ଓଡିଶାକୁ ଆସିଲା କି ‘ନିପାହ’ ଭାଇରସ୍: ଏସସିବିରେ ଭର୍ତ୍ତି ହେଲେ ବାଲେଶ୍ୱରର ୮ ସନ୍ଦିଗ୍ଧ ରୋଗୀ, ଗୋଆ ଫାଷ୍ଟଫୁଡ ଦୋକାନାରେ କାମ କରୁଥିବାବେଳେ ଆକ୍ରାନ୍ତ ହୋଇଥିବା ଆଶଙ୍କା

57

କନକ ବ୍ୟୁରୋ: ଓଡିଶାକୁ ଆସିଲା କି ନିପାହ ଭାଇରସ୍ । ପୂର୍ବରୁ କେରଳରେ ଦେଖାଦେଇଥିବା ଏହି ଭାଇରସ୍ ଲୋକଙ୍କ ଭିତରେ ଆତଙ୍କ ଖେଳାଇ ଦେଇଥିଲା । କଟକ ଏସସିବି ବଡ ମେଡିକାଲରେ ନିପାହ ଭାଇରସ୍ ଆକ୍ରାନ୍ତ ହୋଇଥିବା ଆଶଙ୍କାରେ ୮ ଜଣଙ୍କୁ ଭର୍ତ୍ତି କରାଯାଇଛି ।ଏମାନେ ସମସ୍ତେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଂଚଳର ବୋଲି ଜଣାପଡିଛି । ସମସ୍ତ ୮ଜଣ ଗୋଆରେ ଏକ ଫାଷ୍ଟଫୁଡ୍ ଦୋକାନରେ କାର୍ଯ୍ୟ କରୁଥିଲେ । କ୍ରମାଗତ ଭାବେ ଜ୍ୱର ଓ ଛିଙ୍କ ଲାଗି ରହିବାରୁ ସେମାନେ ବାଲେଶ୍ୱର ଚାଲି ଆସିଥିଲେ । ବାଲେଶ୍ୱର ଡାକ୍ତର ଯାଂଚ କରିବା ପରେ ସେମାନେ ଅଜଣା ଭୁତାଣୁ ଦ୍ୱାରା ଆକ୍ରାନ୍ତ ବୋଲି ସନ୍ଦେହ କରାଯାଇଥିଲା । ପରେ ସେମାନଙ୍କୁ ଡାକ୍ତର ଏସସିବିକୁ ରେଫର କରିଥିଲେ ।

ମିଳିଥିବା ସୂଚନା ଅନୁସାରେ; ଭୋଗରାଇ ଥାନା ଅନ୍ତର୍ଗତ ନିମାତପୁରର ଅମୂଲ୍ୟ ଜେନାଙ୍କ ତିନିପୁଅ ଉତ୍ତମ (୨୨), ବରେନ୍ଦ୍ର (୨୮) ଓ ମନୋରଂଜନ (୨୫) ଗୋଆ ସ୍ଥିତ ଅନ୍ତରାଇ ହୋଟେଲ୍‌ ଓ ରେସ୍ତୋରାଁରେ ହୋଟେଲ୍‌ବୟ ଭାବେ କାମ କରୁଥିଲେ। ବର୍ଷେ ହେବ ଉତ୍ତମ ସେଠାରେ କାମ କରୁଥିବା ବେଳେ ୧୩ ଦିନ ତଳେ ନିଜର ଦୁଇଭାଇଙ୍କ ସହ ପଞ୍ଚାୟତର ଗୌତମ ଜେନା (୨୨), ଶୁକଦେବ ଜେନା (୨୦), ରାଜେନ୍ଦ୍ର ପରିଡ଼ା (୧୮), ଜୟଦେବ ଜେନା (୨୫), ବିଶ୍ୱରଂଜନ ଜେନା (୨୪), ରତନ ଜେନା (୧୮), ତପନ ଦଳେଇ (୧୮)ଙ୍କୁ ସେ ସାଙ୍ଗରେ ନେଇଯାଇ ଉକ୍ତ ହୋଟେଲ୍‌ କାମରେ ଲଗାଇଥିଲେ। ତେବେ ଗତ ୪ ଦିନ ତଳେ ଉତ୍ତମ ହଠାତ୍‌ ଅସୁସ୍ଥ ହେବା ସହ ମୃତ୍ୟୁ ଘଟିଥିଲା। ବଡ଼ଭାଇ ବରେନ୍ଦ୍ରଙ୍କ ଦେହରେ ବି ସମାନ ଲକ୍ଷଣ ପ୍ରକାଶ ପାଇଥିଲା। ଜ୍ୱର, କାଶ ଓ ପେଟବ୍ୟଥା ହୋଇ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା। ଅନ୍ୟପଟେ ମୃତକଙ୍କ ଭାଇ ମନୋରଂଜନଙ୍କ ସହ ଅନ୍ୟ ୭ ଜଣ ଅସୁସ୍ଥ ଥିବା ସୂଚନା ମିଳିଥିଲା। କୌଣସି ଭୂତାଣୁ ଜନିତ ରୋଗରେ ଶିକାର ହୋଇ ଦୁଇଭାଇ ମୃତ୍ୟୁ ଘଟିଥିବା ଓ ଅନ୍ୟମାନେ ଅସୁସ୍ଥ ହୋଇଥିବା ବେଳେ ଭୋଗରାଇ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା।

