ନୟାଗଡ଼ ଦଶପଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକନିକ୍ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ୩ଜଣ ସ୍କୁଲ ଛାତ୍ରୀ ମୃତ, ୧୧ ଗୁରୁତର ଆହତ

346

କନକ ବ୍ୟୁରୋ: ନୟାଗଡ଼ ଦଶପଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବଣଭୋଜି କରିବାକୁ ଯାଉଥିବା ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୩ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଗୁରୁତର ଆହତ ହୋଇଛନ୍ତି ।

  • ଅମ୍ରିତା ସାହୁ, ଟାକେରା ଗାଁ
  • ଚିନ୍ମୟୀ ପ୍ରିୟଦର୍ଶିନୀ, ଟାଙ୍ଗିଆପଡା ଗାଁ
  • ଲୋପାମୁଦ୍ରା ପ୍ରଧାନ, ଖଜୁରୀପଡା କନ୍ଧମାଳ

ଏମାନେ ହେଉଛନ୍ତି ନୟାଗଡ ଦଶପଲ୍ଲାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ମୃତ ଛାତ୍ରୀ । ପରିବାରଲୋକଙ୍କ ପାଦତଳୁ ମାଟି ଖସିଯାଇଛି । ପରିବାର ଲୋକେ ସ୍ତବ୍ଧ ହୋଇଯାଇଛନ୍ତି । ନିଜ ପିଲାଙ୍କୁ ପଠାଇଥିଲେ ପିକନିକ୍ । କିନ୍ତୁ କିଏ ଜାଣିଥିଲା ବାଟରେ ଜଗିଥିଲା ମୃତ୍ୟୁ । ନୟାଗଡ ଜିଲ୍ଲା ବାଣିଗୋଚ୍ଛା ଥାନା ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ବସ-ଟ୍ରକ ଦୁର୍ଘଟଣାରେ ୩ ଛାତ୍ରୀଙ୍କ ଅକାଳ ମୃତ୍ୟୁ ଘଟିଛି । ନୟାଗଡ ଦଶପଲ୍ଲାରୁ ଏକ ଘରୋଇ କୋଚିଂ ସେଣ୍ଟରର ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ପିକନିକ ପାଇଁ ବଲାଙ୍ଗୀର ହରିଶଙ୍କର ଯାଉଥିଲେ । ବସଟି ମାତ୍ର ୨୫ କିଲୋମିଟର ଯିବା ପରେ ଶାଳଭଙ୍ଗା ଜଙ୍ଗଲରେ ଏକ ଟ୍ରକ ସହ ପିଟିହୋଇଥିଲା । ଘଟଣାସ୍ଥଳରେ ୨ ଜଣ ଛାତ୍ରୀ ପ୍ରାଣ ହରାଇଥିବାବେଳେ ବାଟରେ ଜଣେ ଛାତ୍ରୀଙ୍କ ଜୀବନ ଚାଲିଯାଇଥିଲା ।

  • ସାମ୍ନାକୁ ଆସିଲା ସାଂଘାତିକ ତ୍ରୁଟି
  • ଟ୍ରକକୁ ଡ୍ରାଇଭର ନୁହେଁ, ଚଳାଉଥିଲେ ହେଲପର

ଶୁକ୍ରବାର ରାତିରେ ଏହି ଛାତିଥରା ଦୁର୍ଘଟଣାର ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି । ଟ୍ରକର ଭୁଲ ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ଆରଟିଓ କହିଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଡ୍ରାଇଭର ନୁହେଁ, ବରଂ ହେଲପର ଚଳାଉଥିଲେ ବୋଲି ଜଣାପଡିଛି । ଆଉ ଦୁର୍ଘଟଣା ସମୟରେ ହେଲପର ନିଶାସକ୍ତ ଅବସ୍ଥାରେ ଥିଲେ । ପ୍ରାଥମିକ ତଦନ୍ତ ପରେ ସତକଥା ଧିରେ ଧିରେ ସାମ୍ନାକୁ ଆସୁଛି । ତଦନ୍ତ ସରିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆରଟିଓ କହିଛନ୍ତି ।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅମ୍ରିତା ଓ ଚିନ୍ମୟୀ ନବମ ଶ୍ରେଣୀରେ ପଢୁଥିବାବେଳେ ଲୋପାମୁଦ୍ରା ଦଶମ ଶ୍ରେଣୀର ଛାତ୍ରୀ ଥିଲେ । ତେବେ ଦୁର୍ଘଟଣା ପରେ ପ୍ରଶାସନର ତତ୍ପରତା ଯୋଗୁଁ ଅନେକ ମୂଲ୍ୟବାନ ଜୀବନ ବଞ୍ଚିଯାଇଛି । ଏବେ ୧୧ଜଣ ଆହତଙ୍କ ଚିକିତ୍ସା ଚାଲିଛି ।