ବିଷାକ୍ତ ମଦ ମୃତ୍ୟୁକୁ ନେଇ ଉଠୁଛି ପଡୁଛି ବିହାର: ନୀତିଶ କୁମାର କହିଲେ, ମଦ ପିଇ ମଲେ ଟଙ୍କା ଟିଏ ବି ଦିଆଯିବନି

507

କନକ ବ୍ୟୁରୋ: ବିଷାକ୍ତ ମଦ ମୃତ୍ୟୁକୁ ନେଇ ବିହାର ରାଜନୀତି ଉଠୁଛୁ ପଡୁଛି । ଆଉ ଏହାରି ଭିତରେ ବିହାର ବିଧାନସଭାରେ ମଦ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବଡ ବୟାନ ଦେଇଛନ୍ତି । କହିଛନ୍ତି ଯିଏ ମଦ ପିଇବ, ସିଏ ମରିବ । ଆଉ ମଦ ପିଇ ମଲେ ଟଙ୍କା ଟିଏ ବି ସହାୟତା ମିଳିବ ନାହିଁ । ପୂର୍ବରୁ ମଧ୍ୟ ନୀତିଶ କୁମାର କହିଥିଲେ ଯିଏ ମଦ ପିଇବ ସେ ମରିବ । ଲଗାତାର ତିନି ଦିନ ହେଲା ବିହାର ବିଧାନସଭାରେ ମଦ ମୃତ୍ୟୁକୁ ନେଇ ହଙ୍ଗାମା ଜାରି ରହିଛି । ବିରୋଧୀ ବିଧାୟକମାନେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ । ଏହାର ଜବାବ ଦେଇ ନୀତିଶ କୁମାର ପାଲଟା ପ୍ରଶ୍ନ କରିଥିଲେ ରାଜ୍ୟରେ ବେଆଇନ ହୋଇଥିବା ମଦ ପିଅ କେହି ମଲେ, ସରକାର ଅନୁକମ୍ପାମୂଳକ ସହାୟତା ଦେବେ କାହିଁକି ।

ସେପଟେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏହି ପ୍ରସଙ୍ଗରେ ବିଜେପିକୁ ଘେରିଛନ୍ତି । କହିଛନ୍ତି ବିଜେପି ଶାସିତ ରାଜ୍ୟରୁ ବିହାରକୁ ଚୋରାରେ ବିଷାକ୍ତ ମଦ ଚାଲାଣ କରାଯାଉଛି । ସେପଟେ ଆଜି ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ପାଟନାରେ ବିଶାଳ ଶୋଭାଯାତ୍ରା କରି ବିଜେପି ଶକ୍ତି ପ୍ରଦର୍ଶନ କରିବା ସହ ସରକାର ଅପରାଧୀଙ୍କୁ ଘଂଟ ଘୋଡାଉଥିବା ବିଜେପି ଅଭିଯୋଗ ଆଣିଛି । ନେତା ପ୍ରତିପକ୍ଷ ରାଜ୍ୟପାଳଙ୍କୁ ଭେଟି ଘଟଣାରେ ହସ୍ତକ୍ଷେପ କରିବା ସହ ଆବଶ୍ୟକ ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କୁ ବରଖାସ୍ତ କରିବାକୁ ଦାବି କରିିଛନ୍ତିା ବିହାରର ଛପରା ଜିଲ୍ଲାରେ ବିଷାକ୍ତ ମଦ ପିଇ ଗତ ୪ଦିନ ଭିତରେ ରାଜ୍ୟରେ ବିଷାକ୍ତ ମଦ ପିଇ ୬୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଷାକ୍ତ ମଦ ପିଇ ଅସୁସ୍ଥ ହୋଇ କିଛି ଲୋକ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ତେଣୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ମଧ୍ୟ ରହିଛି । ମଦ ମୃତ୍ୟୁ ମାମଲାରେ ବର୍ତମାନ ସୁଦ୍ଧା ୧୫୦ ଲୋକଙ୍କୁ ଗିରଫ କରାଯାଇଛି । ଅନ୍ୟପଟେ ବିହାରରେ ମଦ ମୃତ୍ୟୁ ମାମଲା ସୁପ୍ରିମକୋର୍ଟରେ ପହଂଚିଛି । ଆର୍ଯ୍ୟାବତ ମହାସଭା ଫାଉଣ୍ଡେସନ ଏହି ମାମଲାରେ ଶୀଘ୍ର ଶୁଣାଣି କରିବା ସହ ସମ୍ପୂର୍ଣ୍ଣ ମାମଲାକୁ ଏସଆଇଟି ତଦନ୍ତ କରିବା ପାଇଁ ଦାବି କରିଛି ।