ଭାଇରସରୁ ରକ୍ଷା ପାଇବା ପାଇଁ ଏହା ବି କରନ୍ତୁ

  • ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ
  • ଏନଏଚ ୯୫ ଗ୍ରେଡ଼ କିମ୍ବା ଏହାଠାରୁ ଉଚ୍ଚ ମାସ୍କ ପିନ୍ଧିବା ଆବଶ୍ୟକ
  • ନିୟମିତ ଭାବେ ସାବୁନରେ ହାତ ଧୁଅନ୍ତୁ
  • ପକ୍ଷୀ ମାନେ ଯେଉଁ ଫଳ ଖାଇଥାନ୍ତି ତାହା ଠାରୁ ସମ୍ପୂର୍ଣ୍ଣ ଭାବେ ଦୁରେଇ ରୁହନ୍ତୁ
  • ଖାସକରି ପଶୁ ଓ ପକ୍ଷୀ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ଘୋଡ଼ା, ବାଦୁଡ଼ି, କୁକୁରଙ୍କ ଠାରୁ ଯଥାସମ୍ଭବ ଦୁରେଇ ରୁହନ୍ତୁ
  • ଖାଇବା ପୂର୍ବରୁ ଫଳ ଗୁଡ଼ିକୁ ଭଲ ଭାବେ ଧୋଇ ନିଅନ୍ତୁ
  • ଘରକୁ ସଫାସୁତରା ରଖନ୍ତୁ । ଖାସକରି ଶିଶୁ ମାନଙ୍କୁ ସଫା ସୁତରା ରଖନ୍ତୁ
  • ଘରର ଝରକା ବନ୍ଦ କରି ରଖନ୍ତୁ ନଚେତ ଖୁବ କମ ସମୟ ଝରକା ଖୋଲନ୍ତୁ
  • ଅବ୍ୟବହୃତ ନଳକୂଅର ପାଣି ବ୍ୟବହାର କରନ୍ତୁ ନାହିଁ କି ଏହାର ଆଖ ପାଖକୁ ମଧ୍ୟ ଯାଆନ୍ତୁ ନାହିଁ
  • ଯଦି ୨ ଦିନରୁ ଅଧିକ ଜ୍ୱର ରହୁଛି କିମ୍ବା ମୁଣ୍ଡବିନ୍ଧା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ
  • ଜୁସ୍ ପିଇବା ସମୟରେ ସୁନିଶ୍ଚିତ ହୁଅନ୍ତୁ କି ଦୋକାନୀ କୌଣସି କଟା ଫଟ କିମ୍ବା ଖଣ୍ଡିଆ ଫଳ ବ୍ୟବହାର କରୁନାହାଁନ୍ତି ତ ।