ଯଦି ଗାନ୍ଧୀ ପରିବାର ପାଇଁ କଂଗ୍ରେସ ଦୁର୍ବଳ ହେଉଛି, ତେବେ ସବୁପ୍ରକାର ତ୍ୟାଗ ପାଇଁ ପ୍ରସ୍ତୁତ । ବୈଠକରେ କାହିଁକି ଏମିତି କହିଲେ ସୋନିଆ ଗାନ୍ଧୀ?

376

କନକ ବ୍ୟୁରୋ :୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ଫ୍ଲପ ସୋ’ ପରେ ସୋନିଆ ଗାନ୍ଧୀ ଇସ୍ତଫା ଦେବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ରୋକ୍ ଲାଗିଛି । କଂଗ୍ରେସ ୱାର୍କିଂ କମିଟି ବୈଠକ ପରେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ସୋନିଆଙ୍କ ନେତୃତ୍ୱରେ ଦଳ ଆଗକୁ ବଢ଼ିବ । ଦଳର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ସୋନିଆ ନିଷ୍ପତି ନେବେ, ତାଙ୍କ ଉପରେ ଦଳର ବିଶ୍ୱାସ ରହିଛି ବୋଲି ସେ କହିଛନ୍ତି ।

ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଆଜି ଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟାଳୟରେ କଂଗ୍ରେସ ୱାର୍କିଂ କମିଟି ବୈଠକ ବସିଥିଲା । ଦଳର ବରିଷ୍ଠ ନେତାଙ୍କ ସମେତ ଜି-୨୩ ନେତା ଭାବେ ପରିଚିତ ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା ଓ ମୁକୁଲ ୱାସନିକ୍ ପ୍ରମୁଖ ଯୋଗ ଦେଇଥିଲେ । କାହିଁକି ଦଳର ପରାଜୟ ହେଲା, ଏ ନେଇ ଆଲୋଚନା କରାଯାଇଥିଲା । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବୈଠକରେ ସୋନିଆ ଗାନ୍ଧୀ କହିଥିଲେ, କିଛି ଲୋକଙ୍କୁ ଲାଗୁଛି ଗାନ୍ଧୀ ପରିବାର ଯୋଗୁଁ ଦଳ ଦୁର୍ବଳ ହେଉଛି । ଯଦି ସେପରି ଲାଗୁଛି, ତେବେ ସେ ସବୁପ୍ରକାର ତ୍ୟାଗ କରିବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଦଳର ବରିଷ୍ଠ ନେତା ଗାନ୍ଧୀ ପରିବାର ଉପରେ ଆସ୍ଥା ପ୍ରକାଶ କରିଛନ୍ତି ।

ବୈଠକ ସରିବା ପରେ ଦଳର ମୁଖପାତ୍ର ରଣଦୀପ ସୂର୍ଯେୱାଲା କହିଛନ୍ତି, ସୋନିଆ ଗାନ୍ଧୀ ଦଳର ନେତୃତ୍ୱ ନେବେ । ସର୍ବସମ୍ମତି କ୍ରମେ ସୋନିଆ ଗାନ୍ଧୀଙ୍କ ନେତୃତ୍ୱ ଉପରେ ବିଶ୍ୱାସ ପ୍ରକଟ କରାଯାଇଛି । ୫ଟି ରାଜ୍ୟରେ ଯେଉଁ ଜନମତ ଆସିଛି, ତାକୁ ବିନମ୍ରତାର ସହ ଦଳ ଗ୍ରହଣ କରୁଛି । ସତର୍କ ଓ ସଜାଗ ବିରୋଧୀ ଦଳ ଭାବେ କଂଗ୍ରେସ ଦାୟିତ୍ୱ ନିର୍ବାହ କରିବ ବୋଲି କହିଛନ୍ତି ସୂର୍ଯେୱାଲା ।

ସେହିଭଳି କଂଗ୍ରେସ ନେତା ଡିକେ ଶିବକୁମାର କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ତୁରନ୍ତ କଂଗ୍ରେସର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ପଦ ଗ୍ରହଣ କରିବାର ଆବଶ୍ୟକତା ରହିଛି । ମୋ ଭଳି ଅନେକ କଂଗ୍ରେସ କର୍ମୀଙ୍କର ଏହା ହିଁ ଇଚ୍ଛା । ସେହିଭଳି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, ନିର୍ବାଚନରେ ହାର ଜିତ ଲାଗିକି ରହିଥାଏ । କିନ୍ତୁ ରାହୁଲ ଗାନ୍ଧୀ ଏକମାତ୍ର ବ୍ୟକ୍ତି ଯିଏ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁକାବିଲା କରୁଛନ୍ତି । ରାହୁଲ ଗାନ୍ଧୀଙ୍କୁ ଦଳର ଅଧ୍ୟକ୍ଷ କରାଯିବା ଦରକାର, ଯାହାଦ୍ୱାରା ଦଳ ଏକଜୁଟ୍ ହୋଇ ରହିବ ।