ଗୋଡ଼ ବାନ୍ଧି ଆଖିବୁଜା ପିଟିଚାଲିଲୁ…
ମୁଁ ତୋ ମା’ ନା ଭୋକମାରିବାକୁ ପାଲଟିଥିବା ଗୋଟେ ଚୋର ତୁ ଭାବିଲୁ?
ପିଲାଦିନେ ଠିକ୍ ଏମିତି ତୁ କେତେ ଅଳି ଅର୍ଦ୍ଦଳି କରୁଥିଲୁ ଭୋକ ପାଇଁ କାହା ବାଡ଼ି କାହା ଗଛରୁ ଫୁଲ ଫଳ ଚୋରାଇ ଆଣୁଥିଲୁ? ମୁଁ କ’ଣ ତୋତେ ଏମିତି ପଶୁ ଭଳି ପିଟିଥିଲି କି, ଲହୁଲୁହାଣ କରିଥିଲି କି?
ବୁଢ଼ୀ ମା’ଟିକୁ ବାଡେଇବା ଆଗରୁ ଥରେ ଭାବିଲୁନି ଯେ ଆଉ କେତେଦିନ ବଞ୍ଚିବି ଯେ?
ଦୁଇ ପୁଅକୁ ଜନ୍ମ କରି ଏ ବୟସରେ ବି ମୁଁ ବେସାହାରା, ବାର୍ଦ୍ଧକ୍ୟ ଓ ବିଚିତ୍ର ବିଧାତାର ଦୋଛକିରେ ମୁଁ ଖାଲି ଶାନ୍ତିର ନିଦ ଖୋଜୁଛିରେ ଧନ…

ମଲାପରେ ତୁମେ ଦୁଇ ଭାଇ ମୋ ମୁହଁରେ ଚିତା ଦେବ ବୋଲି ଭାବିଥିଲି…
କିନ୍ତୁ କେଇଟା କୋବି ପାଇଁ ମୋ କୋଳ ବି ତୋ କାଳରୂପୀ ରୂପକୁ ଦେଖି କଳଙ୍କିତ ହୋଇଗଲାରେ…
ଏନ୍ତୁଡ଼ିଶାଳରୁ ଏ ଦୁନିଆ ଦେଖାଇଥିବା ହାତକୁ ବାନ୍ଧି ବାଡେଇ ବାଡେଇ ଆଜି ରକ୍ତଭିଜା ରସିରେ ଜୁଡୁବୁଡୁ କରିଦେଲୁ…
ବଳ ପାଉନି କହିବାକୁ, ହଁ ମୁଁ ବି ତୋତେ ପିଲାଦିନେ ବାଡେଇଥିଲି ଫରକ ଖାଲି ଏତିକି ସେତେବେଳେ ତୁ ନଖାଇ, ନପିଇ ଅଝଟ କରୁଥିଲୁ ଆଉ ଆଜି ମୁଁ ଖାଇବାକୁ ନପାଇ ତୋ ବାଡ଼ିରୁ କୋବି ଗୋଟେ ତୋଳି ଆଣିଲି…
ଭାବିଥିଲି ଲହୁଲୁହାଣ କରି ତୋ ରାଗଶାନ୍ତ ପରେ ମୋତେ ସେ ମଲମବୋଳା ଶବ୍ଦ ମା’ ବୋଲି ଡାକିବୁ ହେଲେ ହତଭାଗିନୀ ମୁଁ ହସ୍ପିଟାଲ ବେଡରେ ପଡ଼ିଛି…
ତୁ ମୋତେ ଦୁନିଆ ଆଗରେ ଦାଣ୍ଡ ମଝିରେ ପିଟିଲୁ ମନଦୁଃଖ ନାହିଁ ହଁ ଆଉ କେଇଟା ଦିନ ବି ବଞ୍ଚିବ ଯେ…
ଦୁଇ ଭାଇ ଭିନେ ହୋଇଗଲାପରେ ବି ମୁଁ ଜରାଶ୍ରମ ଗଲିନି ତୁମ ମାନଙ୍କ ମୁହଁ ଦେଖି ଶାନ୍ତିରେ ମରିବି ବୋଲି ହେଲେ ଆଜି ଜୀବନ ମରଣ ସହ ଲଢ଼େଇ କରୁଛି…

ତୁମେ ମାନେ ଭଲରେ ରୁହ ବାସ୍ ମୁଁ ହସ୍ପିଟାଲରୁ ଫେରିଲେ ମୋତେ ଆଉ ଏମିତି କଲବଲ କରି ମାରିବନିରେ… ଖାଇବାରେ ବିଷ ଦେଇଦେବ ପଛେ ଏମିତି ଛଟପଟ କରି ଲୁହା ରଡ଼ରେ ପିଟିବନିରେ ଧନ…

ହସ୍ପିଟାଲ ବେଡରେ ପଡ଼ିଥିବା ସେ କେନ୍ଦୁଝର ମା’ର କାହାଣୀ ଆଜି ସମସ୍ତଙ୍କୁ କନ୍ଦାଇଦେଉଛି । ନିଜକୁ ପୁଅ ବୋଲି କହୁଥିବା ସେ କୁଳାଙ୍ଗାରର ହାତ କେତେ କଠୋର ହୋଇପାରେ ଏ ଗୋଟିଏ ଫଟୋ ହିଁ ବୟାନ କରୁଛି । ବଞ୍ଚିଥାଉ ଥାଉ ଜୀବନ୍ତ ଦେବୀରୂପୀ ମା’କୁ ଦୁଃଖ ଦେଇଥିବା ଦାନବ ପୁଅ ନିଜର ଭୁଲ ବୁଝିବା ଜରୁରୀ… ନଚେତ୍ ଯେଉଁ ଦାଣ୍ଡରେ ଆଜି ନିଜ ମା’କୁ ଏ ଶାସ୍ତି ଦେଇଛି ସେ ସୈତାନ ପୁଅ କାଲି ତା’ କପାଳରେ ବି ଠିକ୍ ଏମିତି ଦଣ୍ଡ ଲେଖିବାକୁ ପଛାଇବନି ବିଧାତା ।