ଶତ୍ରୁ ଥରିବ, ବଙ୍କର ଫାଟିଯିବ । ଭାରତୀୟ ବାୟୁସେନା ହେବ ଆହୁରି ବଳୀୟାନ, ମିଳିବ ବ୍ରହ୍ମୋସର ନୂଆ ସୁପରସୋନିକ କ୍ରୁଜ ମିସାଇଲ ।

326

କନକ ବ୍ୟୁରୋ : ଭାରତୀୟ ବାୟୁସେନା ହେବ ଆହୁରି ଶକ୍ତିଶାଳୀ । ଥରିବେ ଶତ୍ରୁ, ଡରିବେ ଆତଙ୍କବାଦୀ । କାରଣ ଶତ୍ରୁ ଦେଶକୁ ସାବାଡ କରିବାକୁ ବାୟୁସେନାକୁ ମିଳିବ ବ୍ରହ୍ମୋସ କ୍ରୁଜ୍ ମିସାଇଲର ଅପଗ୍ରେଡେଡ ଭର୍ସନ । ଯାହାର ମାରକ କ୍ଷମତା ରହିଛି ୮୦୦ କିଲୋମିଟର । ଅର୍ଥାତ ଆକାଶପଥରୁ ୮୦୦ କିଲୋମିଟର ଦୂରରୁ ରହି ମଧ୍ୟ ଶତ୍ରୁ ଦେଶରେ ଥିବା ଟାର୍ଗେଟକୁ ନିମିଷକରେ ଧ୍ୱଂସ କରାଯାଇପାରିବ । ଭାରତ ଏବେ ୪୦ଟି ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନରେ ବହ୍ମୋସ କ୍ରୁଜ ମିସାଇଲ ନିୟୋଜିତ କରିଛି । ସବୁଠୁ ବଡ କଥା ହେଲା, ଏହାର ସଠିକ ଟାର୍ଗେଟ ଓ ବିଧ୍ୱଂସୀକାରୀ ପରିଣାମ ।

ଗତବର୍ଷ ଡିସେମ୍ବର ମାସରେ ବାୟୁସେନାର ଲଢୁଆ ଯୁଦ୍ଧ ବିମାନ ସୁଖୋଇ-୩୦ ଏମକେ-୧ରୁ ବ୍ରହ୍ମୋସ ସୁପରସୋନିକ କ୍ରୁଜ୍ ମିସାଇଲର ସଫଳ ପରୀକ୍ଷଣ କରାଯାଇଥିଲା । ଆଉ ଏହା ନିର୍ଦ୍ଦିଷ୍ଟ ଟାର୍ଗେଟକୁ ନଷ୍ଟ ମଧ୍ୟ କରିଥିଲା । ଆଉ ଏହି ଘାତକ ମିସାଇଲକୁ ସମ୍ପୂର୍ଣ୍ଣ ରୂପେ ଭାରତରେ ହିଁ ବିକଶିତ କରାଯାଇଛି । ଏଥିରେ ରାମଜେଟ ଜ୍ଞାନକୌଶଳର ବ୍ୟବହାର କରାଯାଇଛି । ଯାହାର ଏହାର ବେଗ ଓ ଲକ୍ଷ୍ୟକୁ ଆହୁରି ଘାତକ କରିଥାଏ ।

କେବଳ ସୁଖୋଇ ନୁହେଁ ବରଂ ମିଗ-୨୯, ତେଜସ, ରାଫେଲ ଭଳି ଯୁଦ୍ଧ ବିମାନରେ ମଧ୍ୟ ଏହି ଘାତକ ମିସାଇଲକୁ ସଂଯୋଗ କରାଯିବ । ଏହାବାଦ୍ ବୁଡାଜାହାଜରେ ମଧ୍ୟ ବ୍ରହ୍ମୋସର ନୂଆ ଭର୍ସନର ମିସାଇଲ ସଂଯୋଗ କରିବାକୁ ପ୍ରୟାସ ଜାରି ରହିଛି । ଏହା ଭାରତର ଏକମାତ୍ର ମିସାଇଲ ଯାହାକୁ ଜଳ, ସ୍ଥଳ ଓ ଆକାଶ ଯେଉଁଠୁ ଚାହିଁଲେ ବି ଶତ୍ରୁ ଉପରକୁ ଟାର୍ଗେଟ କରାଯାଇପାରିବ । ସବୁଠୁ ବଡ କଥା ହେଉଛି ବହ୍ମୋସ ମିସାଇଲ ଆକାଶପଥରେ ରାସ୍ତା ବଦଳାଇବାକୁ ସକ୍ଷମ । ଏହା ୧୦ ମିଟର ଉଚ୍ଚରୁ ମଧ୍ୟ ନିକ୍ଷେପ କରାଯାଇପାରିବ । ଯାହାଦ୍ୱାରା ଶତ୍ରୁ ପକ୍ଷର ରାଡାରରେ ମଧ୍ୟ ସହଜରେ ଆସିବ ନାହିଁ । ଏହା ଯେକୌଣସି ମିସାଇଲ ଚିହ୍ନଟ ଜ୍ଞାନକୌଶଳକୁ ଧୋକା ଦେବାରେ ମାହିର । ତେଣୁ ଏହାକୁ ଟାର୍ଗେଟ କରି ନଷ୍ଟ କରିବା ଏତେଟା ସହଜ ନୁହେଁ । ଏହା ଆମେରିକାର ଟମହକ ମିସାଇଲ ତୁଳନାରେ ଦୁଇଗୁଣା ଅଧିକ ବେଗରେ ଯାଇ ବିସ୍ଫୋରଣ ହୋଇଥାଏ । ଆଉ ଏହି ବିସ୍ଫୋରଣର ପ୍ରଭାବ ଏତେ ଅଧିକ ଯେ, ବଡ ବଡ କୋଠାକୁ ନିମିଷକରେ ଧ୍ୱଂସ କରିବାକୁ ଯଥେଷ୍ଟ ।