ଶିମିଳିପାଳ ହାତୀ ହତ୍ୟାର ପ୍ରତ୍ୟକ୍ଷଦର୍ଶୀଙ୍କ ମୃତ୍ୟୁ: ବନ କର୍ମଚାରୀ କେମିତି ନଷ୍ଟ କରିଥିଲେ ପ୍ରମାଣ ସବୁ ଜାଣିଥିଲେ ଅସ୍ଥାୟୀ କର୍ମଚାରୀ?

608

କନକ ବ୍ୟୁରୋ: ଶିମିଳିପାଳ ଜେନାବିଲ ରେଞ୍ଜର ମୃତ ଦନ୍ତାହାତୀ ପୋଡିବା ଘଟଣାର ପ୍ରତ୍ୟକ୍ଷଦର୍ଶୀ ତୁରାମ ପୂତିଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ହାତୀ ଶିକାର ହେବା ଘଟଣାକୁ ନେଇ ଧରପଗଡ ପରେ, ବନ ବିଭାଗ କର୍ମଚାରୀଙ୍କ ଧମକ ଯୋଗୁଁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତୁରାମ । ତାଙ୍କୁ ଗୁରୁତ୍ୱର ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଯାଇଥିବାବେଳେ ଗୁରୁବାର ରାତିରେ କଟକ ବଡ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି ।
ତୁରାମ ପୂର୍ତି । ଶିମିଳପାଳ ଦନ୍ତା ହାତୀ ଶିକାର ଘଟଣାର ଅନ୍ୟତମ ପ୍ରତ୍ୟକ୍ଷଦର୍ଶୀ । ଯିଏ ବନ ବିଭାଗ କର୍ମଚାରୀ ହାତୀକୁ ହତ୍ୟା କରିବା ଦେଖିଥିଲେ । ପ୍ରମାଣ ନଷ୍ଟ କରିବା ପାଇଁ ବରିଷ୍ଠ ଅଧିକାରୀମାନେ କେମିତି ଯୋଜନା ବଦ୍ଧ ଭାବେ ଷଡଯନ୍ତ୍ର କରିଥିଲେ ତାହା ବି ଜାଣିଥିଲେ । ହେଲେ, ହାତୀ ହତ୍ୟା ମାମଲାର ତଦନ୍ତ ଚାଲିଥିବାବେଳେ, ସେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଝି ଦେଇଛନ୍ତି । ଏନେଇ ଶିମିଳିପାଳ ଅଭୟାରଣ୍ୟ କର୍ତୁପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

୭ ଡିସେମ୍ବର
ଜେନାବିଲ ରେଞ୍ଜ, ଶିମିଳିପାଳ ଅଭୟାରଣ୍ୟ
ବନ୍ୟ ପ୍ରାଣୀଙ୍କ ଅଭୟାରଣ୍ୟ କୁହାଯାଉଥିବା ଶିମିଳିପାଳରେ ଏକ ବିରାଟ ଦନ୍ତାହାତୀକୁ ମାରି ଦାନ୍ତ କାଟି ନେଇଥିଲେ ଶିକାରୀ । ଆଉ ଅଭିଯୁକ୍ତଙ୍କୁ ଧରିବା ବଦଳରେ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିଥିଲେ ବନ କର୍ମଚାରୀ । ମୃତହାତୀକୁ ପୋଡି ତା ଶରୀରକୁ ନଦୀରେ ଭସାଇ ଦେଇଥିଲେ । ଶିମିଳିପାଳ ବନବାସୀ ଏସଂପର୍କରେ ଅଭିଯୋଗ କରିବା ପରେ ଏହି ସାଂଘାତିକ ଘଟଣା ସାମ୍ନାକୁ ଆସିଥିଲା । କିନ୍ତୁ ବନ ବିଭାଗ କର୍ମଚାରୀମାନେ ହାତୀ ହତ୍ୟାର ପ୍ରତ୍ୟକ୍ଷଦର୍ଶୀ ଥିବା ତୁରାମଙ୍କୁ ଭୟଭୀତ କରିଥିଲେ । ତାଙ୍କ ଫଟୋ ଉଠାଇ ନେଇଥିଲେ । ଯେଉଁଥିରେ ଭୟଭୀତ ହୋଇ ବିଷ ପିଇ ଦେଇଥିଲେ ତୁରାମ । ତାପରେ ତାଙ୍କୁ ଗୁରୁତ୍ୱର ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଶୁଣି ନିଅନ୍ତୁ ଚିକିତ୍ସାଧିନ ଅବସ୍ଥାରେ କଣ କହିଥିଲେ ତୁରାମ ।

ଜଙ୍ଗଲ ଓ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ଲାଗି କାମ କରୁଥିବା ତୁରାମଙ୍କ ମୃତ୍ୟୁ ପରେ ସ୍ଥାନୀୟ ବିଧାୟକ, ବନ ବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ହାତୀକୁ ହତ୍ୟା କରି ଦାନ୍ତ କାଟି ନେବା ଘଟଣାକୁ, ଅତି ଗୁରୁତ୍ୱର ଭାବେ ନେଇ ହାଇକୋର୍ଟ ଭର୍ତ୍ସନା କରିବା ପରେ ୩ଜଣ ବନ କର୍ମଚାରୀ ଗିରଫ କରାଯାଇଛି । ବନ୍ୟପ୍ରାଣୀ ଆଇନ ଅନୁସାରେ ରେଞ୍ଜର, ଫରେଷ୍ଟର, ଓ ଫରେଷ୍ଟଗାର୍ଡ ଗିରଫ କରାଯାଇଛି । ଏହି ବନ କର୍ମଚାରୀମାନଙ୍କୁ ନିଲମ୍ବନ କରାଯାଇଛି । ତେବେ ତୁରାମଙ୍କ ମୃତ୍ୟୁ ପରେ ହାତୀ ହତ୍ୟା ମାମଲାରେ ଆଉ କେଉଁମାନେ ସମ୍ପୃକ୍ତ ଥିଲେ ସେମାନେ ଧରାପଡିବେ ନା ସବୁଦିନ ପାଇଁ ଆଢ଼ୁଆଳରେ ରହିଯିବ,ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି ।